ଜମା କରିବାକୁ ହେବ ମାତ୍ର ୫୫ଟଙ୍କା। ବଦଳରେ ମାସିକ ୩୦୦୦ ଟଙ୍କା ପେନସନ୍ ସୁନିଶ୍ଚିତ କରିବେ ସରକାର

ଘୋଷଣା ହେଲା ପ୍ରଧାନମନ୍ତ୍ରୀ ଶ୍ରମଜୀବୀ ମାନଧନ ଯୋଜନା

702

ମୋଦି ସରକାର ଅନ୍ତରୀଣ ବଜେଟରେ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କୁ ୩ ହଜାର ଟଙ୍କାର ମାସିକ ପେନସନ ଦେବାକୁ ଘୋଷଣା କରିଛନ୍ତି । କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ବଜେଟ୍ ଅଭିଭାଷଣରେ ‘ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ’ ନାମକ ବିଶାଳ ପେନସନ୍ ଯୋଜନା ଦ୍ୱାରା ଅସଂଗଠିତ କ୍ଷେତ୍ରରେ କାର‌୍ୟ୍ୟ କରୁଥିବା ଶ୍ରମିକମାନଙ୍କୁ ୬୦ ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କା ପେନସନ୍ ସୁନିଶ୍ଚିତ ମିଳିବା ନେଇ ଘୋଷଣା କରିଛନ୍ତି। ଏଥିପାଇଁ ୨୯ ବର୍ଷ ବୟସରୁ ଅଧିକ ବୟସର ଶ୍ରମିକଙ୍କୁ ମାସିକ ୧୦୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ୧୮ ବର୍ଷ ବୟସ ଶ୍ରମିକଙ୍କୁ ମାତ୍ର ୫୫ ଟଙ୍କା ଜମା କରିବାକୁ ପଡିବ । ତେବେ ସରକାର ନିଜ ତରଫରୁ ସେତିକି ହିଁ ରକମ ଖାତାଧାରକଙ୍କ ଖାତାରେ ଜମାକରିବେ । ଏବଂ ୬୦ ବର୍ଷ ବୟସ ପରେ ସେମାନଙ୍କୁ ପ୍ରତିମାସ ୩ ହଜାର ଟଙ୍କାର ପେନସନ ମିଳିବ ।

ଏହି ଯୋଜନା ଦ୍ୱାରା ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ପାଖାପାଖି ୧୦ କୋଟି ଶ୍ରମିକଙ୍କୁ ଫାଇଦା ମିଳିବ । ଖାଲି ଏତିକି ନୁହେଁ ଏହା ଆଗାମୀ ୫ ବର୍ଷରେ ସବୁଠାରୁ ବଡ ପେନସନ ଯୋଜନା ହେବ ବୋଲି ମନ୍ତ୍ରୀ କହିଛନ୍ତି । ଅର୍ଥମନ୍ତ୍ରୀ ଏହି ଯୋଜନା ପାଇଁ ୫ଶହ କୋଟି ଟଙ୍କାର ଆବଂଟନ ବଜେଟରେ କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି କି ଆବଶ୍ୟକତା ପଡିଲେ ଏହି ଯୋଜନାରେ ଆହୁରୀ ଅଧିକ ଫଣ୍ଡ ଦିଆଯାଇପାରେ । ତେବେ ଏହି ଯୋଜନାକୁ ଚଳିତ ବର୍ଷରୁ ହିଁ ଲାଗୁ କରିଦିଆଯିବ ।

 

