ଘରେ ବସି ମିଳିବ ଶସ୍ତା ପିଆଜ ! ହେଲେ ଆପଣଙ୍କୁ କରିବାକୁ ହେବ ଗୋଟିଏ କାମ

89

ରାଜ୍ୟରେ ଏବେ ପିଆଜ ସଙ୍କଟ । କେଜି ପିଛା ୧୦ରୁ ୧୫ଟଙ୍କା ମଧ୍ୟରେ ରହିବା ବଦଳରେ ଏବେ ପିଆଜ ୬୦ଟଙ୍କାରେ ବିକ୍ରି ହେଉଛି । ହେଲେ ସରକାରଙ୍କ ପାଖାରେ କୌଣସି ବିକଳ୍ପ ନାହିଁ । ସ୍ଥିତି ଏପରି ହେଲାଣି ଯେ, ଖୁଚୁରା ବଜାରରେ ପିଆଜ ଦର ଖୁବ୍ ଶୀଘ୍ର ୧୦୦ ପାର୍ ହୋଇଯିବ । ଖାଲି ପିଆଜ ନୁହେଁ ଆଳୁ ବି କେଜି ପିଛା ୧୦ଟଙ୍କା ଛୁଇଁଲାଣି । ଏବେ ଏହା ଉପରେ ଲଗାମ୍ ନ କଷିଲେ ଆଳୁ ବି ୧୫ଛୁଇଁଯିବ ।

ଖୁଚୁରା ବଜାରରେ ପିଆଜ କେଜି ପିଛା ୬୦ଟଙ୍କାରେ ବିକ୍ରି ହୋଇଛି । ଏନେଇ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବର୍ଷା ଯୋଗୁଁ ଏଥର ପିଆଜ ଚାଷ ପ୍ରଭାବିତ ହୋଇଛି । ଯେତିକି ପିଆଜ ଅମଳ ହେବା କଥା ତାହାର ୨୦% କମ୍ ଅମଳ ହୋଇଛି । ତେଣୁ ପିଆଜ ଦର ହଠାତ୍ ବଢ଼ିଯାଇଛି । ଗତ ମାସରେ ପିଆଜ ଖୁଚୁରା ବଜାରରେ ୨୦ରୁ ୨୬ଟଙ୍କା ମଧ୍ୟରେ ବିକ୍ରି ହେଉଥିବାବେଳେ ଚଳିତ ମାସରେ ଏହା ବଢ଼ିଛି । ନାସିକ୍ ପିଆଜ ଏବେ ଅମଳ ହେବା ସମୟ ଆସିଲାଣି । ସେଠାରେ ଭଲ ଚାଷ ହୋଇଛି । ଏହି ପିଆଜ ଡିସେମ୍ବରରେ ଓଡ଼ିଶା ବଜାରକୁ ଆସିବ । ଏହାପରେ ଦାମ୍ କିଛି କମିବ । ଏହି ପିଆଜ ଆସିଲେ ସାଧାରଣତଃ ପିଆଜ କେଜି ପିଛା ୧୦ରୁ ୧୫ଟଙ୍କା ରହିଥାଏ । ହେଲେ ଚଳିତବର୍ଷ ଏହି ସମ୍ଭାବନା କମ୍ । ଡିସେମ୍ବରରେ ବି ପିଆଜ ଦର ଅଧିକ ରହିବ । କେଜି ପିଛା ୨୦ରୁ ୨୫ଟଙ୍କା ରହିପାରେ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ତେବେ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଉପଭୋକ୍ତା ମନ୍ତ୍ରାଳୟ ଏକ ନିଆରା ପଦକ୍ଷେପ ଉଠାଛନ୍ତି । ଯେଉଁଥିରେ ପିଆଜର ଆକାଶ ଛୁଆଁ ଦରରେ ଚିନ୍ତିତ ଥିବା ଲୋକେ ଖୁବ୍ ଶୀଘ୍ର ଘରେ ବସି ଶସ୍ତା ପିଆଜ କିଣିପାରିବେ ।

ସୂଚନା ମୁତାବକ, ନିକଟରେ ଉପଭୋକ୍ତ ମନ୍ତ୍ରାଳୟ ଇ–କମର୍ସ କଂପାନୀମାନଙ୍କ ସହିତ ଏକ ଆଲୋଚନା କରିଥିଲା । ଯେଉଁଥିରେ ପିଆଜର ଦରଦାମ ବୃଦ୍ଧିକୁ ନେଇ ଆଲୋଚନା କରାଯିବା ସହିତ ଲୋକମାନଙ୍କ ନିକଟରେ କିଭଳି ଶସ୍ତାରେ ପିଆଜ ପହଂଚିପାରିବ ସେ ନେଇ ଆଲୋଚନା କରାଯାଇଥିଲା ଏବଂ ଏହି ବୈଠକରେ ସେମାନଙ୍କୁ ନାଫେଡଠାରୁ ପିଆଜ ନେଇ ଗ୍ରାହକଙ୍କୁ ଶସ୍ତାରେ ଯୋଗାଇ ଦେବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା । ଏଠାରେ ଆମେ କହି ରଖୁଛୁ କି, ଦିଲ୍ଲୀରେ କମ୍ ସପ୍ଲାଏ କାରଣରୁ ରିଟେଲରେ ପିଆଜର ଦର କିଲୋପ୍ରତି ୮୦ ଟଙ୍କାରେ ପହଂଚିଥିଲା । ସେହିଭଳି ଦେଶର ଅନ୍ୟାନ୍ୟ ଜାଗାରେ ମଧ୍ୟ ପିଆଜ ଦର ପାଖାପାଖି ୫୦ରୁ ୭୦ଟଙ୍କା ପ୍ରତିକିଲୋ ହିସାବରେ ମିଳୁଛି ।