ଏସପି ସାହେବ, କର୍ମଚାରୀ ଗୁଲାମ୍ ! ଏସପିଙ୍କ ନାଁରେ କର୍ମଚାରୀଙ୍କୁ ନିର୍ଯାତନା ଦେବା ଅଭିଯୋଗ, ଅର୍ଡର୍ ନମାନିଲେ କରୁଥିଲେ ଉଠବସ୍ ।

38

କନକ ବ୍ୟୁରୋ : ଏକବିଂଶ ଶତାବ୍ଦୀରେ ଦାସତ୍ୱ ପ୍ରଥା । ଘରେ କାମ କରୁଥିବା କର୍ମଚାରୀଙ୍କ ସହ ପଶୁ ଭଳି ବ୍ୟବହାର । ଆଉ ଏଭଳି ବ୍ୟବହାର ନେଇ ଅଭିଯୋଗ ଆସିଛି ନବରଙ୍ଗପୁରର ଏସପି ସାହେବଙ୍କ ବିରୋଧରେ । ଏସପି ବିବେକାନନ୍ଦ ଶର୍ମା, ତାଙ୍କ ବାସଭବନରେ କାମ କରୁଥିବା ଦୁଇ କର୍ମଚାରୀଙ୍କୁ ଦେଇଛନ୍ତି ଅକଥନୀୟ ନିର୍ଯାତନା । କଥା କଥାକେ ଅଶ୍ଲୀଳ ଗାଳି ଆଉ ସାମାନ୍ୟ ଅବହେଳା ପାଇଁ ଲାତ, ଗୋଇଠା ମାଡ । ଏପରିକି ଏସପିଙ୍କ ମାଡରେ ଗୁରୁତର ଆହତ ହୋଇ ଆଇସିୟୁରେ ଭର୍ତି ହୋଇଛନ୍ତି କର୍ମଚାରୀ । ଆଜି ଦୁଇ ଜଣ କର୍ମଚାରୀ ଗଣମାଧ୍ୟମ ଆଗରେ ଏସପିଙ୍କ ନିର୍ଯାତନାର କାହାଣୀ କହିଛନ୍ତି ।

ନବରଙ୍ଗପୁର ଏସପି ବିବେକାନନ୍ଦ ଶର୍ମା । ଦୁଇ ଜଣ ଫଲୋ ଅର୍ଡରଲି ଅର୍ଥାତ୍ ଘରେ କାମ କରୁଥିବା କର୍ମଚାରୀ ସାହେବଙ୍କ ବିରୋଧରେ ଆଣିଛନ୍ତି ନିର୍ଯାତନାର ଅଭିଯୋଗ । କର୍ମଚାରୀ କହିଛନ୍ତି, ଏସପି ତାଙ୍କୁ କଥା କଥାକେ ମାଡ ମାରନ୍ତି । ଲାତ, ଗୋଇଠା, ମୁଥ, ବିଧା ଏପରିକି ତଂଟି ଚିପି ଧରନ୍ତି । ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରନ୍ତି ।

ନବରଙ୍ଗପୁର ଏସପି ବିବେକାନନ୍ଦ ଶର୍ମାଙ୍କ ବାସଭବନରେ ରୋଷେଇ କରନ୍ତି ରବିନ କୁମାର ଲିମା ଓ ଦେବରାଜ ଚଣ୍ଡ । ହେଲେ ବାପ ବୟସର ଦୁଇଜଣ କର୍ମଚାରୀଙ୍କୁ ପୁଲିସ ବାବୁ ପ୍ରତିଦିନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଶନିବାର ଜଣେ କର୍ମଚାରୀଙ୍କୁ ସାହେବ, ୫୦ ଥର ଉଠବସ କରାଇବା ସହ ନିଜ କମ୍ପାଉଣ୍ଡରେ ୨୦ ରାଉଣ୍ଡ ଦୌଡିବାକୁ କହିଥିଲେ । ଯେଉଁଥିରେ କର୍ମଚାରୀ ଜଣକ ଅସୁସ୍ଥ ହୋଇପଡିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତି କରିବାକୁ ପଡିଥିଲା ।

ଏସପିଙ୍କ ଦବଙ୍ଗଗିରିର ଖବର ସାମ୍ନାକୁ ଆସିବା ପରେ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଆଇଜି କହିଛନ୍ତି । ଗଣମାଧ୍ୟମ ଆଗରେ ଦୁଇ ଜଣ କର୍ମଚାରୀ ନିର୍ଯାତନାର କାହାଣୀ କହିବା ପରେ ଏସପି ସେମାନଙ୍କ ଘରକୁ ଯାଇ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି । ତେବେ ଏନେଇ ଏସପି, ବିବେକାନନ୍ଦ ଶର୍ମାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।