ବ୍ୟାଙ୍କର ସଂଚୟ ଖାତାରୁ ଅଧିକ ସୁଧ ଦେଉଛି ଡାକଘରର ଏହି ୫ଟି ସ୍କିମ୍

130

ଭବିଷ୍ୟତର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ଲୋକେ ସଂଚୟ ପାଇଁ ଅନେକ ପ୍ରକାର ନିବେଶ ଭଳି ବିକଳ୍ପମାନ ଚୟନ କରିଥାନ୍ତି । ଆଉ ଏଥିପାଇଁ ଲୋକେ ବ୍ୟାଙ୍କର ସେଭିଂ ଆକାଉଂଟକୁ ହିଁ ସୁରକ୍ଷିତ ଏବଂ ଭଲ ବୋଲି ବିଶ୍ୱାସ କରନ୍ତି । କାରଣ ନା ଏଥିରେ ସେମାନଙ୍କର ଟଙ୍କା ସୁରକ୍ଷିତ ରହିବା ସହିତ ଜମା ରଖିଥିବା ଟଙ୍କା ଉପରେ ସେମାନଙ୍କୁ ପାଖାପାଖି ୪ରୁ ୬ ପ୍ରତିଶତ ସୁଧ ମଧ୍ୟ ମିଳିଥାଏ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଡାକଘର ତଥା ପୋଷ୍ଟ ଅଫିସରେ ମଧ୍ୟ ଏଭଳି ଅନେକ ସ୍କିମ୍ ପ୍ରଚଳିତ ଆଉ ଏହି ସ୍କିମରେ ବ୍ୟାଙ୍କର ସେଭିଂ ଆକାଉଂଟଠାରୁ ବି ଅଧିକ ସୁଧ ମିଳିଥାଏ । ତେବେ ଚାଲନ୍ତୁ ନଜର ପକାଇବା ସେହି ସମସ୍ତ ଲାଭଜନକ ଯୋଜନାଗୁଡିକ ଉପରେ ।

ଡାକଘର ମାସିକ ସଂଚୟ ଆୟ(ଏମଆଇଏସ୍)

ଡାକଘରର ମାସିକ ଆୟ ଖାତା ଯୋଜନା ଏଭଳି ନିବେଶକମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ କି ନିଜର ମୂଳ ରାଶିର ନିବେଶ କରି ମାସିକ ହିସାବରେ ସୁଧ ପାଇବାକୁ ଚାହୁଁଛନ୍ତି । ଏହି ଯୋଜନା ଅବସର ପ୍ରାପ୍ତ କର୍ମଚାରୀ ଏବଂ ବରିଷ୍ଠ ନାଗରିକମାନଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ଅଟେ । ଏହି ଖାତାର ମାଚୁରିଟି ପିରିୟଡ (ନିର୍ଦ୍ଧାରିତ ସମୟ) ରହିଛି ପାଂଚ ବର୍ଷ । ଏଥିରେ ଖାତାଧାରକଙ୍କୁ ନିଜର ଜମା ରାଶି ଉପରେ ପ୍ରତିମାସ ସୁଧ ମିଳିଥାଏ । ବର୍ତ୍ତମାନ ସମୟରେ ଏହି ଯୋଜନାରେ ୭.୫୦ ପ୍ରତିଶତ ଦରରେ ସୁଧ ମିଳୁଛି । ଏହାକୁ ଉଭୟ ସିଙ୍ଗଲ କିମ୍ବା ଜଏଂଟ୍ ଖାତା ଭାବରେ ଆପଣ ଖୋଲି ପାରିବେ । ତେବେ ଦୁଇଟି ଯାଂକ ଜମା ଖାତାର ଜମା ରଖିବାର ଟଙ୍କାର ସୀମା ଭିନ୍ନ ଭିନ୍ନ ରହିଛି । ଯେପରିକି, ସିଙ୍ଗଲରେ ସର୍ବାଧିକ ନିବେଶ ରାଶି ୪.୫ ଲକ୍ଷ ରହିଥିବାବେଳେ ଜଏଂଟ୍ ଖାତାରେ ଆପଣ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖିପାରିବେ ।

ପବ୍ଲିକ ପ୍ରୋଭିଡେଂଟ୍ ଫଣ୍ଡ (ପିପିଏଫ)

ପିପିଏଫ ଆକାଉଂଟ ଉଭୟ ବେତନଭୋଗୀ ଏବଂ ବ୍ୟବସାୟୀମାନଙ୍କ ପାଇଁ ଉଦ୍ଦିଷ୍ଟ । ଏଥିରେ ଗୋଟିଏ ବଜେଟ୍ ବର୍ଷ ମଧ୍ୟରେ ସର୍ବାଧିକ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରାଯିବା ଉପରେ ରିହାତି ଲାଭ ମିଳିଥାଏ । ଏଥିରେ ଆପଣ ଏକମୁସନ କିମ୍ବା ୧୨ କିସ୍ତି ଆଧାରରରେ ଟଙ୍କା ଜମା ରଖିପାରିବେ । ଏହି ଆକାଉଂଟକୁ ଉଭୟ ପିଲା ଏବଂ ବରିଷ୍ଠ ଲୋକମାନେ ମଧ୍ୟ ଖୋଲି ପାରିବେ । ଏହାର ମାଚୁରିଟି ପିରିୟଡ ୧୫ ବର୍ଷ ରହିଛି । ଏଥିରେ ଆପଣଙ୍କ ଜମା ଟଙ୍କା ଉପରେ ପାଖାପାଖି ୭.୯ ପ୍ରତିଶତ ସୁଧ ମିଳିଥାଏ ।

ରାଷ୍ଟ୍ରୀୟ ସଂଚୟ ପତ୍ର (ଏନଏସସି)

