ଧୋନିଙ୍କ ଅବସରକୁ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ବୟାନ । କହିଲେ ଏମିତି କଥା ।

8,242

କନକ ବ୍ୟୁରୋ : ବିସିସିଆଇର ସଭାପତି ଭାବେ ଦାୟିତ୍ୱ ନେବା ପରେ ବଡ ବୟାନ ଦେଇଛନ୍ତି ସୌରଭ ଗାଙ୍ଗୁଲି । ସାମ୍ବାଦିକ ସମ୍ମିଳନୀରେ ଧୋନୀଙ୍କ ଅବସରକୁ ନେଇ ଗାଙ୍ଗୁଲି ବଡ ବୟାନ ଦେଇଛନ୍ତି । ଧୋନୀ କେବେ ଅବସର ନେବେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଗାଙ୍ଗୁଲି କହିଛନ୍ତି, ମାହି ଭାରତୀୟ କ୍ରିକେଟରେ ଜଣେ ମହାନ ଖେଳାଳି । ଯେତେବେଳ ଯାଏଁ ମୁଁ ଅଛି ପ୍ରତ୍ୟେକ ଖେଳାଳିଙ୍କୁ ସମ୍ମାନ ଦିଆଯିବ । ଏପରିକି ଯେଉଁମାନେ ଚାମ୍ପିୟନ ଖେଳାଳି ସେମାନଙ୍କର ଖେଳ ଶୀଘ୍ର ଶେଷ ହୁଏ ନାହିଁ ।

ସେହିଭଳି ଧୋନୀଙ୍କ ଅବସର ନିଷ୍ପତି ସେ ନିଜେ ନେବେ । ଏହାଉପରେ ଚୟନ କମିଟି କିମ୍ବା ଟିମ୍ ମ୍ୟାନେଜମେଣ୍ଟ କୌଣସି ନିଷ୍ପତି ନେଇପାରିବେ ନାହିଁ । ଏପରିକି ଅବସର ନେଇ ତାଙ୍କ ଉପରେ କୌଣସି ଚାପ ମଧ୍ୟ ପକାଯିବ ନାହିଁ । ଗାଙ୍ଗୁଲି ବିସିସିଆଇ ସଭାପତି ଭାବେ ଦାୟିତ୍ୱ ନେବା ପୂର୍ବରୁ ଧୋନିଙ୍କ ଅବସର ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ମଧ୍ୟ ଧୋନିଙ୍କୁ ବିଶ୍ରାମ ଦିଆଯାଇଥିଲା । ତେବେ ଧୋନି କିମ୍ବା ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ଏନେଇ କୌଣସି ବୟାନ ଆସିନଥିଲା ।

ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରେ ଧୋନିଙ୍କୁ ଭାରତୀୟ ଦଳର ଡ୍ରେସିଂ ରୁମରେ ଦେଖିବାକୁ ମିଳିଥିଲା । ଏହାର ଫଟୋ ଟ୍ୱିଟରରେ ସେୟାର କରିଥିଲେ କୋଚ୍ ରବି ଶାସ୍ତ୍ରୀ । ସେହିଭଳି ସଭାପତି ଭାବେ ଦାୟିତ୍ୱ ନେବା ପରେ କୋହଲିଙ୍କ ସହ କଥା ହୋଇନଥିବା କହିଛନ୍ତି ଗାଙ୍ଗୁଲି । ଟିମ୍ ପାଇଁ ବିରାଟ କୋହଲି ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଓ ଆଗାମୀ ଦିନରେ ତାଙ୍କର ଦଳରେ ବଡ ଭୂମିକା ରହିବ ।