ପୁଣି ଏକ ଭାଇରସ୍ ଆକ୍ରମଣ ଆଶଙ୍କା : ଭାରତ ସରକାର ଲକି ରାନସମଓୟାର ନେଇ ସତର୍କ ସୂଚନା ଜାରି କଲେ

20

କେନ୍ଦ୍ର ସରକାର ନୂଆ କମ୍ପ୍ୟୁଟର ଭାଇରସ୍ ଲକି ରାନସମଓୟାରକୁ ନେଇ ଏବେ ଚିନ୍ତିତ ହୋଇ ପଡ଼ିଛନ୍ତି । ଏହି ଭାଇରସ୍ ଆପଣଙ୍କ କମ୍ପ୍ୟୁଟର ସିଷ୍ଟମକୁ ଲକ୍ କରି ପକାଇବ ଓ ଖୋଲିବା ପାଇଁ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଏହି ଭାଇରସ୍ କଲେକସନ୍ (ଅର୍ଥ) ଦାବି କରୁଛି । ଏଣୁ ଏହାର ଆକ୍ରମଣରୁ ସତର୍କ ରୁହନ୍ତୁ ବୋଲି ସରକାରୀ ସ୍ତରରେ ସଚେତନ ହେବାକୁ ପରାମର୍ଶ ଦିଆଯାଇଛି।

ଆପଣଙ୍କ ଇ-ମେଲ ଆଟାଚମେଣ୍ଟ ମାଧ୍ୟମରେ ଏହି ଭାଇରସ୍ ସିଷ୍ଟମ୍ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ଏଥିପ୍ରତି ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ଭାଇରସକୁ ସମଗ୍ର ଦେଶରେ ପ୍ରସାରଣ କରିବା ଲାଗି ପ୍ରାୟ ୨୩ ମିଲିୟନ୍ ମେସେଜ୍ ପଠାଇ ଦିଆଯାଇଛି ।

ମେ ମାସରେ ମହାରାଷ୍ଟ୍ର ସରକାର ଏହି ଭାଇରସ୍ ପାଇଁ କ୍ଷତିଗ୍ରସ୍ତ ହୋଇଥିଲେ । ଉକ୍ତ ରାଜ୍ୟର ସଚ୍ଚିବାଳୟରେ ପ୍ରାୟ ୧୫୦ଟି କମ୍ପ୍ୟୁଟର ହଠାତ୍ ଲକ୍ ହୋଇ ପଡିବା ପରେ ଘଟଣା ପଦାକୁ ଆସିଥିଲା । ଲକ୍ ହୋଇପଡିଥିବା ସିଷ୍ଟମରେ ରହିଥିବା କୌଣସି ଫାଇଲ ଖୋଲାଯାଇପାରିଲା ନାହିଁ । ଏହାକୁ ଖୋଲିବା ପାଇଁ ବିକଳ୍ପ ଭାବେ ପ୍ରୋଗ୍ରାମିଂ ମାଧ୍ୟମରେ ଅର୍ଥ ଦାବି କରାଯାଇଥିଲା, ଯାହାକି ଭାଇରସ୍ ଆକ୍ରମଣର ଫଳ ବୋଲି ସେ ସମୟରେ କୁହାଯାଇଥିଲା ।

ସୂଚନାଯୋଗ୍ୟ, ଗତ ମେ ମାସରେ ଭାରତର ସାଇବର ସୁରକ୍ଷା ଏଜେନ୍ସି ଶକ୍ତିଶାଳୀ ରାନସମଓୟାର ଭାଇରସ୍ ‘ଓ୍ଵାନାକ୍ରାଇ’ ବିରୋଧରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ସଚେତନ କରାଇଥିଲା ।