ଆତଙ୍କବାଦୀଙ୍କ ବର୍ବରତା ! ବାର୍ସିଲୋନାରେ ଗାଡ଼ି ମଡ଼ାଇ ୧୩ ଜଣଙ୍କୁ ହତ୍ୟା

33

ନକ ବ୍ୟୁରୋ: ସ୍ପେନର ବାର୍ସିଲୋନା ସହରରେ ଆତଙ୍କବାଦୀମାନେ ଏକ ଭ୍ୟାନକୁ ଅସ୍ତ୍ର କରି ଭୟାନକ ଆକ୍ରମଣ କରିଛନ୍ତି । ସହରରେ ପର୍ଯ୍ୟଟକଙ୍କ ଭିଡ଼ ରହୁଥିବା ଲାସ୍ ରାମବ୍ଲାସ୍ ସିଟି ସେଣ୍ଟର ଅଂଚଳରେ ଜଣେ ଆତଙ୍କବାଦୀ ଏକ ଭ୍ୟାନକୁ ଲୋକଙ୍କ ଉପରେ ମଡ଼ାଇ ଚାଲିବାରୁ ୧୩ ଜଣଙ୍କ ମୃତ୍ୟୁ ଘଟିଛି ଓ ଶତାଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଉଦବେଗଜନକ ରହିଥିବା ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସୂଚନା ମୁତାବକ, ରାସ୍ତାରେ ଚାଲୁଥିବା ପର୍ଯ୍ୟଟକଙ୍କୁ ଦଳି ମକଚି ଭ୍ୟାନଟି ଆଗକୁ ବଢ଼ୁଥିଲେ ମଧ୍ୟ ତାହାକୁ ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଅଟକାଇବା ପୁଲିସ ପକ୍ଷରେ ସମ୍ଭବ ହୋଇନଥିଲା । ଏହି ଭୟଙ୍କର ଆକ୍ରମଣରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପେନ୍ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି । ଲୋକେ ଏହି ଭ୍ୟାନ୍ କବଳରୁ ରକ୍ଷା ପାଇବା ପାଇଁ ପ୍ରାଣ ବିକଳରେ ଦୌଡ଼ୁଥିବା ବେଳେ ଆତଙ୍କବାଦୀ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଭ୍ୟାନ୍ ଚଢ଼ାଇ ଦେଉଥିବା ଦୃଶ୍ୟ ହୃଦୟ ବିଦାରକ ଥିଲା । ଏହି ପୈଶାଚିକ କାଣ୍ଡ ପରେ ଆତଙ୍କବାଦୀ ଭ୍ୟାନକୁ ଏକ ଗଳି ମୋଡ଼ରେ ରଖି ଗାଏବ ହୋଇଯାଇଥିବା ଜଣାପଡ଼ିଛି ।

ଅନ୍ୟପଟେ, ଏହି ଆକ୍ରମଣ ପାଇଁ ଆଇଏସଆଇଏସ୍ ନିଜକୁ ଦାୟୀ କରିଛି । ଆଇଏସର ଜିହାଦୀ ଗ୍ରୁପ ଏହି ଆତଙ୍କୀ ଆକ୍ରମଣ କରିଥିବା ଆଇଏସଆଇଏସ୍ ପକ୍ଷରୁ କୁହାଯାଇଛି । ଏହି ଆତଙ୍କୀ ଆକ୍ରମଣ ପରେ ପୁଲିସ ମଧ୍ୟ ଅପରେସନ ଆରମ୍ଭ କରିଥିଲା । ପୁଲିସ ଗୁଳିରେ ନିହତ ହୋଇଛନ୍ତି ୪ଆଇଏସଆଇଏସ ଆତଙ୍କବାଦୀ । ଏବେବି ସର୍ଚ୍ଚ ଅପରେସନ ଜାରି ରଖିଛି ପୁଲିସ୍ ।

ପରିସ୍ଥିତି ଏବେ ନିୟନ୍ତ୍ରଣାଧିନ ଥିବା ବାର୍ସିଲୋନା ପୁଲିସ କହିଛି । ବାର୍ସିଲୋନାରେ ଆତଙ୍କବାଦୀ ଆକ୍ରମଣ ନେଇ ସ୍ପେନ ପ୍ରଧାନମନ୍ତ୍ରୀ ମଧ୍ୟ ସ୍ପଷ୍ଟ କରିଛନ୍ତି । ଏହା ଜିହାଦୀ ଆତଙ୍କବାଦୀ ଆକ୍ରମଣ ହୋଇଥିବା ସେ କହିଛନ୍ତି । ଆତଙ୍କବାଦ ବିରୋଧରେ ସମସ୍ତେ ଏକତ୍ରିତ ହୋଇ ଲଢିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ତେବେ ବାର୍ସିଲୋନାକୁ ପ୍ରତିବର୍ଷ ୧.୧୦ କୋଟି ପର୍ଯ୍ୟଟକ ଆସୁଥିବା ବେଳେ ଏହି ଆକ୍ରମଣ ଅନ୍ୟ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ସ୍ପେନ୍ ପ୍ରଧାନମନ୍ତ୍ରୀ ମାରିଆନେ ରାଜୋୟ କହିଛନ୍ତି ଯେ, ବିଭିନ୍ନ ଅଂଚଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଦେଶ ଯୁଦ୍ଧକାଳୀନ ଭିତ୍ତିରେ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିଛି ।

ଜୁଲାଇ ୨୦୧୬ରେ ୟୁରୋପରେ ହୋଇଥିବା ବିଭିନ୍ନ ଆତଙ୍କବାଦୀ କାଣ୍ଡରେ ଆକ୍ରମଣକାରୀମାନେ ଟ୍ରକ୍ ଓ ଭ୍ୟାନକୁ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ । ଲୋକଙ୍କ ଉପରେ ଗାଡ଼ି ଚପାଇ ସେମାନଙ୍କୁ ହତ୍ୟା କରିବାର ବହୁ ଘଟଣା ନଜିର ରହିଛି । ବିଶେଷ କରି ଆଇଏସ୍ ଆତଙ୍କବାଦୀମାନେ ଏଭଳି ଆକ୍ରମଣ ଘଟାଇଛନ୍ତି । ଆଇଏସ୍ ଆତଙ୍କବାଦୀମାନେ ନିସ୍, ବର୍ଲିନ, ଲଣ୍ଡନ ଏବଂ ଷ୍ଟକ୍ ହୋମରେ କରିଥିବା ଏଭଳି ଆକ୍ରମଣ ଯୋଗୁଁ ଶତାଧିକ ଲୋକ ପ୍ରାଣ ହରାଇଥିଲେ ।