ପାଶ୍ଚାତ୍ୟ ଏଜେନ୍ସିଙ୍କ ପ୍ରତି ବିମୁଖ ! ଭାରତ ଚାହୁଁଛି ‘ବ୍ରିକ୍ସ ରେଟିଂ’

66

ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ରେଟିଂ ଏଜେନ୍ସି ପ୍ରତି ବିମୁଖ ଥିବା ଭାରତ ବ୍ରିକ୍ସ ରାଷ୍ଟ୍ର ସମୂହର ନିଜସ୍ୱ ରେଟିଂ ଏଜେନ୍ସି ଗଠନ କରିବା ଉପରେ ଜୋର ଦେଇଛି । ଚଳିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ରେଟିଂ ଏଜେନ୍ସିର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଏହା ଦ୍ୱାରା ପାଶ୍ଚାତ୍ୟ ରେଟିଂ ଏଜେନ୍ସିଗୁଡ଼ିକର ପ୍ରାଧାନ୍ୟ କମିବ ଏବଂ ଏହା ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପାଇଁ କାମ କରିବ ବୋଲି ସେ କହିଛନ୍ତି ।

ବ୍ରାଜିଲ୍ ରୁଷିଆ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସ ରାଷ୍ଟ୍ର ସମୂହ ନିଜସ୍ୱ ରେଟିଂ ଏଜେନ୍ସି ଗଠନ କରି ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକୁ କ୍ରେଡିଟ୍ ରେଟିଂ ପ୍ରଦାନ କରୁ ବୋଲି ଭାରତ ଚାହୁଛି । ଭାରତର ଅଭିଯୋଗ ହେଉଛି ଏସ୍ଆଣ୍ଡ୍ପି, ମୁଡିସ୍ ଏବଂ ଫିଚ୍ ଭଳି ବିଶ୍ୱ ସ୍ତରୀୟ ରେଟିଂ ଏଜେନ୍ସି କ୍ରେଡିଟ୍ ରେଟିଂ ପ୍ରଦାନ କରିବା ବେଳେ ପକ୍ଷପାତିତା କରୁଛନ୍ତି । ତେଣୁ ଗୋଟିଏ ଦେଶର ପ୍ରକୃତ ରେଟିଂ ଯାହା ତାହାକୁ କମ୍ କରି ସେମାନେ ପ୍ରଦର୍ଶନ କରୁଛନ୍ତି ଯାହା ଫଳ ଉକ୍ତ ରାଷ୍ଟ୍ରର ନିବେଶ ପ୍ରଭାବିତ ହେଉଛି ।

ଗତବର୍ଷ ଗୋଆଠାରେ ଆୟୋଜନ କରାଯାଇଥିବା ସମ୍ମିଳନୀରେ ଭାରତ ପକ୍ଷରୁ ବ୍ରିକ୍ସ ରେଟିଂ ଏଜେନ୍ସି ଗଠନ କରାଯିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଥିଲା । ରୁଷିଆ, ବ୍ରାଜିଲ୍ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟ ପାଶ୍ଚାତ୍ୟ ରେଟିଂ ଏଜେନ୍ସିଗୁଡ଼ିକୁ ନେଇ ନିଜର ଚିନ୍ତା ପ୍ରକଟ କରିଛନ୍ତି । ଫିଚ୍ ଏବଂ ମୁଡିସ୍ ଉପରେ ଭାରତର ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ଭାରତକୁ ଫିଚ୍ ପକ୍ଷରୁ ବିବିବି- (ମାଇନସ୍) ରେଟିଂ ପ୍ରଦାନ କରାଯାଇଛି ଯାହା ଦଶ ବର୍ଷ ପୂର୍ବରୁ ଦିଆଯାଇଥିଲା । ସେଥିରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଉନାହିଁ । ଭାରତ ଭାବୁଛି ୧୦ ବର୍ଷ ଭିତରେ ଅନେକ ପରିବର୍ତ୍ତନ ହୋଇଛି ଏବଂ ଏହା ରେଟିଂରେ ଉନ୍ନତି ଆଶା କରୁଛି ମାତ୍ର ଏଜେନ୍ସିଗୁଡ଼ିକ ତାହା କରୁନାହାନ୍ତି । ଏହି ୧୦ ବର୍ଷ ଭିତରେ ଚୀନର ବ୍ୟବସାୟ ବାତାବରଣ ଖରାପ ହୋଇଥିଲେ ମଧ୍ୟ ତାହାକୁ ଏଏ- (ମାଇନସ୍) ରେଟିଂ ପ୍ରଦାନ କରାଯାଇଥିବା ବିଷୟକୁ ଭାରତ ସହଜରେ ଗ୍ରହଣ କରିପାରୁନାହିଁ ।

ଆମେରିକାର ରେଟିଂ ଏଜେନ୍ସି ମୁଡିସ୍ ପକ୍ଷରୁ ଚୀନ୍ର ରେଟିଂକୁ ହ୍ରାସ କରାଯିବା ପରେ ଚୀନ୍ ଗଭୀର ଚିନ୍ତା ପ୍ରକଟ କରିଛି । ରେଟିଂ ହିସାବ ପାଇଁ ଭୁଲ ପଦ୍ଧତି ଗ୍ରହଣ କରାଯାଇଛି ବୋଲି ଚୀନ୍ ଅଭିଯୋଗ କରିଥିଲା । ବ୍ରିକ୍ସ ରାଷ୍ଟ୍ର ସମୂହରେ ଥିବା ପ୍ରାୟ ସମସ୍ତ ସଦସ୍ୟ ରାଷ୍ଟ୍ର ପାଶ୍ଚାତ୍ୟ ରେଟିଂ ଏଜେନ୍ସିଗୁଡ଼ିକର ପକ୍ଷପାତିତାର ଶିକାର ହୋଇଥିବାରୁ ବ୍ରିକ୍ସ ରେଟିଂ ଏଜେନ୍ସି ଗଠନ କରିବା ନେଇ ସହମତି ପ୍ରକାଶ ପାଇବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ।

ରେଟିଂ ଏଜେନ୍ସି କ’ଣ

କ୍ରେଡିଟ୍ ରେଟିଂ ଏଜେନ୍ସିଗୁଡ଼ିକୁ ରେଟିଂ ଏଜେନ୍ସି କୁହାଯାଉଛି । ଏହି ସଂସ୍ଥାଗୁଡ଼ିକ ବିଭିନ୍ନ ସରକାର ଏବଂ କଂପାନିଙ୍କୁ କ୍ରେଡିଟ୍ ରେଟିଂ ପ୍ରଦାନ କରିଥାନ୍ତି । ଋଣ ଗ୍ରହଣ କରିବାକୁ ଚାହୁଁଥିବା ପକ୍ଷର ଋଣ ପରିଶୋଧ ପାଇଁ କିଭଳି କ୍ଷମତା ରହିଛି ଏବଂ ଋଣ ଖିଲାପ ହେବାର ସମ୍ଭାବନା ରହିଛି ନା ନାହିଁ ତାହାକୁ ବିଚାରକୁ ନେଇ ରେଟିଂ ଏଜେନ୍ସିଗୁଡ଼ିକ କ୍ରେଡିଟ୍ ରେଟିଂ ପ୍ରଦାନ କରିଥାନ୍ତି । ତେଣୁ ଯେଉଁମାନଙ୍କୁ ଖରାପ ରେଟିଂ ମିଳେ ସେମାନଙ୍କୁ ସହଜରେ ବଜାରରୁ ପାଣ୍ଠି ମିଳେ ନାହିଁ।