ଦୋଷୀ ବିଧାୟକ ଓ ସାଂସଦଙ୍କୁ ଆଜୀବନ ବାସନ୍ଦ ଲାଗି ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ : ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ

28

କନକ ବ୍ୟୁରୋ : ରାଜନୀତିରେ ଅପରାଧୀକରଣକୁ ନେଇ ସୁପ୍ରିମକୋର୍ଟ ଗଭୀର ଉଦବେଗ ପ୍ରକାଶ କରିବା ସହିତ ଦୋଷୀ ସାବ୍ୟସ୍ତ ସାଂସଦ ଏବଂ ବିଧାୟକଙ୍କୁ ଆଜୀବନ ବାସନ୍ଦ କରିବା ଲାଗି ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏହାସହିତ ସାଂସଦ ଏବଂ ବିଧାୟକମାନଙ୍କ ବିରୋଧରେ ଚାଲିଥିବା ମାମଲାର ତ୍ୱରିତ ବିଚାର ଲାଗି ‘ଫାଷ୍ଟଟ୍ରାକ’ କୋର୍ଟ ଭଳି ସ୍ୱତନ୍ତ୍ର କୋର୍ଟ ଗଠନ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।ସ୍ୱତନ୍ତ୍ର କୋର୍ଟ ଗଠନ ପ୍ରସ୍ତାବକୁ କେନ୍ଦ୍ର ସରକାର ସମର୍ଥନ କରିଛନ୍ତି । ତେବେ ଦୋଷୀ ସାବ୍ୟସ୍ତ ସାଂସଦ ଓ ବିଧାୟକଙ୍କୁ ନିର୍ବାଚନରୁ ଆଜୀବନ ବାସନ୍ଦକୁ ବିରୋଧ କରିଛନ୍ତି।କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ସାଂସଦ ଓ ବିଧାୟକମାନଙ୍କ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ଉପରେ ସାରା ଜୀବନ ପାଇଁ କଟକଣା ଜାରି କରିବା ଲାଗି ଆଗତ ଜନସ୍ୱାର୍ଥ ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ପ୍ରସ୍ତାବ ଦେଇଛନ୍ତି। ଏଭଳି ଦୋଷୀ ବ୍ୟକ୍ତିଙ୍କୁ ନ୍ୟାୟପାଳିକା କିମ୍ବା ବ୍ୟବସ୍ଥାପକରେ ନିଯୁକ୍ତିକୁ ମଧ୍ୟ ନିଷିଦ୍ଧ କରାଯାଉ ବୋଲି ଜନସ୍ୱାର୍ଥ ମାମଲାରେ ଦାବି କରାଯାଇଛି।

ମାମଲାର ଶୁଣାଣି ବେଳେ ଜଷ୍ଟିସ ରଂଜନ ଗୋଗୋଇ ଏବଂ ନବୀନ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସଂପର୍କରେ କେନ୍ଦ୍ର ସରକାରଙ୍କର ମତାମତ ଲୋଡ଼ିଥିଲେ। କେନ୍ଦ୍ର ସରକାର କହିଥିଲେ, ଫୌଜଦାରୀ ମାମଲାରେ ଦୋଷୀ ସାବ୍ୟସ୍ତ ନେତାଙ୍କ ଉପରେ ଆଜୀବନ କଟକଣା ଲଗାଇବା ଲାଗି ନିର୍ବାଚନ କମିସନ ଏବଂ ଆଇନ କମିସନ ଦେଇଥିବା ପ୍ରସ୍ତାବ ଉପରେ ବିଚାର କରାଯାଉଛି। ଏଥିରେ ସରକାର ସଂପୂର୍ଣ୍ଣ ରୂପେ ସହମତ ନୁହନ୍ତି। ତେବେ ସାଂସଦ/ବିଧାୟକଙ୍କ ବିରୋଧରେ ମାମଲାର ତ୍ୱରିତ ବିଚାର ଲାଗି ସ୍ୱତନ୍ତ୍ର କୋର୍ଟ ଗଠନ ପ୍ରସ୍ତାବ ଉପରେ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି।ଏହି ଅବସରରେ ଖଣ୍ଡପୀଠ କହିଥିଲେ ଯେ ୨୦୧୪ ତଥ୍ୟ ଅନୁଯାୟୀ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ୧୫୮୧ଟି ମାମଲା ବିଚାରାଧୀନ ରହିଥିଲା। ବର୍ତମାନ ସୁଦ୍ଧା ସେଥିରୁ କେତେ ମାମଲାର ଫଇସଲା ହୋଇଛି ସେ ସଂପର୍କରେ ସଂପୂର୍ଣ୍ଣ ବିବରଣୀ ୬ ସସ୍ତାହ ଭିତରେ ଦାଖଲ କରିବା ନିମନ୍ତେ କୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତୀ ଶୁଣାଣି ଡିସେମ୍ବର ୧୩ରେ କରିବାକୁ ଦିନ ଧାର୍ୟ୍ୟ କରାଯାଇଛି।

ଶୁଣାଣି ବେଳେ ନିର୍ବାଚନ କମିସନଙ୍କ ପ୍ରତିନିଧି କହିଥିଲେ ଯେ ଦୋଷୀ ରାଜନେତାଙ୍କୁ ଆଜୀବନ ବାସନ୍ଦ ପ୍ରସ୍ତାବକୁ ଏହା ସମର୍ଥନ କରୁଛି। ତେବେ କେନ୍ଦ୍ର ସରକାର ଦାଖଲ କରିଥିବା ତାଙ୍କ ସତ୍ୟପାଠରେ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି। କହିଛନ୍ତି ଯେ ଆଜୀବନ ବାସନ୍ଦ ପିଟିସନ ଗ୍ରହଣଯୋଗ୍ୟ ନୁହେଁ, ଏହାକୁ ଖାରଜ କରାଯାଉ।
ସୂଚନାଯୋଗ୍ୟ, ଗତ ଜୁଲାଇ ୧୨ ତାରିଖରେ ମାମଲାର ଶୁଣାଣି ବେଳେ କୋର୍ଟ ନିର୍ବାଚନ କମିସନଙ୍କର ଭର୍ତ୍ସନା କରିଥିଲେ। ଦୋଷୀ ସାବ୍ୟସ୍ତ ନେତାଙ୍କୁ ଆଜୀବନ ବାସନ୍ଦ ପ୍ରସ୍ତାବ ଉପରେ କମିସନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନଥିବାରୁ କୋର୍ଟ ସମାଲୋଚନା କରିଥିଲେ। ନିର୍ବାଚନରେ ପ୍ରାର୍ଥୀ ହେଉଥିବା ବ୍ୟକ୍ତିଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଏବଂ ସର୍ବାଧିକ ବୟସସୀମା ଧାର୍ୟ୍ୟ କରିବା ଲାଗି ମଧ୍ୟ ପିଟିସନରେ ଅନୁରୋଧ କରାଯାଇଛି।