ଅବଦୁଲ କଲାମ ପ୍ଲାନେଟୋରିୟମରେ ରେକର୍ଡ । ଛୁଟିଦିନରେ ଛୁଟିଲା ଦର୍ଶକଙ୍କ ସୁଅ । ୨୪ଟି ସୋ’ ଦେଖିଲେ ୩୩୨୦ ଦର୍ଶକ

138

ଚଳିତ ବର୍ଷ ସେପ୍ଟେମ୍ବର ୨୩ରେ ଉଦଘାଟିତ ରାଜ୍ୟର ଦ୍ୱିତୀୟ ତଥା ପଶ୍ଚିମ ଓଡିଶାର ପ୍ରଥମ ବୁର୍ଲା ସ୍ଥିତ ଡ. ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମରେ ଦର୍ଶକଙ୍କ ସଂଖ୍ୟା ଜମୁଛି ।

ପିକନିକ ସମୟ ଆରମ୍ଭ ହୋଇଥିବାରୁ ଗତକାଲି ରବିବାରରେ ସଂଖ୍ୟକ ସଂଖ୍ୟକ ଦର୍ଶକ ଦେଖିବାକୁ ମିଳିଥିଲା । ଯାହାକି ରେକର୍ଡ ସୃଷ୍ଟି କରିଛି । ପ୍ଲାନେଟୋରିୟମ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ୩୩୨୦ ଜଣ ଦର୍ଶକ ପ୍ଲାନେଟୋରିୟମର ମଜା ନେଇଥିଲେ । କର୍ତ୍ତୃପକ୍ଷଙ୍କ ଦ୍ୱାରା ମାରାଥନ ସହିତ ୨୪ଟି ବିଭିନ୍ନ ସୋ’ର ଆୟୋଜନ କରାଯାଇଥିବା ବେଳେ ହଜାର ହଜାର ଦର୍ଶକ ଏଥିରେ ଝୁମିଥିଲେ । ଦର୍ଶକଙ୍କଠାରୁ ୬୧,୭୩୫ ଟଙ୍କା ଆଦାୟ କରାଯାଇଥିଲା ଯାହା ମଧ୍ୟ ଏକ ରେକର୍ଡ ।

ସେହିପରି ସେଠାରେ ଥିବା ବିଜ୍ଞାନ ପାର୍କରେ ମଧ୍ୟ ଦର୍ଶକଙ୍କ ଆସର ଜମିଥିଲା । ସୂଚନା ଅନୁସାରେ, ରବିବାର ଦିନ ୫୪୦୦ ଜଣ ଦର୍ଶକ ପାର୍କ ବୁଲି ଦେଖିଥିଲେ ଓ ପାଖାପାଖି ୫୪୦୦ ଟଙ୍କା ଆଦାୟ କରାଯାଇଥିବା ନେଇ ପାର୍କ କର୍ତ୍ତୃପକ୍ଷ କହିଛନ୍ତି । ଅତ୍ୟାଧୂନିକ ହାଇବ୍ରିଡ ପ୍ରଜୁକ୍ତି ନିର୍ମିତ ଏହି ପ୍ଲାନେଟୋରିୟମରେ ଏକକାଳିନ ୧୪୨ଜଣ ଦର୍ଶକ ବସି ସୋ’ ଗୁଡିକର ମଜା ନେଇପାରିବେ ।

ଆଇଡିସିଓ ଦ୍ୱାରା ୫.୬୦ କୋଟି ଟଙ୍କାରେ ନିର୍ମିତ ଏହି ପ୍ଲାନେଟୋରିୟମ ଭୁବନେଶ୍ୱର ସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ ପରେ ରାଜ୍ୟର ଦ୍ୱିତୀୟ ପ୍ଲାନେଟୋରିୟମ । ଏଠାରେ ମହାକାଶ ବିଜ୍ଞାନ ଓ ଜ୍ୟୋତିଷ ଶାସ୍ତ୍ର ଉପରେ ଅନେକ ଉପକରଣ ଓ ବିଭିନ୍ନ ସୋ’ର ମଜା ନେବା ପାଇଁ ଲୋକଙ୍କ ମଧ୍ୟରେ ବହୁ ଉତ୍କଣ୍ଠା ଦେଖିବାକୁ ମିଳୁଛି । ସେହିପରି ବିଜ୍ଞାନ ପାର୍କରେ ପ୍ରସିଦ୍ଧ ବୈଜ୍ଞାନିକ ନିଉଟନଙ୍କ ତୃତୀୟ ନିୟମ, କେପ୍ଲରଙ୍କ ଗ୍ରହ ଓ ମାଧ୍ୟାକର୍ଷଣ ନିୟମ ଉପରେ ଆଧାରିତ ଅନେକ ପ୍ରକଳ୍ପ ଓ ନମୁନା ସବୁ ଦେଖିବାକୁ ପାଉଛନ୍ତି ଦର୍ଶକ ।