ରାଜନୀତିରେ ପ୍ରବେଶ କରିବେ ରଜନୀକାନ୍ତ ! ନୂଆ ଦଳ ଗଠନ କରି ଲଢିବେ ନିର୍ବାଚନ, ପୂରା ଦେଶର ରହିବ ନଜର

70

ରାଜନୀତିରେ ରଜନୀକାନ୍ତ । ଦୀର୍ଘଦିନର ଚର୍ଚ୍ଚା ପରେ ରାଜନୀତିର ମଇଦାନକୁ ଓହ୍ଲାଇବେ ତାମିଲ ସୁପରଷ୍ଟାର ତଲାଇଭା । ରାଜନୀତକୁ ଆସିବା ପାଇଁ ପୂର୍ବରୁ ଇଙ୍ଗିତ କରଥିଲେ ରଜନୀକାନ୍ତ । ସେବେଠାରୁ ରଜନୀଙ୍କ ରାଜନୀତିରେ ଏଣ୍ଟ୍ରି ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା । କିନ୍ତୁ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ରାଜନୀତି ମଇଦାନକୁ ଓହ୍ଲାଇବା ପାଇଁ ଘୋଷଣା କରିଛନ୍ତି ସାଉଥ ସୁପରଷ୍ଟାର । ୨୦୧୭ର ଶେଷ ଦିନରେ ଏଭଳି ବଡ ଘୋଷଣା କରିବା ସହ ନୂଆବର୍ଷରୁ ଏକ ନୂଆ ଆରମ୍ଭ କରିବାକୁ ଆହ୍ୱାନ କରିଛନ୍ତି ରଜନୀକାନ୍ତ । ଏକ ନୂଆ ଦଳ ଗଠନ କରିବା ସହ ସେ ଆସନ୍ତା ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ଆସନ୍ତା ନିର୍ବାଚନରେ ତାଙ୍କ ଦଳ ସମସ୍ତ ୨୩୪ଟି ଆସନରେ ପ୍ରାର୍ଥୀ ଦେବ । ଅନ୍ୟପଟେ ଲୋକସଭା ନିର୍ବାଚନରେ ଦଳ ଲଢିବା କି ନାହିଁ ସେନେଇ ପରବର୍ତୀ ସମୟରେ ନିଷ୍ପତି ନିଆଯିବ ବୋଲି ରଜନୀକାନ୍ତ କହିଛନ୍ତି ।

kabali_647_073016021438ପ୍ରଂଶସକଙ୍କ ସହ କଥାବାର୍ତ୍ତା ପରେ ଆଜି ସେ କହିଛନ୍ତି, ତାଙ୍କର ରାଜନୀତିକୁ ଆସିବା ଥୟ । କାରଣ ତାମିଲନାଡୁ ପାଇଁ ତାଙ୍କର ରାଜନୀତିକୁ ଆସିବା ଜରୁରୀ ବୋଲି କହିଛନ୍ତି ରଜନୀକାନ୍ତ । ତାଙ୍କ ଦଳ ସତ୍ୟ, କଠିନ ପରିଶ୍ରମ ଓ ବିକାଶର ନାରା ସହ ଏହି ତିନୋଟି ମନ୍ତ୍ର ଦେଇ ପରିଚାଳିତ ହେବ । ଗଣତନ୍ତ୍ର ବ୍ୟବସ୍ଥାରେ ଏବେ ଦୁର୍ନୀତି ପଶିଥିବା ବେଳେ ଏହାର ମୂଳୋତ୍ପାଟନ ଏବେ ଗୁରୁତ୍ୱପୂର୍ଣ୍ଣ । ରାଜନୀତିରେ ଏବେ ଦୁର୍ନୀତି ଏକ ବ୍ୟାଧି ଭଳି ମାଡିଚାଲିଛି । ରାଜନୀତିର ନାମରେ ନେତା ମାନେ ଜନତାଙ୍କ ପଇସା ଲୁଟ୍ କରି ଚାଲିଛନ୍ତି । ତେଣୁ ଏସବୁରେ ପରିବର୍ତ୍ତନ ଆବଶ୍ୟକ । ଏହାସହ ସେ କୌଣସି ପଦପଦବୀ ପାଇଁ ରାଜନୀତି କରୁନଥିବା କହିଛନ୍ତି ରଜନୀକାନ୍ତ । ସେ ଚାହିଁଥିଲେ ୧୯୯୬ରେ ଏଭଳି ପଦବୀ ପାଇ ପାରିଥାନ୍ତେ ବୋଲି ସେ କହିଛନ୍ତି । ଲୋକଙ୍କ ପାଇଁ ଭଲ କାମ କରିବା ଏକମାତ୍ର ଲକ୍ଷ୍ୟ ବୋଲି ଘୋଷଣା କରିଛନ୍ତି ରଜନୀକାନ୍ତ ।

