ମୋଦିଙ୍କୁ କ୍ଷମତାରୁ ବାହାରେ ରଖିବାକୁ ହାତ ମିଳାଇଲେ ଅଖିଳେଶ-ମାୟାବତୀ । ୭୬ ଆସନରେ ଲଢ଼ିବେ ଏସପି-ବିଏସପି ପ୍ରାର୍ଥୀ

ସହଯୋଗୀ ଦଳଙ୍କୁ ଦିଆଯିବ ୨ଟି ଆସନ, ଆମେଠି, ରାଏବରେଲୀରେ କଂଗ୍ରେସକୁ କରିବେ ସମର୍ଥନ । କହିଲେ, ଗୁରୁ ଚେଲାଙ୍କ ନିଦ ହଜାଇ ଦେବ ସପା-ବସପା ମେଂଟ

118

କନକ ବ୍ୟୁରୋ: ମୋଦିଙ୍କୁ କ୍ଷମତାରୁ ବାହାରେ ରଖିବାକୁ ହାତ ମିଳାଇଲେ ଅଖିଳେଶ-ମାୟାବତୀ । ଦୀର୍ଘ ୨୫ ବର୍ଷ ପରେ ଉତରପ୍ରଦେଶରେ ଏକାଠି ହୋଇଛନ୍ତି ସପା-ବସପା । ଆଗାମୀ ଲୋକସଭା ନିର୍ବାଚନ ପାଇଁ ମହାମେଂଟ କରିଛନ୍ତି ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି । ମେଂଟ ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ବସପା ସୁପ୍ରିମୋ ମାୟାବତୀ । ଉତରପ୍ରଦେଶରେ ଥିବା ୮୦ଟି ଲୋକସଭା ଆସନ ମଧ୍ୟରୁ ସପା-ବସପା ୩୮-୩୮ ଫର୍ମୁଲାରେ ୭୬ଟି ଆସନରେ ନିର୍ବାଚନ ଲଢ଼ିବେ ।

ଅନ୍ୟ ୪ଟି ଆସନ ମଧ୍ୟରୁ ୨ଟି ସହଯୋଗୀ ଦଳ ପାଇଁ ଓ ୨ଟି କଂଗ୍ରେସକୁ ଛାଡିବା ପାଇଁ ଘୋଷଣା କରିଛନ୍ତି । ଆମେଠି ଓ ରାଏବରେଲିକୁ କଂଗ୍ରେସକୁ ସମର୍ଥନ କରବାକୁ ମିଳିତ ବିବୃତିରେ ଘୋଷଣା କରିଛନ୍ତି ଦୁଇ ନେତା । ତେବେ ଏହି ମେଂଟକୁ ଉତରପ୍ରଦେଶ ଇତିହାସରେ ସବୁଠୁ ବଡ ମେଂଟ ବୋଲି କୁହାଯାଉଛି । ଏହି ଘୋଷଣା ଅବସରରେ ବିଜେପିକୁ ଜୋରଦାର ଆକ୍ରମଣ କରିଛନ୍ତି ଦୁଇ ନେତା । ମାୟାବତୀ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଗୁରୁ ଚେଲାଙ୍କ ନିଦ ହଜାଇ ଦେବ ସପା-ବସପା ମେଂଟ ।

ଦେଶର ଜନହିତକୁ ଦୃଷ୍ଟିରେ ରଖି ଗଢ଼ା ହୋଇଛି ମେଂଟ । ଏଥିସହ ଦେଶରେ ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଏହି ମେଂଟ ଲଢ଼େଇ କରିବ ବୋଲି ମାୟାବତୀ କହିଛନ୍ତି । ଏଥିସହ ସେ କହିଛନ୍ତି ଏହି ମହାମେଂଟ ୨୦୧୯ରେ ଦେଶର ରାଜନୀତିକୁ ଏକ ନୂଆ ସନ୍ଦେଶ ଦେବ । କେବଳ ନିର୍ବାଚନ ଜିତିବା ପାଇଁ ଏହି ମେଂଟ ନୁହେଁ ବରଂ ସାମାଜିକ ଲଢେଇ ପାଇଁ ଏହି ମେଂଟ ହୋଇଛି । ତେଣୁ ବିଜେପିର ସଂକୀର୍ଣ୍ଣ ରାଜନୀତିକୁ ମେଂଟ ଜବାବ ଦେବ ବୋଲି ସେ କହିଛନ୍ତି ।