ବିଜେଡିରେ ସାମିଲ ହେଲେ ସୈାମ୍ୟରଂଜନ ପଟ୍ଟନାୟକ । ନବୀନ କହିଲେ, ଲାଭବାନ୍ ହେବ ଦଳ ।

74

ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଆମ ଓଡିଶା ପାର୍ଟି ଅଧ୍ୟକ୍ଷ ସୈାମ୍ୟରଂଜନ ପଟ୍ଟନାୟକ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ନବୀନ କହିଛନ୍ତି, ସୈାମ୍ୟରଂଜନଙ୍କ ଯୋଗଦାନ ଫଳରେ ଦଳ ଲାଭବାନ ହେବ । ଏନେଇ ସେ ଦୃଢ ନିଶ୍ଚିତ ଥିବା ନବୀନ କହିଛନ୍ତି । ବିଜେଡିର ତମାମ ବରିଷ୍ଠ ନେତା, ବିଧାୟକ ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।


ବିଜେଡିରେ ଯୋଗଦେବା ପରେ ସୈାମ୍ୟରଂଜନ କହିଛନ୍ତି, ୨୩ ବର୍ଷ ତଳେ ବିଜୁ ବାବୁଙ୍କ ବିରୋଧରେ ଭୁବନେଶ୍ୱର ବିଧାନସଭା ଆସନରୁ ନିର୍ବାଚନ ଲଢୁଥିଲି । ବିଜୁ ବାବୁ ଜିତିଲା ପରେ ବ୍ୟକ୍ତିଗତ ଭାବେ ଡାକି ତାଙ୍କ ସହ ଯୋଗ ଦେବାକୁ କହିଥିଲେ । ୨୩ ବର୍ଷ ପରେ ତାଙ୍କ ନାମରେ ପ୍ରତିଷ୍ଠିତ ଦଳରେ ଯୋଗ ଦେଉଛି । ମୁଁ ବିଚାର କରୁଛି, ଭାରତରେ ତଥା ଓଡିଶାର ରାଜନୈତିକ ଅବସ୍ଥା ଯାହା, ସେଥିରେ ସବୁ ରାଜନୈତିକ ଶକ୍ତିମାନେ ବିଚାର ଅନୁସାରେ ସଂଗଠିତ ହେବା ଦରକାର । ବହୁ ଆଗରୁ କହିଛି, ବ୍ୟକ୍ତି ଆଉ ଦଳ ଯେତିକି ଗୁଗୁରତ୍ୱପୁର୍ଣ୍ଣ ନୁହେଁ, ପ୍ରସଙ୍ଗ ଏବଂ ବିଚାର ତାଠାରୁ ଅଧିକ ।

ସୈାମ୍ୟରଂଜନ କହିଛନ୍ତି, ଆଜି ଆମ ପାଖରେ ଦୁଇଟି ପ୍ରସଙ୍ଗ ଗୁରୁତ୍ୱପୁର୍ଣ୍ଣ । ଦେଶ ପାଇଁ ଭାରତ ବିଚାରର ଗୋଟିଏ ପ୍ରସଙ୍ଗ ଉଠିଛି । ଓଡିଶା ପାଇଁ ସ୍ୱାର୍ଥ, ବିକାଶ ଓ ସ୍ୱାଭିମାନର କଥା ଉଠିଛି । ମୁଁ ଭାବୁଛି ଭାରତର ବିଚାର ଯେଉଁ ସଂକଟରେ ଅଛି ଓଡିଶାର ସ୍ୱାର୍ଥ, ସ୍ୱାଭିମାନ ପାଇଁ ସବୁ ରାଜନୈତିକ ଶକ୍ତି ନିଜ ନିଜ ଦୃଷ୍ଟିକୋଣରୁ ସଂଗଠିତ ହେବା ଦରକାର ଏବଂ ନିର୍ଣ୍ଣାୟକ ଭୂମିକାରେ ରହି ବିକାଶ ପଦ୍ଧତିକୁ ତଥା ସ୍ୱାର୍ଥ ସ୍ୱାଭିମାନ ଓ ବିଚାରକୁ ସୁରକ୍ଷିତ ରଖିବା ପାଇଁ ଆଗେଇ ଆସିବ ଦରକାର । ତେବେ ଆମ ଓଡିଶା ବିଜେଡିରେ ବିଲୟ ହୋଇଛି କି ପଶ୍ନର ଉତ୍ତରରେ ସୈାମ୍ୟରଂଜନ କହିଥିଲେ, ଏନେଇ ଆନୁଷ୍ଠାନିକ ଘୋଷଣା ହେବେ । ଆମ ଓଡିଶା ପାର୍ଟିରେ ଯେଉଁମାନେ ଥିଲେ ସେମାନେ ବିଜେଡିରେ ସାମିଲ ହେବେ ।

