ବିରାଟଙ୍କୁ ଦାଦାଙ୍କ ପରାମର୍ଶ ! ପ୍ରଥମ ଟେଷ୍ଟରେ ପରାଜୟ ପରେ ଦଳରେ ପରିବର୍ତ୍ତନ ନକରିବାକୁ କୋହଲିଙ୍କୁ ପରାମର୍ଶ ଦେଲେ ସୌରଭ ଗାଙ୍ଗୁଲି ।

31

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଭାରତକୁ ହରାଇ ୧-୦ ରେ ଆଗୁଆ ରହିଛି । ଏହି ମ୍ୟାଚରେ ଭାରତ ଇଂଲଣ୍ଡ ଠାରୁ ୩୧ ରନରେ ହାରି ଯାଇଥିଲା । ବିରାଟ କୋହଲିଙ୍କୁ ଛାଡି ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଇଂଲଣ୍ଡ ଖେଳାଳୀ ମାନଙ୍କ ଆଗରେ ହାର ମାନିଥିଲେ । ତେବେ ଆସନ୍ତା ଗୁରୁବାର ଠାରୁ ସିରିଜର ଦ୍ୱିତୀୟ ମ୍ୟାଚ ଆରମ୍ଭ ହେବାକୁ ଯାଉଛି ।

ପ୍ରଥମ ଟେଷ୍ଟ ମ୍ୟାଚରେ ହାରିବା ପରେ ପରବର୍ତ୍ତୀ ମ୍ୟାଚ ପାଇଁ ଦଳରେ କୌଣସି ପରିବର୍ତ୍ତନ ନ ଆଣିବା ପାଇଁ ସୌରଭ ଗାଙ୍ଗୁଲି କ୍ୟାପଟେନ ବିରାଟ କୋହଲିଙ୍କୁ ପରାମର୍ଶ ଦେଇଛନ୍ତି । ଏବଂ ଏହା ସହ ମୁରଲି ବିଜୟ ଓ ଆଜିଙ୍କ୍ୟ ରାହାଣେଙ୍କୁ ଅଧିକ ଦକ୍ଷତାପୂର୍ଣ୍ଣ ଭାବେ ବ୍ୟାଟିଂ କରିବା ପାଇଁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ପରାମର୍ଶ ଦେଇଛନ୍ତି ।

ବର୍ମିଂହାମ ଟେଷ୍ଟ ମ୍ୟାଚରେ ମୁରଲି ବିଜୟ ୨୦ ଓ ୬ ରନ କରିଥିବା ବେଳେ ମଧ୍ୟକ୍ରମୀ ବ୍ୟାଟ୍ସମ୍ୟାନ ଭାବେ ଆସିଥିବା ଯୁବତାରକା ଆଜିଙ୍କ୍ୟ ରାହାଣେ ୧୫ ଓ ୨ ରନ କରିଥିଲେ । ଏହି ଦୁଇଜଣ ବ୍ୟାଟ୍ସମ୍ୟାନ ମିଶି କେବଳ ୪୩ ରନ କରିଥିଲେ । ମ୍ୟାଚରେ ଅଧିନାୟକ ବିରାଟ କୋହଲିଙ୍କୁ ବାଦ ଦେଲେ ଅନ୍ୟ କୌଣସି ଖେଳାଳୀ ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି । ଦଳର ଦୁର୍ବଳ ବ୍ୟାଟିଂ ପାଇଁ ପ୍ରଥମ ଟେଷ୍ଟ ମ୍ୟାଚରେ ଏକ ନିଶ୍ଚିତ ବିଜୟ ହାତଛଡା କରିଥିଲା ଟିମ୍ ଇଣ୍ଡିଆ । ତେବେ ଦ୍ୱିତୀୟ ମ୍ୟାଚରେ ନିଜ ତ୍ରୁଟି ସୁଧାରିବାକୁ ପ୍ରାକ୍ଟିସ ଆରମ୍ଭ କରିଦେଇଛନ୍ତି ଭାରତୀୟ ଖେଳାଳୀ । ଦଳରେ ତାରକା ଖେଳାଳୀ ରହିଥିବାରୁ ପରବର୍ତ୍ତୀ ମ୍ୟାଚରେ ଦଳରେ କୌଣସି ପରବର୍ତ୍ତନ ନକରିବା ପାଇଁ ବିରାଟଙ୍କୁ ପରାମର୍ଶ ଦେଇଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ।