କନକ ବ୍ୟୁରୋ : ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ନରଣଗଡର ପଥର ଶିଳ୍ପୀ । ପୂର୍ବଭଳି ଆଉ ଶୁଭୁନି ଶିଲ୍ପୀର ନିହାଣ ମୁନର ଶବ୍ଦ । ଲାଗୁଛି ଯେମିତି ସ୍ୱରର କଣ୍ଠରୋଧ କରାଯାଉଛି । ନା ଏଥିପାଇଁ ସରକାରଙ୍କ ପ କ୍ଷରୁ କୌଣସି ପଦକ୍ଷେପ ନିଆଯାଉଛି ନା କାରିଗରଙ୍କୁ ଅନୁମତି ମିଳୁଛି । ଫଳରେ ଖୋର୍ଧା ବ୍ଲକ ନରଣଗଡ଼ ପଥର ଶିଳ୍ପ ଏବେ ଦୁର୍ଦ୍ଦିନ ଆଡ଼କୁ ଠେଲି ହୋଇଯାଇଛି। ପଥର ଅଭାବରୁ ନରଣଗଡ଼ର ୫ଶହରୁ ଊର୍ଧ୍ୱ ପଥରଶିଳ୍ପୀଙ୍କ ନିହାଣର ସ୍ୱର ଧୀରେଧୀରେ ନିରବି ଯାଉଛି। ପଥର କାରିଗରୀର ଏନ୍ତୁଡ଼ିଶାଳ କୁହାଯାଉଥିବା ନରଣଗଡ଼ ଗ୍ରାମବାସୀ ଏବେ ଏଇ ବିଷମ ସମସ୍ୟା ସହ ଯୁଝି ହେଉଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ପରିବାର କିପରି ପୋଷିବେ, ସେହି ଚିନ୍ତା ଘାରିଛି। ପଥର ଅଭାବରୁ କେତେକ ପଥରଶିଳ୍ପୀ ଏହି କୌଳିକ ବୃତ୍ତିରୁ ମୁହଁ ଫେରାଇ ଅନ୍ୟ କାମଧନ୍ଦା ଅନେଷଣରେ ବାହାରକୁ ଚାଲି ଯାଉଛନ୍ତି। ଏମିତିକି ଅନେକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯିବାକୁ ଗୋଡ଼ ବଢ଼େଇଲେଣି। ହେଲେ ସରକାରଙ୍କୁ ନିଘା ନାହିଁ।
ପଥର ଦେହରେ ଜୀବନ୍ୟାସ ଦେଇ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତ ଗଢ଼ିବାଠାରୁ ଆରମ୍ଭ କରି ସୁନ୍ଦର କାରୁକାର୍ୟ୍ୟ ପାଇଁ ନରଣଗଡ଼ର କାହିଁ କେତେକାଳରୁ ନାଁ ରହିଛି। ନିହାଣ ଓ ହାତୁଡ଼ି ଦ୍ଵାରା ପଥରକୁ ଜୀବନ୍ୟାସ ଦେଇ ସେମାନେ ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ଖ୍ୟାତି ଅର୍ଜନ କରିଛନ୍ତି। ନରଣଗଡ଼ ନିକଟ ଭୋଗପୁର, ହାଡ଼ପଦା, କୁରୁମପଡ଼ା ଆଦି ଅଞ୍ଚଳରେ ମଧ୍ୟ ପଥରଶିଳ୍ପୀମାନେ ବାପଅଜା ଅମଳରୁ ଏହି କାମ କରି ପେଟ ପୋଷି ଆସୁଛନ୍ତି। ଏବେ କିନ୍ତୁ ଆଉ ସେମାନେ ପାଖ ପାହାଡ଼ରୁ ବଉଳମାଳିଆ ପଥର ପାଇ ପାରୁ ନାହାନ୍ତି।
