ପଥର ପାଲଟିବାରେ ଲାଗିଛି ୮ ବର୍ଷର ଶିଶୁ ! ଯାହାର ପ୍ରକୃତ କାରଣ ଖୋଜି ପାଇପାରୁ ନାହାଁନ୍ତି ଚିକିତ୍ସକ

41

ଜଣେ ୮ ବର୍ଷର ବାଳକ ଏବେ ସୋସିଆଲ ମିଡିଆରେ ହୋଇଛି ଭାଇରାଲ । କାରଣ ଏହି ବାଳକଟି ଅନ୍ୟ ପିଲାଙ୍କ ପରି ସାଧାରଣ ନୁହେଁ ତା’ର ଶରୀର ଦିନକୁ ଦିନ ପଥର ହେବାରେ ଲାଗିଛି । ଯାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ତେବେ ଏହି ବାଳକକୁ ଯିଏ ବି ଦେଖୁଛି ଭୟରେ ଦୌଡି ପଳାଉଛନ୍ତି । ଏପରିକି ଏହା କାରଣରୁ ସେ ପାଠପଢାରୁ ମଧ୍ୟ ବଂଚିତ ହୋଇଛି । ଯାହା ସଂପର୍କରେ ଡେଲି ମେଲ୍ ନାମକ ଏକ ଗଣମାଧ୍ୟମରେ ଖବର ପ୍ରସାରଣପରେ ଏହା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ବାଙ୍ଗଲାଦେଶର ରୈନାନଗର ଅଂଚଳରେ ନିଜ ପରିବାର ସହ ବାସ କରେ ମୈହଦୀ ହସନ । ତେବେ ମୈହଦୀ ଏକ ଅଜଣା ଚର୍ମ ରୋଗରେ ପୀଡିତ । ଯେଉଁ କାରଣରୁ ତାର ସଂପୂର୍ଣ୍ଣ ଶରୀର ଧିରେ ଧିରେ ପଥର ହେବାରେ ଲାଗିଛି । ଏପରି କି ତାର ସଂପୂର୍ଣ୍ଣ ଶରୀର ପଥର ହେବାରେ ଲାଗିିଥିବା ବେଳେ ବାକି ରହିଛି କେବଳ ମୁହଁ । ମୈହଦୀର ମାଆଙ୍କ କହିବା କଥା ହେଲା, ‘ଏଭଳି ରୋଗ କାରଣରୁ ସେ ଏବେ ନିଜ କାମ କରିବାକୁ ଅସମର୍ଥ ଅଟେ । ପୂରା ଦିନ ଘରେ ବସି ରହୁଛି । ଏହି ରୋଗ ଯୋଗୁଁ ସ୍କୁଲ କର୍ତ୍ତୃପକ୍ଷ ତାକୁ ସ୍କୁଲକୁ ଯିବାକୁ ମଧ୍ୟ ବାରଣ କରିଛନ୍ତି । କାରଣ ତାକୁ ଦେଖି ସ୍କୁଲର ଅନ୍ୟ ପିଲାମାନେ ଭୟରେ ଆଉ ସ୍କୁଲ ଆସୁନାହାନ୍ତି । ଏବେ ତାର ପାଠପଢା ମଧ୍ୟ ବନ୍ଦ ରହିଛି । ଖାଲି ସେତିକି ନୁହେଁ ବାଳକଟିର ଏହି ରୋଗ ପାଇଁ ତାକୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ମଧ୍ୟ ପଡିଛି । କେହି କେହି ତାକୁ ଏକ ଅସାମାନ୍ୟ ଶିଶୁ ବୋଲି ମଧ୍ୟ କହୁଛନ୍ତି ।’

ମୈହଦୀଙ୍କ ମାଆ ଆଉ ମଧ୍ୟ କୁହନ୍ତି, ‘ଯେତେବେଳେ ମୈହଦୀ ମାତ୍ର ୧୨ ଦିନର ହୋଇଥିଲା ତାର ଶରୀରରେ କିଛି ଅଜବ ପ୍ରକାରର ଲକ୍ଷଣ ଦେଖାଦେଇଥିଲା । ମାତ୍ର ସେ ସେତେବେଳେ ତାକୁ ଅଣଦେଖା କରିଦେଇଥିଲେ । ଯାହାର ପରିଣାମ ଆଜି ତାକୁ ଭୋଗିବାକୁ ପଡୁଛି । ଏହାର ଚିକିତ୍ସା ପାଇଁ ସେ ଅନେକ ଡାକ୍ତରଙ୍କ ପରାମର୍ଶ ଲୋଡିଥିଲେ ମଧ୍ୟ ବିଫଳ ହୋଇଛନ୍ତି ।’ ତେବେ ମୈହଦୀର ଉଚ୍ଚ ସ୍ତରରେ ଚିକିତ୍ସା ପାଇଁ ସେ ସରକାରଙ୍କ ସହାୟତା ଲୋଡିଛନ୍ତି । ଯଦି ସରକାର କିଛି ଆର୍ଥିକ ସାହାର୍ଯ୍ୟ ପ୍ରଦାନ କରନ୍ତି ତେବେ ମୈହଦୀ ଭଲଭାବରେ ସୁସ୍ଥ ହୋଇପାରନ୍ତା ବୋଲି ମୈହଦୀର ପରିବାର ଲୋକ ଆଶା ରଖିଛନ୍ତି ।