ଯଦି ଆପଣ ସୁରକ୍ଷିତ ନିବେଶ ସହିତ ଏକ ଭଲ ରିଟର୍ନ ବି ଚାହୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ସ୍କିମଟିକୁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । କାରଣ ଏହି ଯୋଜନାକୁ ସରକାରୀ କର୍ମଚାରୀ, ବ୍ୟବସାୟୀ ଏବଂ କର ପରିଶୋଧ କରୁଥିବା ଅନ୍ୟ ବେତନଭୋଗୀମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜାରି କରାଯାଇଛି । ଏଥିରେ ନିବେଶ କରିବାର କୌଣସି ସୀମା ରଖାଯାଇନାହିଁ । ଏହା ଉପରେ ଟିଡିଏସ କଟାଯାଇ ନଥାଏ । ଟ୍ରଷ୍ଟ ଏବଂ ଏଚୟୁଏଏଫ ଏଥିରେ ନିଜର ଟଙ୍କା ନିବେଶ କରିପାରିବେ ନାହିଁ । ଏଥିରେ ଜମା ରାଶି ଉପରେ ୭.୯ ପ୍ରତିଶତ ସୁଧ ମିଳିଥାଏ । ଏଥିରେ ଜମା ଉପରେ ଆୟକର ବିଭାଗର ଅଧିନିୟମ ୮୦ସି ଆଧାରରେ ରିହାତି ମଧ୍ୟ ମିଳିଥାଏ ।

ପାଂଚ ବର୍ଷୀୟ ଜମା ଖାତା

ଏହା ମଧ୍ୟ ନିବେଶ କରିବା ପାଇଁ ଏକ ଉତ୍ତମ ଯୋଜନା । ଏଥିରେ ଆପଣଙ୍କର ଟଙ୍କା ପାଂଚ ବର୍ଷ ଯାଏଁ ଜମା ରଖିପାରିବେ । ଏହି ଖାତାରେ ଉପରେ ମିଳିଥାଏ ୭.୯ ପ୍ରତିଶତ ସୁଧ । ଏଥିସହିତ ଏହି ସଂଚୟ ଯୋଜନାରେ ଏକ ବର୍ଷ ପରେ ୫୦ ପ୍ରତିଶତ ରକମ ଉଠାଇବାର ବ୍ୟବସ୍ଥା ମଧ୍ୟ ରହିଛି ।

ଡାକଘର ସ୍ଥାୟୀ ଜମା ଖାତା/ପୋଷ୍ଟ ଅଫିସ ଫିକ୍ସଡ ଡିପୋଜିଟ୍ ଆକାଉଂଟ

ଡାକଘର ସ୍ଥାୟୀ ଜମା ଖାତା ମଧ୍ୟ ନିବେଶ କରିବାର ଏକ ଲାଭଜନକ ମାଧ୍ୟମ ଅଟେ । ଯେଉଁଥିରେ ଆପଣଙ୍କୁ ୬.୮ରୁ ୭.୬ ପ୍ରତିଶତ ମୂଲ୍ୟରେ ସୁଧ ମିଳିଥାଏ । ଏହି ସୁଧ ଦର ଆପଣଙ୍କୁ ପାଂଚ ବର୍ଷୀୟ ଖାତା ଉପରେ ମିଳିଥାଏ । ଏହି ଖାତା ବ୍ୟକ୍ତିଗତ ଆଧାରରେ ଖୋଲାଯାଇ ପାରିବ । ସ୍ଥାୟୀ ଜମା ଖାତା ଉପରେ ଆୟକର ଅଧିନିୟମ ଧାରା ୮୦ସି ଆଧାରରେ ଆୟକରରୁ ରିହାତି ମିଳିଥାଏ ।

ବରିଷ୍ଠ ନାଗରିକ ସଂଚୟ ଖାତା(ଏସସିଏସଏସ୍)

ଏହି ସଂଚୟ ଯୋଜନା ବିଶେଷ କରି ୬୦ ବର୍ଷରୁ ଅଧିକ ବୟସ ଥିବା ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ । ୫୫ ବର୍ଷରୁ ୬୦ ବର୍ଷ ବୟସ ମଧ୍ୟରେ ଅବସରପ୍ରାପ୍ତ ବ୍ୟକ୍ତିବିଶେଷ କିମ୍ବା ସ୍ୱଇଚ୍ଛାରେ କାର୍ଯ୍ୟରୁ ଅବସର ନେଇଥିବା ବ୍ୟକ୍ତିବିଶେଷ ମଧ୍ୟ ଅବସର ନେବାର ୩ମାସ ପୂର୍ବରୁ ଏହି ଖାତା ଖୋଲି ପାରିବେ । ଏକ ହଜାର ଟଙ୍କାରୁ ଏହି ଖାତା ଖୋଲାଯାଇ ପାରିବ । ଏଥିରେ ସର୍ବାଧିକ ନିବେଶ କରିବାର ଅର୍ଥ ରାଶି ୧୫ ଲକ୍ଷ ଟଙ୍କା ରହିଛି । ଏହି ଆକାଉଂଟର ମାଚ୍ୟୁରିଟି ପରିୟଡ ପାଂଚ ବର୍ଷ ରହିଛି । ଏହି ଖାତାକୁ ଆପଣ ନିଜ ପତ୍ନୀଙ୍କ ସହିତ ମଧ୍ୟ ଜଏଂଟ ଆକାଉଂଟ ରୂପରେ ଖୋଲି ପାରିବେ । ଏଥିରେ ୮.୫ ପ୍ରତିଶତ ସୁଧ ମିଳିଥାଏ ।

ସୌଜନ୍ୟ- ଦୈନିକ ଜାଗରଣ