ସାର୍, ସ୍କୁଲ ବନ୍ଦ କରନ୍ତୁନି…ନହେଲେ ଭୋକିଲା ରହିଯିବ ରୋଗୀଣା ବାପା ।ପରିବାର ମୁହଁରେ ଆହାର ପାଇଁ ଦୁଇ ଭାଇଙ୍କ ଆକୁଳ ନିବେଦନ

34

କୁନି କୁନି କାନ୍ଧରେ ସଂପୂର୍ଣ୍ଣ ପରିବାରର ବୋଝ । ଆଉ ରାହା ଦେଖାଇବାକୁ ପାଖରେ ଜଣେ ହେଲେ ବି କେହି ବଡ ଲୋକ ନାହାନ୍ତି । କାରଣ ମାର୍ଗ ଦର୍ଶକ ଏବେ ଶଯ୍ୟାଶାୟୀ । ବାପା ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ୧୮ ବର୍ଷ ହେଲା ବିଛଣାରେ ପଡି କଲବଲ ହେଉଛନ୍ତି ଆଉ ମାଆ ଜଣେ ମାନସିକ ରୋଗୀ । ସେ କଣ କରୁଛନ୍ତି ତାଙ୍କୁ ବି ଜଣାନାହିଁ । ଏଭଳି ପରିସ୍ଥିତିରେ ଦୁଇ ଭଉଣୀଙ୍କ ସମେତ ରୋଗୀଣା ବାପାମାଆଙ୍କୁ ପୋଷିବାର ପୂରା ଦାୟିତ୍ୱ ଏବେ ଏହି ଦୁଇ କୁନିଭାଇଙ୍କ କାନ୍ଧରେ । ପଢନ୍ତୁ ଏଭଳି ଦୁଇ ଭାଇଙ୍କ କରୁଣ କାହାଣୀ , ଯାହା ଆପଣଙ୍କ ଆଖାରେ ଲୁହ ଆଣିବାକୁ ବାଧ୍ୟ କରିଦେବ ।

କାହାଣୀ ହେଉଛି ମଧ୍ୟପ୍ରଦେଶର ଦୁଇ ଭାଇ ଜଗା ଓ ସୋନୁର । ପରିବାର କହିଲେ ମୋଟ ୬ ଜଣ । ବାପାମାଆ, ଦୁଇ ଭଉଣୀ ଆଉ ଏମାନେ । ବାପା ରୋଗରେ ଆକ୍ରାନ୍ତ ହୋଇ ପାଖାପାଖି ୧୮ ବର୍ଷ ହେଲା ବିଛଣାରେ ପଡିଛନ୍ତି । ହେଲେ ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ବି ନାହିଁ । ସେହିପରି ମାଆ ମଧ୍ୟ ମାନସିକ ବିକୃତ । ସେ ବି ଗୋଟିଏ ଜାଗାରେ ସବୁବେଳେ ପଡିରହିଛନ୍ତି । ଆଉ ବାକି ରହିଲେ ଦୁଇ ଭଉଣ. ବାପାମାଆଙ୍କ ଅବସ୍ଥା ଦେଖି ବାଧ୍ୟ ହୋଇଛନ୍ତି ପାଠପଢା ଛାଡିବାକୁ ।

