ଏଣିକି ନାମର ବନାନ ସଂଶୋଧନ ପାଇଁ ଏୟାରଲାଇନ ନେବ ନାହିଁ କୌଣସି ଚାର୍ଜ

34

ବେଳେ ବେଳେ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଟିକେଟରେ ସେମାନଙ୍କ ନାମର ବନାନ ଭୁଲ୍ ରହିଯାଇ ଥାଏ । ତାହାକୁ ସଂଶୋଧନ କରିବା ପାଇଁ ଯାତ୍ରୀମାନଙ୍କୁ ଦେୟ ଦେବାକୁ ପଡ଼ିଥାଏ । ଏଣିକି ଏୟାରଲାଇନ୍ ଯାତ୍ରୀମାନେ ଆଉ ସେପରି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ଯାତ୍ରୀମାନଙ୍କ ସୁବିଧାକୁ ଲକ୍ଷ କରି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗଜପତି ରାଜୁ ଗୁରୁବାର ଏକ ଘୋଷଣା କରିଛନ୍ତି । ସେ ସ୍ପଷ୍ଟ ଭାବେ ଘୋଷଣା କରିଛନ୍ତି ଯେ ଯାତ୍ରୀମାନଙ୍କ ଟିକେଟରେ ନାମର ବନାନ ଭୁଲ୍ ରହି ଯାଇଥିଲେ ତାହାକୁ ସଂଶୋଧନ କରିବା ପାଇଁ ଏୟାରଲାଇନ୍ ଅତିରିକ୍ତ ଅର୍ଥ ଦାବି କରିପାରିବ ନାହିଁ ।

ଏୟାରଲାଇନ୍ ବିରୋଧରେ ଅନେକ ଯାତ୍ରୀ ଅଭିଯୋଗ କରିବା ପରେ ମନ୍ତ୍ରୀ ରାଜୁ ଏପରି ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କରେ ମନ୍ତ୍ରୀ ଗଜପତି ରାଜୁ ନିଜ ଟୁଇଟର ପେଜରେ ଉଲ୍ଲେଖ କରିଛନ୍ତି । ସେ ଜଣାଇଛନ୍ତି କି ଅଧିକାଂଶ ଛୋଟ ସହରର ଲୋକେ ସେମାନଙ୍କ ଟିକେଟ୍ ଟ୍ରାଭେଲ୍ ଏଜେଣ୍ଟ ଜରିଆରେ କରାଇଥାନ୍ତି । ଏହି ଛୋଟ ଛୋଟ ଭୁଲ୍ ଏଜେଣ୍ଟମାନଙ୍କ ଦ୍ୱାରା ଘଟିଥାଏ । କେତେକ ଯାତ୍ରୀ ନିରକ୍ଷର ମଧ୍ୟ ହୋଇଥାନ୍ତି ବୋଲି ସେ ମତ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, କେତେକ ବିଦେଶୀ ଏୟାରଲାଇନ୍ ନାମ ସଂଶୋଧନ କରିବା ପାଇଁ ଗୁଡ଼ାଏ ଟଙ୍କା ଦାବି କରୁଥିବା ବେଳେ ଅନ୍ୟ କେତେକ ଏୟାରଲାଇନ୍ ଏହାକୁ ପୁଣି ଥରେ ସଂଶୋଧନ କରିବା ପାଇଁ ଯାତ୍ରୀମାନଙ୍କୁ ୨୪ ଘଣ୍ଟା ସମୟ ଦେଇଥାନ୍ତି ।