କଂଗ୍ରେସକୁ ଲାଗିପାରେ ବଡ ଝଟକା ! ଅଖିଲେଶ କହିଲେ, ଉତ୍ତରପ୍ରଦେଶ ମହାମେଂଟରେ ସାମିଲ ହେବନି କଂଗ୍ରେସ ।

311

କନକ ବ୍ୟୁରୋ : ବିଜେପିକୁ ରୋକିବା ପାଇଁ ମହାମେଂଟ ଗଠନ କରୁଥିବା କଂଗ୍ରେସକୁ ଲାଗିପାରେ ବଡ ଝଟକା । ଉତ୍ତରପ୍ରଦେଶ ପରି ସବୁଠୁ ଅଧିକ ଲୋକସଭା ଆସନ ବିଶିଷ୍ଟ ରାଜ୍ୟରେ କଂଗ୍ରେସକୁ ଏକାକି ନିର୍ବାଚନ ଲଢିବାକୁ ପଡିପାରେ । ୟୁପି ମହାମେଂଟରେ କଂଗ୍ରେସ ସାମିଲ ହେବନାହିଁ ବୋଲି କହିଛନ୍ତି ଅଖିଲେଶ । ସେପଟେ ୨୦୧୯ନିର୍ବାଚନରେ ଅଖିଲେଶ ଓ ମାୟାବତୀ ଏକାଠି ଆସି ନିର୍ବାଚନ ଲଢିବେ ଏବଂ ଏଥିପାଇଁ ଆସନ ବୁଝାମୁଣା ସରିଥିବା ସୂଚନା ମିଳିଛି ।

କେନ୍ଦ୍ରରେ ବିଜେପି ସରକାରକୁ ୨୦୧୯ ନିର୍ବାଚନରେ ଚେକ୍ ଦେବା ପାଇଁ କଂଗ୍ରେସ ଚେଷ୍ଟା କରୁଥିଲେ ବି ଦଳକୁ ଜବରଦସ୍ତ ଝଟକା ଲାଗିବାର ଆଶଙ୍କା କରାଯାଉଛି । ବିଶେଷ କରି ସବୁଠାରୁ ଅଧିକ ଲୋକସଭା ଆସନ ବିଶିଷ୍ଟ ଉତ୍ତରପ୍ରଦେଶରେ କଂଗ୍ରେସକୁ ଏକାକି ନିର୍ବାଚନ ଲଢିବାକୁ ପଡିପାରେ । କାରଣ ୟୁପିରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ସହ ମେଂଟ କରିବାକୁ ତୟାର ଥିବା କଂଗ୍ରେସ ପାଇଁ ଏହା ଅସମ୍ଭବ ମନେ ହେଉଛି ।

ଉତ୍ତରପ୍ରଦେଶ ମହାମେଂଟରେ କଂଗ୍ରେସ ସାମିଲ ହେବନାହିଁ ବୋଲି କହିଛନ୍ତି ଅଖିଲେଶ ଯାଦବ । ମଧ୍ୟପ୍ରଦେଶରେ ସମାଜବାଦୀ ପାର୍ଟିର ଜଣେ ମାତ୍ର ପ୍ରାର୍ଥୀ ଜିତିଥିଲେ । ଏବଂ ତାଙ୍କୁ କଂଗ୍ରେସ ସରକାରରେ ମନ୍ତ୍ରୀ ପଦ ନମିଳିବାରୁ କଂଗ୍ରେସ ଉପରେ ଖପ୍ପା ଅଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ । ଅଖିଲେଶ କହିଛନ୍ତି ଯେ, ସମାଜବାଦୀ ପାର୍ଟିର ସମର୍ଥନ ଯୋଗୁଁ ମଧ୍ୟପ୍ରଦେଶରେ କଂଗ୍ରେସ ମ୍ୟାଜିକ ନମ୍ବର କ୍ରସ କଲା । କିନ୍ତୁ କମଲନାଥଙ୍କ ମନ୍ତ୍ରୀମଣ୍ଡଳରେ ତାଙ୍କ ବିଧାୟକଙ୍କୁ ସ୍ଥାନ ଦେଇନଥିବାରୁ ଧନ୍ୟବାଦ । କଂଗ୍ରେସର ଏପରି ପଦକ୍ଷେପ ଦ୍ୱାରା ତାଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇଯାଇଛି ବୋଲି ଅଖିଲେଶ କହିଛନ୍ତି ।

୨୦୧୯ ନିର୍ବାଚନରେ ଏସପି ଓ ବିଏସପି ଏକାଠି ନିର୍ବାଚନ ଲଢିବେ । ଏଥିପାଇଁ ଆସନ ବୁଝାମଣା ମଧ୍ୟ ସରିଛି । ଏବଂ ମାୟାବତୀଙ୍କ ଜନ୍ମଦିନରେ ଏନେଇ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଉତ୍ତରପ୍ରଦେଶ ଉପନିର୍ବାଚନରେ ମାୟାବତୀ ଓ ଅଖିଲେଶଙ୍କ ଯୋଡି ସଫଳ ହୋଇସାରିଛି । ଆଦିତ୍ୟନାଥଙ୍କ ଗଡ କୁହାଯାଉଥିବା ଗୋରଖପୁର ଆସନରେ ବାଜିମାତ କରିଥିଲା ସମାଜବାଦୀ ପାର୍ଟି । ସେହିପରି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଆସନ ଫୁଲପୁରରେ ମଧ୍ୟ ବାଜି ମାରିଥିଲା ସମାଜବାଦୀ ପାର୍ଟି । ସେପଟେ ତୃତୀୟ ସାମ୍ମୁଖ୍ୟରେ ଅଖିଲେଶ ସାମିଲ ହେବା ନେଇ ମଧ୍ୟ ସଙ୍କେତ ଦେଇଛନ୍ତି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ତୃତୀୟ ସାମ୍ମୁଖ୍ୟ ଗଠନ ଉଦ୍ୟମକୁ ସମର୍ଥନ ଜଣାଇଛନ୍ତି ଅଖିଲେଶ ଯାଦବ । ଫେଡେରାଲ ଫ୍ରଂଟ ଗଠନ ନେଇ କସରତ କରୁଛନ୍ତି କେସିଆର । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ ମଧ୍ୟ କରିସାରିଛନ୍ତି କେସିଆର । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ବେଳେ ଅଖିଲେଶଙ୍କୁ ମଧ୍ୟ ସାକ୍ଷାତ କରିବାର ଥିଲା କିନ୍ତୁ ଏହି ସାକ୍ଷାତକାର ହୋଇପାରନିଥିଲା । ତେବେ ହାଇଦ୍ରାବାଦ ଯାଇ ସେଠାରେ କେସିଆରଙ୍କୁ ସାକ୍ଷାତ କରିବେ ବୋଲି ଅଖିଲେଶ କହିଛନ୍ତି ।