ବିରାଟଙ୍କୁ ନେଇ ଆସିଲା ରୋଚକ ତଥ୍ୟ । ମାଂସାହାର ତ୍ୟାଗ କରିବାରୁ ଉନ୍ନତ ହେଲା ପ୍ରଦର୍ଶନ । ଦୁଗ୍ଧଜାତ ଦ୍ରବ୍ୟ ବି ଛୁଁ ନାହାନ୍ତି କୋହଲି

59

କନକ ବ୍ୟୁରୋ: ମାଂସାହାର ତ୍ୟାଗ କରିବାରୁ ଉନ୍ନତ ହେଲା ବିରାଟ କୋହଲିଙ୍କ ପ୍ରଦର୍ଶନ । ଏଭଳି କିଛି ରୋଚକ ତଥ୍ୟ ଆଜି କ୍ରିକେଟପ୍ରେମୀଙ୍କୁ ଚକିତ କରିଛି । ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ କ୍ୟାପଟେନ୍ କୋହଲି ଗତ ୪ ମାସ ହେଲା ଶାକାହାର ଗ୍ରହଣ କରୁଛନ୍ତି । ମାଛ, ମାଂସ, ଅଣ୍ଡା ଏପରିକି ଜୀବରୁ ମିଳୁଥିବା ପ୍ରୋଟିନ୍ ବା ଦୁଗ୍ଧଜାତ ଦ୍ରବ୍ୟ ମଧ୍ୟ ଗ୍ରହଣ କରୁନାହାନ୍ତି ବିରାଟ୍ ।

ଏକଦା ବିରିଆନୀ ପ୍ରତି ପ୍ରବଳ ଦୁର୍ବଳତା ଥିବା ବିରାଟଙ୍କର ଖାଦ୍ୟ ତାଲିକାରେ ଏବେ ରହିଛି ପ୍ରୋଟିନ୍ ସେକ୍, ପ୍ରଚୁର ପରିମାଣର ପନିପରିବା ଓ ସୋୟାବିନ୍ । ଶାକାହାର ଗ୍ରହଣ ଦ୍ୱାରା ତାଙ୍କ ହଜମ ଶକ୍ତି ବଢ଼ିଥିବା ବିରାଟ୍ କହିଛନ୍ତି । ଅନ୍ୟପଟେ ଏହାର ସୁଫଳ ତାଙ୍କ ପ୍ରଦର୍ଶନ ଉପରେ ପଡ଼ିଥିବା ସେ କହିଛନ୍ତି । ଶାକାହାରୀ ହେବା ଦ୍ୱାରା ସେ ପୂର୍ବଠାରୁ ଶକ୍ତିଶାଳୀ ଓ ତାଜା ଅନୁଭବ କରୁଥିବା ବିରାଟ୍ କହିଛନ୍ତି ।

ସେପଟେ ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଇତିମଧ୍ୟରେ ଶାକାହାରୀ ହୋଇଛନ୍ତି । ଶାକାହାର ଗ୍ରହଣ କରୁଥିବା ପ୍ରସିଦ୍ଧ ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି ଟେନିସ୍ ତାରକା ଭେନସ୍ ୱିଲିୟମ୍ସ ଓ ସେରେନା ୱିଲିୟମ୍ସ, ଫୁଟବଲ ତାରକା ଲିଓନେଲ୍ ମେସି, ପୂର୍ବତନ ଆଥଲେଟ୍ କାର୍ଲ ଲୁଇସ୍ ତଥା ଫର୍ମୁଲା ୱାନ୍ ଚମ୍ପିୟନ ଲୁଇସ୍ ହାମିଲଟନ୍ । ଏବେ ଏହି କ୍ଲବରେ ସାମିଲ୍ ହୋଇଛନ୍ତି କ୍ୟାପଟେନ୍ ବିରାଟ୍ କୋହଲି ।