ଏଲପିଜି ସବସିଡ୍ ଛଡାଇ ନେବେ ମୋଦି । କୌଣସି ବି ମୁହୂର୍ତ୍ତରେ କରିପାରନ୍ତି ଘୋଷଣା

36

ଯଦି ଆପଣଙ୍କ ନିକଟରେ କୌଣସି ଦାମୀ କାର ରହିଛି ଆଉ ଆପଣ ଏଲପିଜି ସବସିଡର ଲାଭ ମଧ୍ୟ ଉଠାଉଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । କାରଣ ମୋଦି ସରକାର ଏକ ଏଭଳି ପ୍ରସ୍ତାବ ଉପରେ ଆଲୋଚନା ଚଳାଇଛନ୍ତି ଯେଉଁଥିରେ ଦେଶରେ ଯେତେ ଜଣଙ୍କ ନିକଟରେ ବି କାର ରହିଛି, ସେମାନଙ୍କୁ ଗ୍ୟାସ ସବସିଡ୍ ମିଳିବା ପୂରାପୁରି ବନ୍ଦ କରିଦିଆଯିବ ।

ବିଜନେସ ଷ୍ଟାଣ୍ଡାର୍ଡରେ ପ୍ରକାଶିତ ଖବର ମୁତାବକ, ମୋଦି ସରକାର ଏଲପିଜି ସବସିଡରେ ଖର୍ଚ୍ଚ ହେଉଥିବା ଟଙ୍କାକୁ ସଂଚୟ କରିବା ଉଦ୍ଦେଶ୍ୟରେ ଏଭଳି ପ୍ରସ୍ତାବ ଉପରେ ବିଚାର କରୁଛନ୍ତି । ରିପୋର୍ଟ ଅନୁସାରେ, ଏହି ପ୍ରସ୍ତାବଟି ବର୍ତ୍ତମାନ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି ଏବଂ ଏଥିପାଇଁ ଅନେକ ଜିଲ୍ଲାର ଆରଟିଓ ଅଫିସରୁ ତଥ୍ୟମାନ ମଧ୍ୟ ଏକଜୁଟ୍ କରାଯାଇଛି ।

ଏଠାରେ ଆମେ କହି ରଖୁଛୁ କି, ବର୍ତ୍ତମାନ ସମୟରେ ଯେଉଁମାନଙ୍କ ନିକଟରେ ୨ରୁ ୩ଟି ଲେଖାଏଁ କାର ରହିଛି ସେମାନେ ବି ସରକାରଙ୍କ ଏହି ସୁବିଧାର ଫାଇଦା ଉଠାଉଛନ୍ତି । ଯେଉଁଥିପାଇଁ ମୋଦି ସରକାର ଏଲପିଜି ସବସିଡର ଟଙ୍କା ବଂଚାଇବା ପାଇଁ ଏହି ମହାନ ନିଷ୍ପତି ନେଇପାରନ୍ତି । କାରଣ ଗତବର୍ଷ ବି କେନ୍ଦ୍ର ସରକାର ଯେଉଁ ବ୍ୟକ୍ତିବିଶେଷଙ୍କର ବାର୍ଷିକ ଆୟ ୧୦ ଲକ୍ଷରୁ ଅଧିକ ରହିଥିଲା ସେମାନଙ୍କୁ ସବସିଡ ପରିସରରୁ ବାହାର କରିଦେଇଥିଲେ । ଏହାବ୍ୟତୀତ ମୋଦି ସରକାର ମଧ୍ୟ ମାନବୀକତା ଦୃଷ୍ଟିକୋଣରୁ ସବସିଡ ଛାଡିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରିଥିଲେ ଆଉ ଏଥିପାଇଁ Givitup ନାମକ ଏକ କ୍ୟାଂପେନିଂ ବି ଚଳାଇଛନ୍ତି ।

ଖାଲି ସେତିକି ନୁହେଁ କେନ୍ଦ୍ର ସରକାର ସବସିଡ ପାଇଁ ଡାଏରେକ୍ଟ ବେନିଫିଟ୍ ଟ୍ରାନ୍ସଫରର ବିକଳ୍ପ ଆପଣାଇ ୩.୬ କୋଟି କନେକ୍ସନ ଉପରେ ମୋହର ଲଗାଇଥିଲେ । ଯାହାଦ୍ୱାରା ମୋଦି ସରକାର ୩୦ ହଜାର କୋଟି ଟଙ୍କା ସଂଚୟ କରିବାରେ ସଫଳ ହୋଇଥିଲେ । ହେଲେ ବର୍ତ୍ତମାନ ସମସ୍ତ କାର ମାଲିକମାନଙ୍କଠାରୁ ସବସିଡ ଫେରସ୍ତ ନେବା ମୋଦି ସରକାରଙ୍କ ପକ୍ଷେ ଏତେ ସହଜ ହୋଇନପାରେ । କାରଣ, ଏଥିପାଇଁ କାର ମାଲିକ ଏବଂ ସେମାନଙ୍କ ସମ୍ବନ୍ଧିତ ଠିକଣା ସଂପର୍କରେ ସମସ୍ତ ତଥ୍ୟ ରହିବା ନିହାତି ଆବଶ୍ୟକ । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ଏଲପିଜି ଗ୍ୟାସ ଉପରେ ମିଳୁଥିବା ସବସିଡ ସିଧାସଳଖ ବ୍ୟକ୍ତିବିଶେଷଙ୍କ ବ୍ୟାଙ୍କ ଖାତାକୁ ହିଁ ପଠାଯାଉଛି ।