ଦୃଢ ଇଚ୍ଛାଶକ୍ତି ଆଗରେ ହାର୍ ମାନିଲା ଦାରିଦ୍ର୍ୟତା ! ଜଣେ ସିକ୍ୟୁରିଟି ଗାର୍ଡଙ୍କ ପୁଅ ଏବେ ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ଅଲରାଉଣ୍ଡର

32

ଭାରତୀୟ କ୍ରିକେଟ୍ ଦଳରେ ନୂଆ ମ୍ୟାଚ୍ ବିଜେତା ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ତଥା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ନାଁ ଆପଣ ଶୁଣିଥିବେ । କାରଣ ଜାଡେଜା ଏବେ ବିଶ୍ୱର ଏକ ନମ୍ବର ଟେଷ୍ଟ୍ ବୋଲରର ମାନ୍ୟତା ଲାଭ କରିଛନ୍ତି । ଅଷ୍ଟ୍ରେଲିଆ ବିରୋଧରେ ୨ଟି ଟେଷ୍ଟ୍ ମ୍ୟାଚରେ ସେ ୧୨ଟି ଓି୍ୱକେଟ ନେଇସାରିଲେଣି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ତାରକା ଜଣେ ସିକ୍ୟୁରିଟି ଗାର୍ଡଙ୍କ ପୁଅ । ମାତ୍ର ନିଜର କଠିନ ପରିଶ୍ରମ ବଳରେ ସେ ଆଜି ପାଲଟିଯାଇଛନ୍ତି କୋଟିପତି । ତେବେ ଆସନ୍ତୁ ଜାଣିବା ରବିନ୍ଦ୍ର ଜାଡେଜାଙ୍କ ସଂପର୍କରେ ଅଧିକ ସୂଚନା ।

ଏକ ମିଡିଲ କ୍ଲାସ ଫ୍ୟାମିଲିରୁ ଆସିଥିବା ଜାଡେଜା ଏବେ ଜଣେ କ୍ରିକେଟ୍ ତାରକା । ଜାଡେଜାଙ୍କ ପାଖରେ ଏବେ ଦୁଇ ଦୁଇଟି ଦାମୀ ଅଡି କାର୍ ମଧ୍ୟ ରହିଛି । ତେବେ ଜାଡେଜାଙ୍କ ଜନ୍ମ ଗୁଜୁରାଟର ଏକ ଛୋଟ ଗାଁ ନଭାଗାମରେ । ତାଙ୍କ ବାପା ଜଣେ ଘରୋଇ କଂପାନୀର ସୁରକ୍ଷାକର୍ମୀ ଥିଲେ । ଏବଂ ତାଙ୍କ ମାଆ ଜଣେ ନର୍ସ ଭାବେ କାମକରୁଥିଲେ । ୨୦୦୫ରେ ଜାଡେଜାଙ୍କ ମାଆଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏଥିରେ ସେ ଏତେମାତ୍ରାରେ ଭାଙ୍ଗି ପଡି ଥିଲେ କି କ୍ରିକେଟ୍ ଛାଡିବାକୁ ଏକପ୍ରକାରରେ ନିଷ୍ପତି ମଧ୍ୟ ନେଇଯାଇଥିଲେ । ତେବେ ପରିବାରବର୍ଗଙ୍କ ବୁଝାଇବା କ୍ରମେ ସେ ପୁଣି କ୍ରିକେଟ ମୈଦାନକୁ ଫେରିଥିଲେ ।

ଏଠାରେ ଆମେ କହି ରଖୁଛୁ କି, ଜାଡେଜାଙ୍କୁ ପ୍ରଥମ କରି ୨୦୦୨ରେ ସୌରାଷ୍ଟ୍ରର ୧୪ ବର୍ଷରୁ କମ ଦଳରେ ଖେଳିବାକୁ ସୁଯୋଗ ମିଳିଥିଲା । ମହାରାଷ୍ଟ୍ର ବିରୋଧରେ ଏହି ମ୍ୟାଚରେ ସେ ୮୭ ରନ କରିବା ସହିତ ୪ଟି ଓି୍ୱକେଟ ନେଇଥିଲେ । ଭଲ ପ୍ରଦର୍ଶନ କାରଣରୁ ସେ ୨୦୦୫ରେ ୧୯ ବର୍ଷରୁ କମ୍ ବିଶ୍ୱକପ ଲାଗି ଭାରତୀୟ ଦଳରେ ସାମିଲ ହୋଇଥିଲେ । ଏହାପରେ ସେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିବାରେ ଲାଗିଥିଲେ । ଏବଂ ଆଜି ସେ ପାଲଟିଯାଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ।