ଜଳୁନି ବିଜୁଳି, ଆସୁଛି ବିଲ୍ ! ବାଲେଶ୍ୱରର କାଳରୁହି ଗ୍ରାମରେ ପ୍ରହସନ ପାଲଟିଛି ସୌଭାଗ୍ୟ ଯୋଜନା

231

କନକ ବ୍ୟୁରୋ : ଦେଶର ପ୍ରତି ଘରକୁ ବିଜୁଳି ପହଂଚାଇବା ଲକ୍ଷ୍ୟରେ ମୋଦି ସରକାର ଆରମ୍ଭ କରିଥିଲେ ସୌଭାଗ୍ୟ ଯୋଜନା । ପ୍ରତି ଗରିବ ପରିବାରକୁ ବିଜୁଳି ପହଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ଯୋଜନା । ସୌଭାଗ୍ୟ ଯୋଜନା ଜରିଆରେ ଗରିବ ଲୋକ ଉପକୃତ ହେବେ । ଡିବିରି ଆଲୁଅରୁ ପାଠ ପଢ଼ା ପିଲାଙ୍କୁ ମୁକ୍ତି ମିଳିବ, ମହିଳାମାନେ ରାତିରେ ରୋଷଇ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେବେନି ଓ ଯେଉଁମାନେ ଟଙ୍କା ଦେଇ ବିଦ୍ୟୁ ତସଂଯୋଗ କରିପାରିବେ ନାହିଁ ସେହିମାନଙ୍କ ପାଇଁ ଆରମ୍ଭ ହୋଇଥିଲା ସୌଭାଗ୍ୟ ଯୋଜନା । ହେଲେ ଯୋଜନା ଆରମ୍ଭ ହେବାର କିଛି ମାସ ନପୁରୁଣୁ ସୌଭାଗ୍ୟ ଯୋଜନା ଫେଲ ମାରିଛି ।  ବାଲେଶ୍ୱର ଜିଲା ବାଲିଆପାଳ କାଳରୁହି ଗ୍ରାମରେ ବିଦ୍ୟୁତ ବ୍ୟବହାର ନକରି ମଧ୍ୟ ଲୋକଙ୍କ ପାଖକୁ ଆସିଛି ବିଜୁଳି ବିଲ୍ ।

ଫେଲ ମାରିଛି ସୌଭାଗ୍ୟ ଯୋଜନା । ଟ୍ରାନ୍ସଫର୍ମର ନାହିଁ କି ବିଦ୍ୟୁତ ଖୁଣ୍ଟରେ ତାର ନାହିଁ ତଥାପି ଆସୁଛି ବିଲ୍ ।  ବାଲେଶ୍ୱର ଜିଲା ବାଲିଆପାଲ ବ୍ଲକ କାଳରୁହି ଗ୍ରାମରେ ୪୦ ରୁ ଉର୍ଦ୍ଧ୍ୱ ପରିବାରକୁ ଏଯାଏଁ ବିଦ୍ୟୁତ ସଂଯୋଗ କରାଯାଇ ନାହିଁ । ହେଲେ ଠିକାଦାର ଓ ବିଭାଗୀୟ ଅଫିସର ବିଲ ଉଠାଇ ମାଲାମାଲ ହେଉଥିବା ଅଭିଯୋଗ ହେଉଛି । ଗ୍ରାମବାସୀଙ୍କୁ କେବଳ ମିଟର ଦେଇ ହଜାର ହଜାର ଟଙ୍କାର ବିଦ୍ୟୁତ ବିଲ ଲଗାଯାଇଛି । କିପରି ବିଦ୍ୟୁତ ବିଲ ଆସୁଛି ତାହା ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କାଲରୁହି ଗ୍ରାମର ଜଣେ ଛାତ୍ରୀ କହିଛନ୍ତି ଘରେ ଯେତେବେଳେ ମିଟର ବସିଲା ସେ ଖୁସି ହୋଇଯାଇଥିଲେ । ବିଦ୍ୟୁତ ଆସିଗଲା ଆଉ ଅନେକ ଦିନ ପରେ ବିଜୁଳି ଆଲୁଅରେ ପାଠ ପଢ଼ିବାର ସ୍ୱପ୍ନ ପୂରଣ ହେବ ବୋଲି ଚିନ୍ତା କଲେ । କିନ୍ତୁ ଯୋଜନା ଆରମ୍ଭ ହେଲା ସତ କିନ୍ତୁ ଲୋକ ଉପକୃତ ହେଲେନି । ଏବେ ବି ପୂର୍ବପରି ଡିବିରି ବ୍ୟବହାର କରୁଛନ୍ତି ଲୋକେ ।

ତେବେ ଏନେଇ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ୭ ଦିନ ପୂର୍ବରୁ ଅଭଯୋଗ ହୋଇଥିବା କଥା ସେ ପ୍ରକାଶ କରିଛନ୍ତି । ତୁରନ୍ତ ବିଦ୍ୟୁତ ସଂଯୋଗ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ମାତ୍ର ଜେଇଙ୍କ ବିନା ଦସ୍ତଖତରେ କିପରି ଠିକାଦାର ବିଦ୍ୟୁତ ସଂଯୋଗ ନକରି ବିଲ ଉଠାଲେ ସେ ପ୍ରଶ୍ନକୁ ସହକାରି ଯନ୍ତ୍ରୀ ଏଡାଇ ଯାଇଥିଲେ । ତେବେ ବିଭାଗୀୟ ଅଫିସର ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଏହି ଘୋଟାଲା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।