Rajinikanthଏହାପୂର୍ବରୁ ରଜନୀକାନ୍ତ ନିଜ ରାଜନୀତି ଭବିଷ୍ୟତ ବିଷୟରେ ୩୧ ଡିସେମ୍ବରରେ ଘୋଷଣା କରିବେ ବୋଲି କହିଥିଲେ । ଏନେଇ ଗତ ୬ ଦିନ ଧରି ରଜନୀକାନ୍ତ ନିଜ ସମର୍ଥକଙ୍କ ସହ କତ୍ତାବାର୍ତା କରିଥିଲେ । ଏହି ସମୟରେ ସେ ପ୍ରତିଦିନ ହଜାରରୁ ଅଧିକ ଲୋକଙ୍କ ମତାମତ ଜାଣିବାକୁ ଚେଷ୍ଟା କରିଥିଲେ । ୬୭ ବର୍ଷିୟ ରଜନୀକାନ୍ତଙ୍କର ଦକ୍ଷିଣ ଭାରତରେ ଅନେକ ପ୍ରଂଶସକ ରହିଛନ୍ତି । ଭାରତର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ରଜନୀକାନ୍ତ ଜଣେ । ତାଙ୍କର ରାଜନୀତିରେ ସାମିଲ ଘୋଷଣାହେବା ମାତ୍ରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ବାଜା ବଜାଇ ଓ ବାଣ ଫୁଟାଇ ସମର୍ଥକ ଖୁସି ଜାହିର କରୁଥିବା ଦେଖିବାକୁ ମିଳିଛି ।

ଗତବର୍ଷ ଡିସେମ୍ବର ମାସରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ରାଜ୍ୟ ରାଜ୍ୟନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା । ତାଙ୍କ ଭଳି ଲୋକପ୍ରିୟ ଓ ଚର୍ଚ୍ଚିତ ଚେହେରା ରଜନୀକାନ୍ତ ହୋଇଥିବାରୁ ସେ ତାମିଲନାଡୁ ରାଜନୀତିରେ ଜୟଲଳିତାଙ୍କ ସ୍ଥାନ ନେଇପାରିବେ ବୋଲି ଚର୍ଚ୍ଚା ହୋଇଥିଲା । ଏହାପୂର୍ବରୁ ୧୯୯୬ ମସିହାରେ ଡିଏମକେ ପାଇଁ ପ୍ରଚାର କରିଥିଲେ ରଜନୀକାନ୍ତ । ଏହି ସମୟରେ ସେ ଜୟଲଳିତାଙ୍କୁ ପ୍ରବଳ ବିରୋଧ କରିବା ସହ ତାଙ୍କୁ ଭୋଟ ଦେଲେ ଭଗବାନ ମଧ୍ୟ କ୍ଷମା କରିବେ ନାହିଁ ବୋଲି କହିଥିଲେ । ଏହି ନିର୍ବାଚନରେ ଡିଏମକେର ବିପୁଳ ବିଜୟ ହୋଇଥିଲା । କିନ୍ତୁ ରଜନୀକାନ୍ତ ପରେ ଏନେଇ ଅନୁତାପ କରିଥିଲେ । ତେଣୁ ରଜନୀକାନ୍ତଙ୍କ ପାଇଁ ରାଜନୀତି କିଛି ନୂଆ କଥା ନୁହେଁ କିମ୍ବା ସେ ମଧ୍ୟ ରାଜନୀତିରେ ନୂଆ ନୁହଁନ୍ତି । ତେବେ ରଜନୀକାନ୍ତଙ୍କ ରାଜନୀତିରେ ଏଣ୍ଟ୍ରି ମାରିବା ତାମିଲନାଡୁରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନରେ ନିଶ୍ଚୟ ପ୍ରଭାବ ପକାଇବ ।ତେବେ ଆଗାମୀ ନିର୍ବାଚନରେ ତାମିଲନାଡୁ ବାସୀ କାହାକୁ ଗ୍ରହଣ କରିବେ ତାହା ଦେଖିବା ବାକି ରହିଲା ।