ବିସିସିଆଇର ସଭାପତି ପଦ ପାଇଁ ନାମାଙ୍କନ ପୂର୍ବରୁ ସୌରଭ ଗାଙ୍ଗୁଲିଙ୍କ ପ୍ରତିକ୍ରିୟା: କହିଲେ, ଏହା ତାଙ୍କ ପାଇଁ ବଡ ସୁଯୋଗ, ପ୍ରଥମ ଶ୍ରେଣୀର କ୍ରିକେଟରଙ୍କୁ ଦେବେ ଗୁରୁତ୍ୱ

ଅପରାହ୍ନ ୩ଟାରେ ଦାଖଲ କରିବେ ପ୍ରାର୍ଥୀପତ୍ର

331

କନକ ବ୍ୟୁରୋ: ବିସିସିଆଇର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବା ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ସୌରଭ ଗାଙ୍ଗୁଲି । କହିଛନ୍ତି, ଭାରତୀୟ ଦଳ ପାଇଁ ଖେଳିବା ସହ ଅଧିନାୟକତ୍ୱ କରିବାକୁ ସୁଯୋଗ ମିଳିଥିଲା । ଏବେ ଏହା ତାଙ୍କ ପାଇଁ ଆଉ ଏକ ବଡ ସୁଯୋଗ । କମ ସମୟ ହୋଇଥିଲେ ମଧ୍ୟ କିଛି ଭଲ କରିବା ପାଇଁ ପଦକ୍ଷେପ ନେବେ । ପ୍ରଥମ ଶ୍ରେଣୀର କ୍ରିକେଟରଙ୍କୁ ଗୁରୁତ୍ୱ ଦେବେ । ଏବଂ ଏହି ପଦ ପାଇଁ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତେବେ ଅପରାହ୍ନ ୩ଟାରେ ଏହା ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି ।

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବେଙ୍ଗଲ ଟାଇଗର ସୌରଭ ଗାଙ୍ଗୁଲି ବିସିସିଆଇର ପରବର୍ତି ସଭାପତି  ହେବା ପାଇଁ ରାସ୍ତା ପରିସ୍କାର ହୋଇଥିବା ଜଣାପଡିଛି । ସଭାପତି ପଦ ଦୌଡରେ ପୂର୍ବତନ କ୍ରିକେଟର ବ୍ରିଜେଶ ପଟେଲ ମଧ୍ୟ ଥିଲେ । ତେବେ ସେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ଚେୟାରମ୍ୟାନ ରହିପାରନ୍ତି । ସମ୍ପାଦକ ଦାୟିତ୍ୱ ତୁଲାଇବେ ଅମିତ ଶାହାଙ୍କ ପୁଅ ଜୟ ଶାହା । ଅରୁଣ ସିଂହ ଠାକୁର ଟ୍ରେଜରର ରହିବେ । କିଛି ଦିନ ମଧ୍ୟରେ ଏନେଇ ଆନୁଷ୍ଠାନିକ ଘୋଷଣା କରିପାରେ ବିସିସିଆ ।

ଭାରତର ଅନ୍ୟତମ ସଫଳ କ୍ରିକେଟ ଅଧିନାୟକ ଭାବେ ପରିଚିତ ୪୭ବର୍ଷିୟ ଗାଙ୍ଗୁଲି ବେଙ୍ଗଲ କ୍ରିକେଟ ସଂଘର ସଭାପତି ଅଛନ୍ତି । ସେଥିପାଇଁ ମାତ୍ର ୧୦ ମାସ ପର୍ଯ୍ୟନ୍ତ ବିସିସିଆଇର ସଭାପତି ପଦରେ ସେ ରହିପାରିବେ । ବିସିସିଆଇର ବର୍ତମାନର ଯାହା ସ୍ଥିତି ରହିଛି ତାକୁ ସୁଧାରିବା ଗାଙ୍ଗୁଲିଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ।