ପୋସ୍କୋ ପଛ କଥା, ଏବେ ନୂଆ ଆଶା… । ଓଡିଶାରେ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଦକ୍ଷିଣ କୋରିଆର ୪୬ ଜଣିଆ ଶିଳ୍ପ ପ୍ରତିନିଧି, ସହଯୋଗ ପାଇଁ ପ୍ରତିଶ୍ରୁତି ଦେଲେ ନବୀନ । 

554

କନକ ବ୍ୟୁରୋ : ୨୦୦୫ ମସିହାରେ ୫୨ହଜାର କୋଟି ଟଙ୍କା ବିନିଯୋଗରେ ଇସ୍ପାତ କାରଖାନା କରିବ ବୋଲି ଦକ୍ଷିଣ କୋରିଆର ପୋସ୍କୋ କମ୍ପାନି ଓଡିଶା ସହ ବୁଝାମଣା କରିଥିଲା । କିନ୍ତୁ ତାହା ସଫଳ ହୋଇପାରିଲା ନାହିଁ । ଏହାର ୧୪ବର୍ଷ ପରେ ଓଡିଶାରେ ପୁଞ୍ଜି ନିବେଶ ପାଇଁ ପୁଣି ଅଂଟା ଭିଡିଛନ୍ତ ଦକ୍ଷିଣ କୋରିଆର କମ୍ପାନି । ଏଥର କିନ୍ତୁ ଖଣିଜ ସମ୍ପର୍କିତ ଶିଳ୍ପ ନୁହେଁ ଅଟୋମୋବାଇଲ ଓ ଇଲେକଟ୍ରୋନିକ୍ସ ଭଳି ୬ଟି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ସେମାନେ ଆଗ୍ରହ ଦେଖାଇଛନ୍ତି । ସାମସଙ୍ଗ, ଏଲଜି ଓ କିଆ ମୋଟର୍ସ ଭଳି କମ୍ପାନି ଓଡିଶାରେ ନିର୍ମାଣ କାରଖାନା ପ୍ରତିଷ୍ଠା କରିବା ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଦକ୍ଷିଣ କୋରିଆର ରାଷ୍ଟ୍ରଦୂତଙ୍କ ନେତୃତ୍ୱରେ ବିଭିନ୍ନ କମ୍ପାନିର ୪୬ଜଣ ପ୍ରତିନିଧି ଏନେଇ ଓଡିଶା ସରକାରଙ୍କ ସହିତ ଆଲୋଚନା କରିଛନ୍ତି ।

ପୋସ୍କୋକୁ ନେଇ ସୃଷ୍ଟି ହୋଇଥିବା ତିକ୍ତତାକୁ ଭୁଲି ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ମନ ବଳାଇଛନ୍ତି କୋରିଆର ବଛା ବଛା କଂପାନୀ  । ଏଥର ବଡ଼ ଶିଳ୍ପ ନୁହେଁ, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପରେ ପୁଂଜିନିବେଶ ପାଇଁ ଲକ୍ଷ୍ୟ ରହିଛି । ବିଶେଷ କରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ, ପେଟ୍ରୋଲିୟମ, ରସାୟନ ଓ ପେଟ୍ରୋ-ରସାୟନ, ବୟନଶିଳ୍ପ, ପର୍ଯ୍ୟଟନ ଓ ଖାଦ୍ୟ ପ୍ରକରଣ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶିଳ୍ପ ବିଭାଗ ସହ ଆଲୋଚନା କରିଛନ୍ତି କୋରିଆର ୪୬ ଜଣିଆ ଶିଳ୍ପ ପ୍ରତିନିଧି । ଜମି, ପାଣି, ଦକ୍ଷ ମାନବ ସମ୍ବଳ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ଭିଜନ-୨୦୩୦ ଅନୁସାରେ ରାଜ୍ୟରେ ଉତ୍ପାଦନ ହେଉଥିବା ଷ୍ଟିଲ୍ ଓ ଅନ୍ୟାନ୍ୟ କଂଚାମାଲର ୫୦ ପ୍ରତିଶତ ରାଜ୍ୟରେ ବ୍ୟବହାର କରିବା ଲକ୍ଷ୍ୟ ରହିଛି ।

ପ୍ରତିବର୍ଷ ଭାରତର ୨-୩ ରାଜ୍ୟରେ ‘କୋରିଆ କାରଭାନ୍’ କାର୍ଯ୍ୟକ୍ରମ କରାଯାଇଥାଏ । କୋରିଆର ବଡ଼ ବଡ଼ ଶିଳ୍ପପତି ଯୋଗ ଦେଇ ସରକାରଙ୍କ ସହ ଆଲୋଚନା କରିଥାନ୍ତି । ଶିଳ୍ପ ବାତାବରଣ ନେଇ ଆଲୋଚନା ହେବା ପରେ ନିବେଶ ପାଇଁ ଚିନ୍ତା କରିଥାନ୍ତି ଶିଳ୍ପପତି । ସାମସଙ୍ଗ, ଏଲଜି, ହୁଣ୍ଡାଇ ଓ କିୟା ଭଳି କୋରିଆର ବିଶ୍ୱ ପ୍ରସିଦ୍ଧ କଂପାନୀର ପ୍ରତିନିଧିମାନେ କୋରିଆ କାରଭାନରେ ସାମିଲ ହୋଇଥିଲେ ।

ରାଜ୍ୟ ସ୍କିଲ ଡେଭଲପମେଂଟ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗଚୀ କହିଛନ୍ତି, ପ୍ରାୟ ୧୪୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ଗଠନ ହେବାକୁ ଯାଉଛି ୱାଲ୍ଡ ସ୍କିଲ୍ ସେଂଟର । ଏହି କେନ୍ଦ୍ରରେ ୮ଟି କ୍ଷେତ୍ରରେ ଦେଢ଼ ଲକ୍ଷ ଯୁବକ ତାଲିମ୍ ପାଇବେ । ତେଣୁ ଦକ୍ଷ ମାନବ ସମ୍ବଳର ଅଭାବ ଓଡ଼ିଶାରେ ରହିବ ନାହିଁ ।  ରାଜ୍ୟ ସରକାରଙ୍କ ସହ ପ୍ରାଥମିକ ଆଲୋଚନା ପରେ କିଛି କ୍ଷେତ୍ରରେ କୋରିଆ କଂପାନୀ ନିବେଶ କରିବା ନେଇ ଆଶା ସଞ୍ଚାର ହୋଇଛି ।