ମୂର୍ତି ଗଢ଼ିବା ତ ଦୂରର କଥା, ଚନ୍ଦନ ପେଡ଼ିଟିଏ ପାଇଁ ମଧ୍ୟ ପଥର ମିଳୁନାହିଁ। କେତେବେଳେ କେମିତି ପାହାଡ଼ ପାଖରେ ପଡ଼ିଥିବା ପଥର ଖଣ୍ଡେ ଗୋଟାଇ ଆଣି ମୂର୍ତିଟିଏ ଗଢ଼ି ଦେଉଛନ୍ତି ସିନା ଏଥିରେ କିନ୍ତୁ ସେମାନଙ୍କ ସମସ୍ୟାର ସମାଧାନ ହୋଇଯାଉ ନାହିଁ।ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧୀନରେ ଥିବା ନରଣଗଡ଼ର ବଉଳମାଳିଆ ପଥର ପାହାଡ଼ ଖାଣ୍ଡୋଲାଇଟ ଡେକୋରେଟିଭ ଷ୍ଟୋନ ଭାବେ ମାନ୍ୟତା ପାଇବା ପରେ ରାଜ୍ୟ ଖଣି ବିଭାଗ ଏଥିରୁ ପଥର ଉତ୍ତୋଳନ କରିବା ଉପରେ ରୋକ ଲଗାଇଛି। ଗତ ୨୦୧୩-୧୪ ମସିହାରେ ଉତ୍କଳିକାକୁ ଏଠାରୁ ପଥର ଉତ୍ତୋଳନ କରିବା ପାଇଁ ଖଣି ବିଭାଗଠାରୁ ଲାଇସେନସ ମିଳିଥିଲା।
ମାତ୍ର ବର୍ଷକ ପରେ ଉତ୍କଳିକାଠାରୁ ଏହି ସୁବିଧା ପ୍ରତ୍ୟାହାର କରି ନିଆଯାଇଛି। ଏବେ ଲାଇସେନସ କାହାକୁ ଦିଆଯାଇନାହିଁ। ସରକାର ଏ ଦିଗରେ କୌଣସି ନୀତିଗତ ନିଷ୍ପତ୍ତି ନେଇ ପାରୁନଥିବାରୁ ପ୍ରାୟ ତିନି ଚାରିବର୍ଷ ହେବ ପଥରଶିଳ୍ପୀମାନେ ବଉଳମାଳିଆ ପଥର ପାଇ ପାରୁନାହାନ୍ତି। ଫଳରେ ପଥର ଶିଳ୍ପକୁ ଆପଣେଇ ନେଇଥିବା ସମ୍ପୃକ୍ତ ଅଞ୍ଚଳର ୫ଶହରୁ ଊର୍ଧ୍ୱ ଶିଳ୍ପୀଙ୍କ ଘରେ ଏବେ ଚୁଲି ଜଳିବା ବି କଷ୍ଟକର ହୋଇପଡ଼ିଛି ବୋଲି ସମାଜସେବୀ ଲିଙ୍ଗରାଜ କୋଦମାସିଂହ କହିଛନ୍ତି।
ସରକାର ଯଦି ଏହି ପଥରଶିଳ୍ପୀମାନଙ୍କ ହାତକୁ କାମ ଯୋଗାଇ ଦେବା ପାଇଁ ପଥରର ବ୍ୟବସ୍ଥା ନ କରନ୍ତି, ତେବେ ଏହି ପରିବାରଗୁଡ଼ିକର ଭରଣପୋଷଣ କରିବା କଷ୍ଟକର ହୋଇପଡ଼ିବ। ଏହାସହ ଦାରିଦ୍ର୍ୟ ଓ ଅର୍ଥାଭାବ ଯୋଗୁଁ କୌଣସି ଅଘଟଣ ଘଟିବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦେଇ ହେବ ନାହିଁ। ଏହିପରି ଅଚଳାବସ୍ଥା ଲାଗି ରହିଲେ ଏପରିକି ଶ୍ରୀମନ୍ଦିର କାର୍ୟ୍ୟ ପାଇଁ ମଧ୍ୟ ଏଠାରୁ ପଥର ଖଣ୍ଡିଏ ଯାଇପାରିବ ନାହିଁ ବୋଲି ଶ୍ରୀ କୋଦମାସିଂହ କହିଛନ୍ତି। ତେଣୁ ଖୁବଶୀଘ୍ର ରାଜ୍ୟ ସରକାର ପଥର ଯୋଗାଣର ବ୍ୟବସ୍ଥା କରି ଏହି ପଥରଶିଳ୍ପୀ ପରିବାରଗୁଡ଼ିକୁ ସେମାନଙ୍କ କୌଳିକ ବୃତ୍ତି ବଞ୍ଚାଇ ରଖିବାକୁ ପ୍ରୋତ୍ସାହିତ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।