ଜିଏସଟି ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବେ ଅଧିକାରୀ

35

ଜିଏସଟି ଆଇନରେ ଥିବା ଆଂଟି ପ୍ରଫିଟିୟରିଂ ବା ମୁନାଫା ନିରୋଧୀ ଆଇନକୁ ଉଲ୍ଲଂଘନ କରୁଥିବା ବ୍ୟବସାୟୀଙ୍କୁ ଧରିବା ପାଇଁ ଦେଶରେ ବଡ଼ ସହରଠାରୁ ଆରମ୍ଭ କରି ଛୋଟ ସହର ପର୍ଯ୍ୟନ୍ତ ସବୁଆଡେ ୨୦୦ରୁ ଅଧିକ ବରିଷ୍ଠ ଅଧିକାରୀ ବୁଲୁଛନ୍ତି । ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ହେଉଛି କି ନାହିଁ ତାହାକୁ ମଧ୍ୟ ଏହି ଅଧିକାରୀମାନେ ତଦାରଖ କରୁଛନ୍ତି । କେଉଁଠାରେ କେଉଁ ସାମଗ୍ରୀର ମୂଲ୍ୟ କେତେ ରହୁଛି ତାହା ନିଜେ ଅବଗତ ହେବା ସହିତ କେନ୍ଦ୍ର ସରକାରଙ୍କୁ ତାହାର ରିପୋର୍ଟ ମଧ୍ୟ ପଠାଉଛନ୍ତି ।

ଜିଏସଟିର ଲାଭ ଅନେକ ବ୍ୟବସାୟୀ ଗ୍ରାହକମାନଙ୍କୁ ପ୍ରଦାନ କରୁନାହାନ୍ତି ବୋଲି ଅଭିଯୋଗମାନ ସରକାରଙ୍କ ନିକଟରେ ପହଞ୍ଚୁଛି । ଆଂଟି ପ୍ରଫିଟିୟରିଂ ବା ମୁନାଫା ନିରୋଧୀ ନିୟମ ପାଳନ ହେଉଛି କି ନାହିଁ ତାହାର ରିପୋର୍ଟ ପଠାଇବା ଲାଗି ଅଧିକାରୀମାନଙ୍କୁ ସରକାର କହିଛନ୍ତି । ସେହିଭଳି ଯଦି କେଉଁଠାରେ ମୂଲ୍ୟ ବୃଦ୍ଧି ଅଧିକ ରହିଛି ତାହାର ରିପୋର୍ଟ ମଧ୍ୟ ଦେବାକୁ ସରକାରୀ ଅଧିକାରୀମାନଙ୍କୁ କୁହାଯାଇଛି ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ।

କେନ୍ଦ୍ର ସରକାରଙ୍କ କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଜୁଲାଇ ୪ ତାରିଖରେ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଏଥିରେ ହୋଟେଲ ଏବଂ ଦୋକାନୀମାନେ ଗ୍ରାହକଙ୍କୁ ଜିଏସଟିର ଲାଭ ପ୍ରଦାନ କରୁଛନ୍ତି କି ନାହିଁ ତାହାର ତଦାରଖ କରିବା ଲାଗି ବରିଷ୍ଠ ଅଧିକାରୀମାନଙ୍କୁ କୁହାଯାଇଛି । ଅଧିକାରୀମାନେ ପ୍ରାରମ୍ଭିକ ପର୍ୟ୍ୟାୟରେ ଜାଣିବାକୁ ପାଇଛନ୍ତି ଯେ ଅନେକ କମ୍ପାନି ଏବଂ ଖୁଚୁରା ବିକ୍ରେତା ଟିକସ ଫାଙ୍କିବା ପାଇଁ କେତେକ ଫନ୍ଦିଫିକର କରୁଛନ୍ତି । ଏ ସମ୍ପର୍କରେ ସେମାନେ ସରକାରଙ୍କୁ ରିପୋର୍ଟ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ଖାଦ୍ୟ ଏବଂ ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍ଆର୍ପି) ନେଇ ନିୟମ ପ୍ରସ୍ତୁତ କରାଯାଇଛି । ଏମଆରପି ବୃଦ୍ଧି କରିଲେ ନିର୍ମାତାମାନଙ୍କୁ ଖବରକାଗଜରେ ବିଜ୍ଞାପନ ଦେଇ ଗ୍ରାହକଙ୍କୁ ଅବଗତ କରାଇବାର ବ୍ୟବସ୍ଥା ହୋଇଛି । ମୂଲ୍ୟ କମିଲେ ଯଦିଓ ବିଜ୍ଞାପନ ଦେବାର ଆବଶ୍ୟକତା ନାହିଁ ତଥାପି ଉଭୟ ମୂଲ୍ୟ ବୃଦ୍ଧି ଏବଂ ମୂଲ୍ୟ ହ୍ରାସ କ୍ଷେତ୍ରରେ ସାମଗ୍ରୀ ଉପରେ ପୁରୁଣା ଏମଆରପି ସହିତ ସଂଶୋଧିତ ଏମଆରପି ସ୍ପଷ୍ଟ ଭାବେ ଲେଖିବାକୁ କୁହାଯାଇଛି । ଆଇନ ଉଲ୍ଲଂଘନ କରିଲେ ଜରିମାନା ସହିତ ଜେଲଦଣ୍ଡ ଭୋଗିବାର ବ୍ୟବସ୍ଥା ରହିଛି ।