ରିୟଲ ଲାଇଫର ବଜରଙ୍ଗୀ ଭାଇଜାନ୍ ! ଭଉଣୀର ଇଚ୍ଛା ପୂରଣ କରି ଲାଭ କଲେ ‘ବେଷ୍ଟ ଡାଡି’ର ଆଖ୍ୟା

83

ସିନେମା ‘ବଜରଙ୍ଗୀ ଭାଇଜାନ୍’ ଭଳି ଏକ ରିୟଲ କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମାତ୍ର ସିନେମା ଭଳି ଏ ଭାଇ ଜଣଙ୍କୁ କୌଣସି ସୀମାପାର ହେବାକୁ ପଡି ନାହିଁ କି କାହା ସହ ଲଢିବାକୁ ମଧ୍ୟ ପଡିନାହିଁ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏ ଭାଇ ଜଣକ ଭଉଣୀର ମୁହଁରେ ଟିକେ ହସ ଦେଖିବା ପାଇଁ କିଛି ମୁହୂର୍ତ୍ତ ପାଇଁ ବନି ଯାଇଥିଲେ ତାର ବାପା ।

ସୂଚନା ଅନୁସାରେ, ଆମେରିକାର ମିସିଗନ ସହରରେ ବାସ କରୁଥିବା ୬ ବର୍ଷର ନୂର ଓ ତାଙ୍କ ଭାଇ ମୋହମ୍ମଦ ହଶରଙ୍କ କିଛି ଫଟୋକୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରିଛନ୍ତି ଲୋକେ । କଥାଟା ହେଲା, ନୂରର ସ୍କୁଲରେ ବାପ-ଝିଅଙ୍କ ଡ୍ୟାନ୍ସ ନାମକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଆଉ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ନୂରର ମଧ୍ୟ ପ୍ରବଳ ଇଚ୍ଛା ଥିଲା । ମାତ୍ର ଦୁଃଖର କଥା ଥିଲା କି ନୂରର ମାଆ ଜଣେ ସ୍ୱାମୀ ପରିତ୍ୟକ୍ତା । ଯେଉଁଥି ପାଇଁ କି ନୂର ବହୁତ ଦୁଃଖ ପ୍ରକାଶ କରିଥିଲା, କି ସେ ସେହି କାର୍ଯ୍ୟକ୍ରମରେ ଭାଗ ନେଇ ପାରିବନି । ଘରର ଏକ କୋଣରେ ଚୁପ୍ ଚାପ୍ ବସିଥାଏ ନୂର ଏହି ସମୟରେ ତାର ମାଆ ତାର ଉଦାସୀର କାରଣ ପଚାରିଥିଲେ । ନୂରର କଥା ଶୁଣି ମାଆ ଏକଦମ୍ ଗୁମସୁମ ହୋଇଯାଇଥିଲେ କାରଣ ତାଙ୍କ ପାଖରେ କୌଣସି ଉତ୍ତର ନଥିଲା କୁନି ଝିଅ ନୂରକୁ ବୁଝାଇବା ପାଇଁ ।

ମାତ୍ର ନୂରର ଉଦାସୀର କାରଣ ଯେତେବେଳେ ତାର ଭାଇ ଜାଣିବାକୁ ପାଇଲେ ସେ ନୂରକୁ ଖୁସି କରିବାକୁ ଏକ ନିଆରା ତରିକା ବାହାର କରିଥିଲେ । ଭାଇ ମୋହମ୍ମଦ ନୂର ସ୍କୁଲର ଏହି କାର୍ଯ୍ୟକ୍ରମରେ ଭାଗ ନେବା ସହ କିଛି କ୍ଷଣ ପାଇଁ ଜଣେ ବାପାଙ୍କର ଭୂମିକା ପାଳନ କରିଥିଲେ । ତେବେ ଏନେଇ କିଛି ଫଟୋ ମୋହମ୍ମଦ ନିଜ ଟୁଇଟରରେ ପୋଷ୍ଟ କରିବା ସହ ନିଜ ଭଉଣୀ ଉଦ୍ଦେଶ୍ୟରେ ଲେଖି ଥିଲେ କି ‘ତୋ ସହ ବାପା ନାହାଁନ୍ତି ସତ କିନ୍ତୁ ମୁଁ ସବୁବେଳେ ତୋ ସାଥୀରେ ଅଛି ।’ ମୋହମ୍ମଦଙ୍କ ଏହି ଦୁଇ ପଦ କଥାକୁ ସୋସିଆଲ ମିଡିଆରେ ଲୋକେ ବହୁତ ପ୍ରଶଂସା କରିବା ସହ ତାଙ୍କୁ ‘ବେଷ୍ଟ ଡାଡି’ର ଆଖ୍ୟା ଦେଇଛନ୍ତି ।