ଦିବ୍ୟାଙ୍ଗ ହୋଇ ବି ପ୍ରଥମ । ଦୃଷ୍ଟିହୀନ ହେଲେ ହାରି ନାହାଁନ୍ତି ସାହସ

25

ଆଖିରେ କଳା ଚଷମା । ତଥାପି ହସ ହସ ମୁହଁ । ଇଶ୍ୱରଙ୍କର କଠୋରତା ଯଦିଓ ତାଙ୍କ ଜୀବନକୁ ଅନ୍ଧକାର କରିଦେଇଛି ହେଲେ ତାଙ୍କର କୃତିତ୍ୱ ଦେଖାଇଛି ଅନ୍ୟକୁ ଜିଇଁବାର ଆଶା । ନିଜର ଅକ୍ଷମତାକୁ ସେ କେବେ ଜୀବନର ବାଧକତା ଭାବିନାହାଁନ୍ତି ବରଂ ତାକୁ ଶକ୍ତିକରି ସେ ବଢିଚାଲିଥିଲେ ଆଗକୁ ଆଗକୁ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଦୃଷ୍ଟିଶକ୍ତି ହରାଇ ବି ସେ ହେଉଛନ୍ତି ଦେଶର ନମ୍ବର ୱାନ ଧାବକ ।ମାରାଥରେ ଦୌଡି ନିଜକୁ କରିଛନ୍ତି ପ୍ରମାଣିତ ଆଉ ଲକ୍ଷ ଲକ୍ଷ ଲୋକମାନଙ୍କ ପାଇଁ ପାଲଟିଯାଇଛନ୍ତି ଏକ ଜ୍ୱଳନ୍ତ ଉଦାହରଣ । ନିଜର ଜିଦ୍ ଏବଂ ଦୃଢ ଇଚ୍ଛା ଶକ୍ତି ଆଗରେ ସେ ମୃତ୍ୟୁକୁ ବି ମାତ୍ ଦେଇଥିଲେ । ଏବେ ସେ ପୁରା ଫିଟ୍ ଅଛନ୍ତି ଆଉ ପୁଣି ଏକ ମାରାଥନ ଦୌଡରେ ସାମିଲ ହେବାକୁ ପ୍ରସ୍ତୁତ ହେଉଛନ୍ତି । ଏହି କାହାଣୀ ହେଉଛି ବେଙ୍ଗାଲୁରୁରେ ରହୁଥିବା ୩୨ ବର୍ଷୀୟ ଯୁବକ ସାଗର ବାହେତିଙ୍କର । ଯିଏ କି ଜଣେ ଦୃଷ୍ଟିହୀନ । ତେବେ ଆସନ୍ତୁ ଜାଣିବା କିଏ ସେହି ସାଗର ।

ବେଙ୍ଗାଲୁରୁର ଏକ ବ୍ୟସ୍ତ ବହୁଳ ଅଂଚଳରେ ବାସକରନ୍ତୁ ସାଗର ବାହେତିଙ୍କ ପରିବାର । କ୍ରିକେଟ୍ ପ୍ରତି ସଉକ ରଖିଥିବା ସାଗରଙ୍କର ଜୀବନ ବେଶ୍ ହସ ଖୁସିରେ ଚାଲିଥାଏ । କ୍ଲବ କ୍ରିକେଟ୍ ଖେଳି ସେ ତାଙ୍କର ସ୍ୱପ୍ନକୁ ସାକାର କରିବାକୁ ଚାହୁଁଥିଲେ । ହେଲେ ତାଙ୍କର ଏହି ସ୍ୱପ୍ନ ଅଧାରେ ହିଁ ରହିଯାଇଥିଲା । କାରଣ ଇଶ୍ୱରଙ୍କୁ ବୋଧ ଆଉ କିଛି ଇଚ୍ଛା ଥିଲା । ୨୬ ବର୍ଷ ବୟସରେ ଇଂଜିନିୟରିଂ ଶେଷ କରିବା ପରେ ସାଗର ଆତ୍ମନିର୍ଭରଶୀଳ ହେବାକୁ ଆଶା ବାନ୍ଧିଥିଲେ । ହେଲେ ତାଙ୍କର ଏହି ଆଶା ଆଶାରେ ହିଁ ରହିଗଲା । ଅର୍ଥାତ୍ ଦିନେ ଏକ ମ୍ୟାଚ୍ ଖେଳୁଥିବା ସମୟରେ ହଠାତ୍ ସାଗରଙ୍କୁ ବଲ ଦେଖାଯାଇ ନଥିଲା ।