ହେଲେ ଜଗା ଆଉ ସୋନୁ କିନ୍ତୁ ପାଠପଢା ଛାଡିନଥିଲେ । କାରଣ ଏମାନଙ୍କ ସ୍କୁଲ ଯିବା ପଛରେ ଏକ ବହୁତ ବଡ କାରଣ ଥିଲା । ତେବେ ଜଗା ଆଉ ସୋନୁ ପ୍ରତିଦିନ ସ୍କୁଲ ଯାଆନ୍ତି । କେବଳ ଛୁଟିଦିନକୁ ଛାଡି ଦେଲା ପରେ ଏମାନେ କୌଣସି ଗୋଟିଏ ଦିନ ବି ସ୍କୁଲ ବନ୍ଦ କରନ୍ତି ନାହିଁ । କାହିଁକି ଜାଣଛନ୍ତି ? କାରଣ ଏମାନେ ସ୍କୁଲ ମଧ୍ୟାହ୍ଣ ଭୋଜନ ପାଇଁ ହିଁ ଯାଆନ୍ତି । ଜଗା ଆଉ ସୋନୁ ମଧ୍ୟାହ୍ଣ ଭୋଜନ ଖାଇବା ସହିତ ନିଜ ରୋଗୀଣା ବାପାମାଆ ଏବଂ ଦୁଇ ଭଉଣୀଙ୍କ ପାଇଁ ଖାଇବା ଆଣନ୍ତି । ଯେଉଁଥିପାଇଁ ସେମାନେ କୌଣସି ବି ଦିନ ସ୍କୁଲ ବନ୍ଦ କରନ୍ତି ନାହିଁ । ଆଉ ଯେଉଁଦିନ ସ୍କୁଲ ବନ୍ଦ ରୁହେ, ଦୁଇଭାଇ ମିଶି ଗାଁ ଗାଁ ବୁଲି ଭିକ୍ଷାବୃତି କରନ୍ତି । ବଡ କଥା ହେଲା ଏମାନଙ୍କ ବିଷୟରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ବେଶ ଭଲ ଭାବରେ ଜଣା, ଏଥିପାଇଁ ସେ ମଧ୍ୟ ବଳକା ଖାଦ୍ୟକୁ ଏହି ଦୁଇ ଭାଇଙ୍କୁ ଦେଇ ଦିଅନ୍ତି । ଏବଂ ଯେଉଁଦିନ ଖାଦ୍ୟ କିଛି ବଳି ନଥାଏ, ସେଦିନ ସ୍କୁଲର ପ୍ରଧାନ ଶିକ୍ଷକ ଅଙ୍ଗନୱାଡିରୁ ଖାଇବା ମଗାଇ ଦୁଇ ଭାଇଙ୍କୁ ଦିଅନ୍ତି ।

ଘରର ମୁଖିଆ ତଥା ଜଗା ଆଉ ସୋନୁଙ୍କ ବାପା ଜୋଗେନ୍ଦର ୧୮ ବର୍ଷ ହେଲା ଶଯ୍ୟାଶାୟୀ । ଏଥିପାଇଁ ପରିବାରର ଅବସ୍ଥା ଏତେ ଦୟନୀୟ କି ରାସନକାର୍ଡରୁ ମିଳୁଥିବା ସାମଗ୍ରୀକୁ କିଣିବା ପାଇଁ ଏମାନଙ୍କ ପାଖରେ ଟଙ୍କାଟିଏ ବି ନାହିଁ । ଜୋଗେନ୍ଦରଙ୍କ ବଡ ଝିଅ ୧୯ ବର୍ଷୀୟ ବଲବିନ୍ଦରର ବାହାଘର ଗାଁଲୋକେ ମିଶି ଚାନ୍ଦା କରି କରିଥିଲେ । ଏପରିକି ଏମାନଙ୍କ ରହିବା ପାଇଁ ଗୋଟିଏ ବଖରା ଘର ମଧ୍ୟ ଗାଁଲୋକେ ମିଶି କରିଛନ୍ତି । ଯେଉଁଥିରେ ୬ ଜଣ ସଦସ୍ୟ ରହୁଛନ୍ତି । ତେବେ ଗରିବଙ୍କ ପାଇଁ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଏମାନଙ୍କ ପାଖରେ ପହିଂଚିପାରିନାହିଁ । ରାସନକାର୍ଡକୁ ଛାଡି ଦେଲା ପରେ ଏମାନଙ୍କ ପାଖରେ ଅନ୍ୟ କୌଣସି ସୁବିଧା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ ।