ରଥଯାତ୍ରା ପାଇଁ ଆତଙ୍କବାଦୀଙ୍କ ଉପରେ କଡ଼ା ନଜର ! ସମୁଦ୍ରରେ ଜଗିଛି ପାଟ୍ରୋଲିଂ ଜାହାଜ ‘ସୌନିକ୍’

27

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ଆତଙ୍କବାଦୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଆତଙ୍କବାଦୀମାନେ ଯେଭଳି ସମୁଦ୍ରପଥରେ ପ୍ରବେଶ କରିନପାରିବେ, ସେଥିପାଇଁ ପାଟ୍ରୋଲିଂ ଜାହାଜ ‘ସୌନିକ’ ମୁତୟନ କରାଯାଇଛି । ପ୍ରତିକୂଳ ପାଗ ସତ୍ୱେ ‘ସୌନିକ’ ଆଜି ସମରାଭ୍ୟାସ ଆରମ୍ଭ କରିଛି । ଏକ ହେଲିକପ୍ଟର ସହିତ ପୁରୀ ଯାତ୍ରା କରିଥିବା ଜଣାପଡ଼ିଛି ।

ରଥଯାତ୍ରା ସମୟରେ ଆତଙ୍କବାଦୀମାନେ ପୁରୀକୁ ଟାର୍ଗେଟ କରିପାରିନ୍ତି ବୋଲି ଆଶଙ୍କା ରହିଛି । ଏହି ଆଶଙ୍କାକୁ ଭିତ୍ତି କରି ପାଟ୍ରୋଲିଂ ଜାହାଜ ‘ସୌନିକ୍’ ମୁତୟନ କରାଯାଇଛି । ଗୋଆ ସିପୟାର୍ଡ଼ ଲିମିଟେଡ଼୍ ଦ୍ୱାରା ନିର୍ମିତ ‘ସୌନିକ୍’ର ଲମ୍ବ ହେଉଛି ୧୦୫ ମିଟର । ଏଥିରେ ଗୋଟିଏ ହେଲିକପ୍ଟର ରହିବାର ବ୍ୟବସ୍ଥା ରହିଛି । ଏହାସହ ୩୦ ଏମଏସ୍ କ୍ଲୋଜ୍ ରେଞ୍ଜ ନାଭାଲ ଗନ ଖଞ୍ଜାଯାଇଛି ।

ଏହାସହ ଏଥିରେ ୫ଟି ଦ୍ରୁତଗାମୀ ବୋଟ୍ ମଧ୍ୟ ରଖାଯାଇଛି । ଚଳିତବର୍ଷ ଫେବ୍ରୁଆରୀ ୨୧ରେ ‘ସୌନିକ’ ତଟରକ୍ଷୀ ବାହିନୀରେ ସାମିଲ ହୋଇଥିଲା । ଏହି ଜାହାଜ ଘଣ୍ଟା ପ୍ରତି ୪୮.୧୫ କିଲୋମିଟର ବେଗରେ ଗତି କିରପାରିବ । ଏହି ଜାହାଜରେ ୧୪ ଜଣ ତଟରକ୍ଷୀ ଅଧିକାରୀ, ୯୮ ଜଣ ଯବାନ ଓ ନାବିକ କାର୍ଯ୍ୟରତ ଅଛନ୍ତି ।

ତଟରକ୍ଷୀ ବାହିନୀରେ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ‘ସୌନିକ’ ସହିତ ଆଉ ୨ଟି ଜାହାଜ ବି ମୁତୟନ କରାଯିବ । ଯେକୌଣସି ପରସ୍ଥିିତିର ସାମ୍ନା କରିବା ପାଇଁ ଜାହାଜରେ ଥିବା ଅଧିକାରୀମାନେ ପ୍ରସ୍ତୁତ ରହିବେ ।