ପ୍ରଭାରୀ ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ବଜେଟ୍ ଅଭିଭାଷଣରେ ଗତ ୫ ବର୍ଷ ଭିତରେ ମୋଦି ସରକାରଙ୍କ ଦ୍ୱାରା କରାଯାଇଥିବା ସମସ୍ତ କାର୍ଯ୍ୟର ପୂରା ବିବରଣୀ ମଧ୍ୟ ଉପସ୍ଥାପନା କରିଥିଲେ । ଏହି ଅବସରରେ ସେ କହିଛନ୍ତି କି, ମୋଦି ସରକାର ଏହି ନୂଆ ପନେସନ ଯୋଜନାକୁ ପୂର୍ବପେକ୍ଷା ଆହୁରୀ ଅଧିକ ସୁବିଧାଜନକ କରିଛନ୍ତି । ସେ କହିଛନ୍ତି କି, ଏନପିଏଲରେ କର୍ମଚାରୀମାନର ଅଂଶଦାନକୁ ୧୦ ପ୍ରତିଶତ କାଏମ ରଖିବାକୁ ଯାଇ ସରକାରୀ ଅଂଶଦାନକୁ ୪ ପ୍ରତିଶତ ବୃଦ୍ଧି କରି ୧୪ ପ୍ରତିଶତ କରିଦେଇଛନ୍ତି । ଗୋଏଲ କହିଛନ୍ତି କି ଶ୍ରମିକଙ୍କୁ ମିଳିବାକୁ ଥିବା ବୋନସର ସର୍ବାଧିକ ସୀମାକୁ ବି ୩୫୦୦ରୁ ୭ ହଜାର ଟଙ୍କାକୁ ବୃଦ୍ଧି କରିଦିଆଯାଇଛି । ଏଥିସହିତ ହିଁ ସେମାନଙ୍କର ସର୍ବାଧିକ ବେତନର ସୀମା ଏଣିକି ୧୦ ହଜାର ଟଙ୍କା ଜାଗାରେ ୨୧ ହଜାର ଟଙ୍କା ହେବ । ଅର୍ଥାତ୍ ପ୍ରତି ମାସ ୨୧୦୦୦ ଟଙ୍କା ବେତନ ପାଉଥିବା ବ୍ୟକ୍ତି ବି ବୋନସର ହକଦାର ହେବେ । ତେବେ ଗ୍ରାଚ୍ୟୁଟିର ସୀମାକୁ ବି ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଦିଆଯାଇଛି ।

ପ୍ରଧାନମନ୍ତ୍ରୀ ଶ୍ରମଜୀବୀ ମାନଧନ ଯୋଜନାର ମୁଖ୍ୟାଂଶ

• ୧୫ହଜାର ଆୟ କରୁଥିବା ବ୍ୟକ୍ତିଙ୍କୁ ଯୋଜନାରେ ଲାଭ ମିଳିବ

• ମାସିକ ୧୫ହଜାର ଆୟ କରୁଥିବା ଶ୍ରମିକଙ୍କୁ ବୃଦ୍ଧାବସ୍ଥାରେ ମିଳିବ ପେନସନ

• ଅସଂଗଠିତ କ୍ଷେତ୍ରରେ କାର‌୍ୟ୍ୟ କରୁଥିବା ଶ୍ରମିକମାନଙ୍କୁ ୬୦ ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କା ପେନ୍ସନ୍ ସୁନିଶ୍ଚିତ ମିଳିବ।

• ପ୍ରାୟ ୧୦କୋଟି ଅଣ ସଂଗଠିତ ଶ୍ରମିକଙ୍କୁ ମିଳିବ ଲାଭ

• ଅଣସଂଗଠିତ କ୍ଷେତ୍ରରେ ଶ୍ରମିକଙ୍କ ପାଇଁ ବୃଦ୍ଧାବସ୍ଥା ପେନସନ

• ଶ୍ରମିକଙ୍କ ମୃତ୍ୟୁରେ ୬ଲକ୍ଷ ଟଙ୍କାର ଅନୁକମ୍ପା ରାଶି

• ପ୍ରଧାନମନ୍ତ୍ରୀ ଶ୍ରମଜୀବୀ ମାନଧନ ଯୋଜନାରେ ଲାଭ ପାଇବେ ଶ୍ରମିକ