ଏହାପରେ ସେ ଡାକ୍ତରଙ୍କ ନିକଟକୁ ତାଙ୍କର ଆଖି ଯାଂଚ କରିବାକୁ ପହଂଚିଥିଲେ । ଡାକ୍ତର ସାଗରଙ୍କ ଆଖି ଦେଖି କିଛି ଟେଷ୍ଟ କରିବାକୁ କହିଥିଲେ ଆଉ ପରେ ଜଣାପଡିଥିଲା କି ସାଗର ଷ୍ଟାରଗାଡର୍ସର ଶିକାର ଅଟନ୍ତି । ଯାହାର କୌଣସି ବି ଚିକିତ୍ସା ନାହିଁ । ଡାକ୍ତରଙ୍କଠାରୁ ଏକଥା ଶୁଣିବା ପରେ ସାଗରଙ୍କ ପାଦ ତଳୁ ଯେମିତି ମାଟି ଖସି ଯାଇଥିଲା ଆଉ କିଛି ମୁହୂର୍ତ୍ତ ପାଇଁ ସେ ଖୁବ୍ ଭାଙ୍ଗି ପଡିଥିଲେ । ତାଙ୍କୁ ଲାଗି ଥିଲାକି ଏଭଳି ଜୀବନ ବଂଚିବା କୌଣସି ଅଭିଶାପରୁ ବି କମ ନୁହେଁ । ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ଘରଲୋକ ଏବଂ ବନ୍ଧୁମାନଙ୍କଠାରୁ ତାଙ୍କୁ ବଂଚିବାର ଶକ୍ତି ମିଳିଥିଲା ଏବଂ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ପରାମର୍ଶ ମଧ୍ୟ ମିଳିଥିଲା ।

ଏହାପରେ ସାଗର ଦୌଡିବା ଆରମ୍ଭ କରିଥିଲେ ଏବଂ ମାରାଥନରେ ସାମିଲ ହୋଇଥିଲେ ଆଉ ଯାହାପରେ ତାଙ୍କ ଜୀବନର ମୋଡ ହିଁ ବଦଳି ଯାଇଥିଲା । ସାଗର ପ୍ରଥମ ଥର ପାଇଁ କ୍ରୃର୍ଗ ବେଲନିସ୍ ମାରାଥନରେ ଦୌଡିଥିଲେ ଆଉ ତାକୁ ମାତ୍ର ୬୮ ମିନିଟରେ ଶେଷ କରିଥିଲେ । ଏହାପରେ ସେ କେବେ ପଛକୁ ଫେରି ଚାହିଁ ନଥିଲେ, ବେଙ୍ଗଲୁରୁରେ ୧୦ କିଲୋମିଟର ରେସ୍ ଏବଂ ପୁଣି ଲଦାଖ ମାରାଥନରେ ସାମିଲ ହୋଇଥିଲେ । ଚଳିତ ବର୍ଷ ଏପ୍ରିଲରେ ସାଗର ବିଶ୍ୱର ପ୍ରତିଷ୍ଠିତ ମାରାଥନ ମଧ୍ୟରୁ ଗୋଟିଏ ତଥା ବୋଷ୍ଟନ ମାରାଥନରେ ଭାଗ ନେଇଥିଲେ ଏବଂ ସେଥିରେ ସେ ୧୨ନମ୍ବରରେ ରହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ସାଗର ହେଉଛନ୍ତି ଏହି ମାରାଥନରେ ଦୌଡିଥିବା ଦେଶର ପ୍ରଥମ ଦୃଷ୍ଟିହୀନ ଧାବକ ।