ପତ୍ନୀଙ୍କ ପାଇଁ ପାହାଡ଼ କାଟିଲେ, ୬ ହଜାର ପାହାଚ ନିର୍ମାଣ କଲେ । ଏକ ନିଆରା ପ୍ରେମ କାହାଣୀ

90

ପ୍ରେମ ଆଉ ଭଲ ପାଇବାର କାହାଣୀ ତ ଆପଣ ବହୁତ ଶୁଣିଥିବେ ଓ ପଢିଥିବେ ନିଶ୍ଚୟ । ତେବେ ସେ ଲୈଲା-ମଜନୁଙ୍କ କାହାଣୀ ହୋଇଥାଉ କି ହୀର-ରାଝା କିମ୍ବା ସୋନୀ-ମାହିବାଲ୍ କିମ୍ବା ମୁମତାଜ- ଶାହାଜାହାନଙ୍କ ପ୍ରେମ କାହାଣୀ । ଏମାନଙ୍କର ଭଲପାଇବା ଦୁନିଆ ପାଇଁ ପ୍ରେମର ଏକ ମିସାଲ ବନିଥିଲା ଏବଂ ଏମାନଙ୍କର କାହାଣୀ ଆଜି ବି ଯୁବପୀଢିଙ୍କ ହୃଦୟରେ ଜିଇଁ ରହିଛି । କିଛି ଏଭଳି ହିଁ ମିସାଲ୍ ଆଗାମୀ ପୀଢିଙ୍କ ପାଇଁ ଚୀନର ଏକ ଦଂପତି ଛାଡି ଚାଲିଯାଇଛନ୍ତି । ଯାହାଙ୍କର ପ୍ରେମ କାହାଣୀ ଶୁଣିଲେ ବା ପଢିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହା ଏଭଳି ଏକ କାହାଣୀ ଯେଉଁଥିରେ ଉଭୟଙ୍କର ଭଲପାଇବା ଆଜି ତାଙ୍କର ଅନୁପସ୍ଥିତିରେ ବି ବଂଚି ରହିଛି ।

କାହାଣୀଟି ହେଉଛି ଚୀନର ଜୁ ଚାଓକିଂ ଏବଂ ଲିୟୁ ଗୁଓଜିୟାଦଙ୍କର । ୧୯୫୬ରେ ଜୁ ଚାଓକିଂ ନିଜର ପ୍ରଥମ ସ୍ୱାମୀଙ୍କୁ ହରାଇ ନିଜ ଚାରି ପିଲାଙ୍କ ସହିତ ଏକ ଗରିବୀ ଜୀବନ ଅତିବାହିତ କରୁଥିଲେ । ଲିୟୁ ଗୁଓଜିୟାଦ ନାମକ ଜଣେ ବ୍ୟକ୍ତି ଯିଏକି ଜୁଙ୍କଠାରୁ ବୟସରେ ପାଖାପାଖି ୧୦ ବର୍ଷ ସାନ ହେବା ସତ୍ୱେ ବି ଜୁଙ୍କୁ ନିଜର ପାରୁ ଅନୁସାରେ ସାହାର୍ଯ୍ୟ କରୁଥିଲେ ଏବଂ ତାଙ୍କ ପିଲାମାନଙ୍କର ବି ଧ୍ୟାନ ରଖୁଥିଲେ । ହେଲେ ଗାଁ ଲୋକଙ୍କୁ ଏକଥା ଜମାରୁ ହଜମ ହେଉନଥିଲା । ଗାଁ ଲୋକେ ଉଭୟଙ୍କର ସଂପର୍କକୁ ବିରୋଧ କରୁଥିଲେ । ଜଣେ ବିଧବାକୁ ପୁଣି ଥରେ ବିବାହ କରିବା ନେଇ ଗାଁ ଲୋକଙ୍କ ଆଦୌ ପସନ୍ଦ ଆସିନଥିଲା । ଯେଉଁଥିପାଇଁ ଦଂପତି ଜଣକ ଗାଁ ଛାଡି ବାକୁ ବାଧ୍ୟ ହୋଇଥିଲେ । ସେମାନେ ଏକ ପାହାଡ ଉପରେ ଥିବା ଗୁମ୍ଫାକୁ ନିଜର ଘର ବୋଲି ଭାବି ନେଇଥିଲେ ଓ ସେଠାରେ ପିଲାଛୁଆଁଙ୍କୁ ଧରି ରହିବାକୁ ଲାଗିଥିଲେ । ଯଦିଓ ସେଠାରେ କିଛି ସୁବିଧା ନଥିଲା ହେଲେ ଭଲପାଇବା ଭରପୂର ମାତ୍ରାରେ ରହିଥିଲା । ଆଶ୍ଚର୍ଯ୍ୟକର କଥା ହେଉଛି କି, ଜୁଙ୍କର ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ହେବା ପୂର୍ବରୁ ହିଁ ଲିୟୁ ତାଙ୍କୁ ମନେ ମନେ ବହୁତ ପସନ୍ଦ କରୁଥିଲେ ।

ତେବେ ଲିୟୁ ଯେତେବେଳେ ଜୁଙ୍କୁ ଏତେ ବଡ ପାହାଡ ଚଢିବାରେ ଦେଖୁଥିଲେ ତାଙ୍କୁ ବହୁତ କଷ୍ଟ ହେଉଥିଲା । ଯେଉଁଥିପାଇଁ ସେ ଧିରେ ଧିରେ ପାହାଡରେ ପାହାଚ ତିଆରି କରିବା ଆରମ୍ଭ କରିଦେଇଥିଲେ । ୨୦୦୭ରେ ଲିୟୁଙ୍କର ପରଲୋକ ଘଟିଥିଲା ହେଲେ ଯେପର୍ଯ୍ୟନ୍ତ ତାଙ୍କର ନିଶ୍ୱାସ ଚାଲିଥିଲା ସେ ପର୍ଯ୍ୟନ୍ତ ସେ ତାଙ୍କର ପତ୍ନୀ ତଥା ଜୁଙ୍କ ପାଇଁ ପାହାଚ ତିଆରି କରିବା ବନ୍ଦ କରି ନଥିଲେ ।

୭୨ ବର୍ଷ ବୟସରେ ଜୁଙ୍କ କୋଳରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଲିୟୁ । ପତ୍ନୀ ଜୁ ମଧ୍ୟ ୨୦୧୨ରେ ଆଖି ବୁଜିଥିଲେ କିନ୍ତୁ ଏହି ଦଂପତିଙ୍କର ପ୍ରେମ କାହାଣୀ ଆଜି ବି ସେହି ପାହାଡ ମଧ୍ୟରେ ବଂଚି ରହିଛି । ଆଜିବି ପତ୍ନୀ ଜୁଙ୍କ ପାଇଁ ତିଆରି ହୋଇଥିବା ଲିୟୁଙ୍କର ସେହି ୬,୦୦୦ଟି ପାହାଚ ପ୍ରେମର ଗହନତାକୁ ପରିପ୍ରକାଶ କରୁଛି ।