ସୈାମ୍ୟରଂଜନ ପଟ୍ଟନାୟକଙ୍କର ରହିଛି ଦୀର୍ଘ ରାଜନୈତିକ ଅଭିଜ୍ଞତା । ୧୯୯୫ରେ ସେ ରାଜନୀତିରେ ପାଦ ଥାପିବା ସହ ୧୯୯୬ରେ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ । କଂଗ୍ରେସ ଟିକେଟରେ ସେ ଏକାଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସାମ୍ବାଦିକତା କ୍ଷେତ୍ରରେ ଯଥେଷ୍ଟ ସଫଳତା ହାସଲ କରି ନିଜ ପାଇଁ ଏକ ସ୍ଥାନ ହାସଲ କରି ପାରିଥିବା ସୈାମ୍ୟରଂଜନ ରାଜନୀତି କ୍ଷେତ୍ରରେ ମଧ୍ୟ ନିଜ ପ୍ରତିଷ୍ଠା ହାସଲ କରିବାରେ ସକ୍ଷମ ହୋଇଥିଲେ । ବିଚାରଧାରା ସହ କେବେ ସାଲିସ କରିନଥିବା ଏହି ରାଜନେତା ସବୁବେଳେ ନିଜର ସ୍ପଷ୍ଟ ମତ ପାଇଁ ଚର୍ଚ୍ଚିତ ରହୁଥିଲେ । ଯେତେବେଳେ ରାଜ୍ୟରେ କଂଗ୍ରେସର ସ୍ଥିତି ଦୁର୍ବଳ ଥିଲା, ସେହି ସମୟରେ ଦଳକୁ ସଂଗଠିତ କରିବାକୁ ମୁହିମ ଆରମ୍ଭ କରିଥିଲେ ସୈାମ୍ୟରଂଜନ । ହେଲେ ଦିଲ୍ଲୀ ଦରବାରରେ ଏକ ଭିନ୍ନ ଚିତ୍ର ଉପସ୍ଥାପନ କରିବାରେ ରାଜନୈତିକ ବିରୋଧୀ ସକ୍ଷମ ହୋଇଥିଲେ, ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଥିଲା । ମା’, ମାଟି ଓ ମାତୃଭାଷା ପାଇଁ ୨୦୧୪ ନିର୍ବାଚନ ବେଳେ ସେ ଗଠନ କରିଥିଲେ ଆମ ଓଡିଶା ପାର୍ଟି ।

ରାଜ୍ୟରେ ବିଭିନ୍ନ ସଂଗଠନ ଓ ସମସ୍ୟା ସହ ନିଜକୁ ଜଡିତ କରାଇ ସୈାମ୍ୟରଂଜନ ଖୋଜୁଥିଲେ ସମାଧାନର ରାସ୍ତା । ଖାସ୍ କରି ଚଷା, ଭାଷା, ନିଶା ଆଉ ଚିଟଫଣ୍ଡ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ କେବେ ପଛଘୁଂଚା ଦେଇନଥିଲେ । ସାରା ରାଜ୍ୟର ୩୧୪ ବ୍ଲକରେ ସାମାଜିକ କାର୍ଯ୍ୟ ଦ୍ୱାରା ନିଜ ପାଇଁ ପ୍ରତିଷ୍ଠା ହାସଲ କରିପାରିଥିଲେ ସୈାମ୍ୟରଂଜନ ।