ମୃତ୍ୟୁ ପଂଜୀକରଣ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ! ଚିହ୍ନଟ ଜାଲିଆତି ରୋକିବାକୁ ଗୃହ ମନ୍ତ୍ରାଳୟର ନିଷ୍ପତ୍ତି

28

ମୃତ୍ୟୁ ପଂଜିକରଣ ବେଳେ ଚିହ୍ନଟ ଜାଲିଆତି ରୋକିବାପାଇଁ ଗୃହ ମନ୍ତ୍ରାଳୟ ଆଧାର ନମ୍ବର ବ୍ୟବହାରକୁ ବାଧ୍ୟତାମୂଳକ କରିଛି । ମୃତ୍ୟୁ ପ୍ରମାଣପତ୍ର ପାଇବାପାଇଁ ଆବେଦନବେଳେ ସଂପୃକ୍ତ ବ୍ୟକ୍ତିଙ୍କ ଆଧାର କାର୍ଡ ନମ୍ବର ଉଲ୍ଲେଖ କରାଯିବାକୁ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ (ଆଇଜିଆର) ନିର୍ଦ୍ଦେଶ ଦେଇଛନ୍ତି । ଏହି ନୂଆ ନିୟମ ଆସନ୍ତା ଅକ୍ଟୋବର ୧ରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ । ତେବେ ଜମ୍ମୁ-କାଶ୍ମୀର, ଆସାମ,ମେଘାଳୟ ରାଜ୍ୟକୁ ଏହି ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି ।

ଆରଜିଆଇ କହିଛନ୍ତି ଯେ, ଆଧାର ନମ୍ବର ବ୍ୟବହାର ଦ୍ୱାରା ଏକାଧିକ ପ୍ରମାଣପତ୍ର ଦେବାର ଆବଶ୍ୟକତା ଉପୁଜିବ ନାହିଁ । ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ନଥିଲେ ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ଆବେଦନବେଳେ ଆବେଦନକାରୀଙ୍କୁ ଏକ ଘୋଷଣାନାମା ଦେବାକୁ ପଡିବ ।

ଏକ୍ଷେତ୍ରରେ ଆବେଦନକାରୀକୁ ନିଜର ଓ ମୃତକଙ୍କ ପତି/ପତ୍ନୀ ବା ପିତାମାତାଙ୍କ ଆଧାର କାର୍ଡ ନମ୍ବର ଉଲ୍ଲେଖ କରିବାକୁ ହେବ । ତେବେ ସେ ମିଛ ଘୋଷଣାନାମା ଦେଇଥିବା ପ୍ରମାଣିତ ହେଲେ ଆଧାର ଆଇନ ଅନୁସାରେ, ଏହା ଦଣ୍ଡନୀୟ ଅପରାଧ ହୋଇଥିବାରୁ ଆବେଦନକାରୀକୁ ଏକ ବର୍ଷ ପର୍ଯ୍ୟନ୍ତ ଜେଲ୍ ବା ୨୫ ହଜାର ଟଙ୍କା ଜରିମାନା ବା ଉଭୟ ଦଣ୍ଡ ଭୋଗିବାକୁ ପଡିବ ।