୬ କଂଗ୍ରେସ୍ ସାଂସଦ ୫ ଦିନ ଲାଗି ଲୋକସଭାରୁ ନିଲମ୍ବିତ ! ମହଙ୍ଗା ପଡ଼ିଲା ସଂସଦ ମଧ୍ୟରେ ଅଶୋଭନୀୟ ଆଚରଣ

42

କନକ ବ୍ୟୁରୋ : ୬ କଂଗ୍ରେସ୍ ସାଂସଦମାନଙ୍କୁ ମହଙ୍ଗା ପଡ଼ିଛି ସଂସଦ ମଧ୍ୟରେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା । ବାଚସ୍ପତି ସୁମିତ୍ରା ମହାଜନଙ୍କ ଉପରକୁ କାଗଜ ଫିଙ୍ଗିଥିବାରୁ ସୋମବାର ଏହି ୬ ଜଣ କଂଗ୍ରେସ ସାଂସଦଙ୍କୁ ୫ ଦିନ ଲାଗି ଲୋକସଭାରୁ ନିଲମ୍ବିତ କରି ଦିଆଯାଇଛି । ଲୋକସଭାରୁ ନିଲମ୍ବିତ ହୋଇଥିବା କଂଗ୍ରେସ ସାଂସଦମାନେ ହେଲେ ଗୌରବ ଗାଗୋଇ, କେ. ସୁରେଶ, ଅଧିରଞ୍ଜନ ଚୌଧୁରୀ, ରଞ୍ଜିତ ରଞ୍ଜନ, ସୁସ୍ମିତା ଦେବ୍‌ ଓ ଏମ୍‌.କେ. ରାଘବନ୍‌।

ଲୋକସଭାରେ ବୋଫର୍ସ ମାମଲା ଓ ଗୋରକ୍ଷା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିବା ବେଳେ ଅଭିଯୁକ୍ତ ସାଂସଦମାନେ ପାଟିତୁଣ୍ଡ କରିବା ସହ ବାଚସ୍ପତିଙ୍କ ଚେୟାର ଉପରକୁ କାଗଜ ଫିଙ୍ଗିଥିଲେ। ଅଭିଯୁକ୍ତ ସାଂସଦମାନେ ଲୋକସଭାର ମଧ୍ୟଭାଗକୁ ଚାଲିଆସି ଚିତ୍କାର କରିବା ସହ କାଗଜପତ୍ର ପିଙ୍ଗି ବିରୋଧ ପ୍ରଦର୍ଶନ କରିଥିଲେ ।

ବୋଫର୍ସ ବନ୍ଧୁକ କିଣା ଦୁର୍ନୀତି ସମ୍ପର୍କରେ ତଦନ୍ତ ପାଇଁ ଗଠିତ ହୋଇଥିବା ପାର୍ଲିଆମେଣ୍ଟାରି ସବ୍‌ କମିଟି ବାବଦରେ ଏହି ନିଲମ୍ବିତ ସଦସ୍ୟମାନେ ଆପତ୍ତି ଉଠାଇ ନାରାବାଜି କରିଥିଲେ । କଂଗ୍ରେସ ସାଂସଦମାନଙ୍କର ଏପରି ଆଚରଣକୁ ସମ୍ପୂର୍ଣ୍ଣ ଅରାଜକତା ଓ ଲଜ୍ଜା ବୋଲି କହି ଲୋକସଭା ଅଧ୍ୟକ୍ଷ ସୁମିତ୍ରା ମହାଜନ ସେମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୁମିତ୍ରା କହିଛନ୍ତି, ସାଂସଦଙ୍କ ଏଭଳି ଆଚରଣକୁ ସମଗ୍ର ଦେଶ ଏହାକୁ ଦେଖିବା ଉଚିତ୍  । 

ଅନ୍ୟପଟେ ସାଂସଦଙ୍କ ଏଭଳି ଆଚରଣ ସମୟରେ ସେଠାରେ କଂଗ୍ରେସ୍ ଅଧ୍ୟକ୍ଷ ସୋନିଆ ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ । ତେବେ ନିଲମ୍ବନ ଆଦେଶର କିଛି ସମୟ ପରେ ଅନ୍ୟ ନେତାମାନଙ୍କ ସହ ଦେଖା କରିଥିଲେ ସୋନିଆ । ଆଉ ଏହା ପରେ ଏହି ନିଲମ୍ବନ ଆଦେଶକୁ ବିରୋଧ କରି ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ କିଛି ନେତା  ।