ହୀରା ବ୍ୟବସାୟୀଙ୍କ ପୁଅର ସଂଘର୍ଷ କାହାଣୀ

45

ସୁରଟର ଧନୀ ହୀରା ବ୍ୟବସାୟୀ ତଥା ହରୋକୃଷ୍ଣ ଡାଇମଣ୍ଡ୍ ଏକ୍ସପର୍ଟସର ଅନ୍ୟତମ ପ୍ରତିଷ୍ଠାତା ଘନଶ୍ୟାମ ଢୋଲକିଆ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏବେ ସେ ତାଙ୍କର ସପ୍ତମ ପୁଅ ତଥା ୨୩ ବର୍ଷୀୟ ହୀରାଥ ଢୋଲକିଆଙ୍କୁ ମାସେ ପାଇଁ ହାଇଦ୍ରାବାଦ ପଠାଇ ଚର୍ଚ୍ଚାକୁ ଆସିଛନ୍ତି । ଏପରିକି ତାଙ୍କୁ ହାଇଦ୍ରାବାଦ ପଠାଯାଉଛି ବୋଲି ପୁଅ ହିରାଥ ଜାଣି ନଥିଲେ । ଘନଶ୍ୟାମ ପୁଅକୁ ଯିବାବେଳେ କେବଳ ୫୦୦ ଟଙ୍କା ଦେବା ସହିତ ଏକ ଲଫାପା ଭିତରେ ହାଇଦ୍ରାବାଦକୁ କଟାଯାଇଥିବା ଏକ ବିମାନ ଟିକଟ ଦେଇଥିଲେ । ଯିବାବେଳେ ତାଙ୍କୁ ମୋବାଇଲ ଫୋନ୍ ମଧ୍ୟ ଦିଆଯାଇ ନଥିଲା । ହିରାଥ ଜୁଲାଇ ୧୦ ତାରିଖରେ ହାଇଦ୍ରାବାଦରେ ପହଞ୍ଚିଥିଲେ ।

ହାଇଦ୍ରାବାଦରେ ପହଞ୍ଚିବା ପରେ ସେ ସାମସାବାଦ୍ ବିମାନ ବନ୍ଦରରୁ ସିକନ୍ଦରାବାଦ ବସରେ ଯାଇଥିଲେ । ମାସକ ମଧ୍ୟରେ ସେ ପ୍ରଥମେ ମ୍ୟାକଡୋନାଲ୍ଡର ଷ୍ଟୋରରେ କାର୍ଯ୍ୟ କରିବା ସହିତ ରାସ୍ତାପାର୍ଶ୍ୱରେ ବିକ୍ରି ହେଉଥିବା ଖାଦ୍ୟ ଖାଇଥିଲେ । ସେଠାରେ ସପ୍ତାହେ କାର୍ଯ୍ୟ କରିବା ପରେ ସେ ଏକ ମାର୍କେଟିଂ କମ୍ପାନିରେ ଡେଲିଭରି ବଏ୍ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ଜୋତା କମ୍ପାନି ଆଡିଡାସରେ ସେଲ୍ସମ୍ୟାନ୍ ଏବଂ ଜେଡ୍ ବ୍ଲୁ ସୋରୁମରେ କାର୍ଯ୍ୟ କରିଥିଲେ । ୪ ସପ୍ତାହରେ ୪ଟି ସଂସ୍ଥାରେ କାମ କରିଥିଲେ । ମାସ ଶେଷରେ ସେ ୫ ହଜାର ଟଙ୍କା ରୋଜଗାର କରିଥିଲେ । ସେ ସିକନ୍ଦରାବାଦରେ ମାସେ ପାଇଁ ଗୋଟିଏ ରୁମରେ ତାଙ୍କ ସହକର୍ମୀମାନଙ୍କ ସହିତ ରହିଥିଲେ ।

ତେବେ ଏହି ସମୟ ମଧ୍ୟରେ ସେ ତାଙ୍କର ପ୍ରକୃତ ପରିଚୟ କାହାରି ଆଗରେ ପ୍ରକାଶ କରି ନଥିଲେ । କିନ୍ତୁ ୩୦ ଦିନ ପରେ ହୀରାଥ କେଉଁଠି ଅଛନ୍ତି ସେ ନେଇ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ପରିବାର ଲୋକ ଆସି ହୀରାଥ ଯେଉଁସବୁ ସ୍ଥାନରେ କାମ କରୁଥିଲେ ତାହାକୁ ବୁଲି ଦେଖିଥିଲେ । ଏପରିକି ସେ ରହୁଥିବା ରୁମକୁ ମଧ୍ୟ ପରିବାର ସଦସ୍ୟମାନେ ଯାଇଥିଲେ । ଏହା ପୂର୍ବରୁ ଘନଶ୍ୟାମ ଢୋଲକିଆ ତାଙ୍କ ବଡ଼ପୁଅ ପିଣ୍ଟୁ ତୁଲସୀ ଭାଇ ଢୋଲକିଆଙ୍କୁ ସାଧାରଣ ଲୋକଙ୍କ ଭଳି ଜୀବନ ନିର୍ବାହ ପାଇଁ ବାହାରକୁ ପଠାଇଥିଲେ । ଏବେ ସେ କମ୍ପାନିର ସିଇଓ ଅଛନ୍ତି । ସେହିଭଳି ଗତବର୍ଷ ସେ ତାଙ୍କର ଅନ୍ୟ ଜଣେ ପୁଅକୁ ଏଭଳି ଢଙ୍ଗରେ କୋଚିକୁ ପଠାଇଥିଲେ ।