ଇଏ ବି ଜଣେ ନାରୀ ! ସାଇକେଲରେ ଫେରି କରି ପରିବାର ଚଳାଉଛନ୍ତି ପ୍ରଭାସିନୀ

124

କନକ ବ୍ୟୁରୋ : ନାରୀ ନୁହେଁ ଅବଳା ଦୁର୍ବଳା । ହେଉ ଯୁଦ୍ଧଭୂମି ରେ ଅବା କର୍ମଭୂମିରେ । ଦରକାର ପଡ଼ିଲେ ସେ ବି କରିପାରେ ସଂଘର୍ଷ । ପୁଣି କେତେବେଳେ ବଂଚିବା ପାଇଁ ଜୀବନ ସହିତ ତାକୁ କରିବାକୁ ପଡ଼େ ସଂଗ୍ରାମ । ଜୀବନ ଓ ସଂଗ୍ରାମକୁ ନିଜର କରି ଜିତିବା ଲକ୍ଷ୍ୟରେ ଲଢି ଚାଲିଥିବା ଭଳି ଜଣେ ସାହାସୀ ମହିଳା ହେଉଛନ୍ତି ପ୍ରଭାସିନୀ ସାହୁ ।

ପୁରୀ ଜିଲ୍ଲା ପିପିଲି ବ୍ଲକ ରୂପଦେଇପୁର ପଂଚାୟତର ମୈାଜିବେଗ ଗ୍ରାମ । ଏହି ଗ୍ରାମରେ ରହୁଛନ୍ତି ପ୍ରଭାସିନୀ । ନିଜ ମା’ ହାରା ସାହୁ ଓ ସ୍ୱାମୀ ସୁକାନ୍ତ ସାହୁ ଓ ଦୁଇ ଗୋଟି ସନ୍ତାନକୁ ନେଇ ପ୍ରଭାସିନୀଙ୍କ ଛୋଟ ପରିବାର । ପ୍ରଭାସିନୀ ତାଙ୍କ ପରିବାରର ସାନ ଝିଅ । ଯେତେବେଳେ ପ୍ରଭାସିନୀଙ୍କୁ ମାତ୍ର ୧୦ ବର୍ଷ ହୋଇଥିଲା କୈାଣସି କାରଣରୁ ତାଙ୍କ ବଡ଼ ଭାଇଙ୍କୁ ହତ୍ୟା କରିଦିଆଗଲା । କିଛି ଦିନ ପରେ ବାପା ମଧ୍ୟ ଛାଡ଼ି ଚାଲିଗଲେ । ବୃଦ୍ଧା ମା’ର ମୁହଁକୁ ଚାହିଁ ପରିବାରର ବୋଝକୁ ନିଜ କାନ୍ଧକୁ ନେଇଥିଲେ ପ୍ରଭାସିନୀ ।

ପରିବାର ଚଳାଇବା ପାଇଁ ହିଁ ମାତ୍ର ଚତୁର୍ଥ ଶ୍ରେଣୀରୁ ପ୍ରଭାସିନୀଙ୍କ ପାଠ ପଢାରେ ପୁର୍ଣ୍ଣଚ୍ଛେଦ ଲାଗିଗଲା । ଯେଉଁ ସମୟରେ ଆଖିରେ ଆଖିଏ ସ୍ୱପ୍ନ ଧରି ଧୂଳି ଖେଲିବା କଥା ସେତେବେଳେ ସେ ଦେଖିଥିଲେ ପରିବାରର ଦୁଃଖ । ଖାତା, କଲମ ଧରି ପାଠ ପଢିବା ବଦଳରେ ଭାଗ୍ୟ ଧରାଇଦେଲା ତାଙ୍କୁ ଖଣ୍ଡେ ସାଇକେଲ । ଆଉ ସାଇକେଲରେ ଗାଁ ଗାଁ ବୁଲି ଫେରି କରି ପରିବାର ଚଳାଇବା ପାଇଁ ଚିନ୍ତା କରି ପ୍ରଭାସିନୀ ମାତ୍ର ୧୦ ବର୍ଷ ବୟସରୁ ହିଁ ତାଙ୍କ ଗାଁ ବୁଲା ବ୍ୟବସାୟ ଆରମ୍ଭ କରିଥିଲେ ।

ନିଜର ସାଇକେଲ ଆଗରେ ୮/୧୦ଟି ବ୍ୟାଗରେ ଡ଼ାଲି, ତେଲ,ଲୁଣ,ହଳଦୀ ଠାରୁ ଆରମ୍ଭ କରି ପାନ ଗୁଆ ପର୍ଯ୍ୟନ୍ତ ଏବଂ ପଛ ପଟେ ଏକ ପେଟିରେ ବରା, ଆଳୁଚପ, ପିଆଜି, ଭଳି କିଛି ଖାଦ୍ୟକୁ ନେଇ ସକାଳୁ ସକାଳୁ ଗାଁ ଗାଁ ବୁଲି ବିକ୍ରି କରିବା ପାଇଁ ବହାରି ଯାଆନ୍ତି ସେ । ଆଖ ପାଖ ପ୍ରାୟ ୫୦ ଖଣ୍ଡ ଗାଁ ବୁଲି କିଛି ବିକ୍ରି ବଟା କରି ସେଥିରେ ତାଙ୍କର ପରିବାରର ଗୁରୁରାଣ ମେଂଟି ଥାଏ । ଦୈନିକ ପ୍ରାୟ ସେ ୩୦ରୁ ୪୦ କି.ମି ବାଟ ବୁଲି ନିଜର ବ୍ୟବସାୟ କରୁଥିବା କୁହନ୍ତି ପ୍ରଭାସିନୀ ।

ମାତ୍ର ୫ବର୍ଷ ପୂବେ ସେ ପୁରୀର ସୁକାନ୍ତ ସାହୁଙ୍କୁ ବିବାହ କରିଥିଲେ । ବୁଢି ମା’କୁ ଛାଡ଼ି ସେ କୁଆଡ଼େ ଯିବେ ନାହିଁ ବୋଲି ସୁକାନ୍ତଙ୍କୁ ଘର ଜ୍ୱାଇଁଆ ହୋଇ ରହିବାକୁ ପଡ଼ିଲା । ସ୍ୱାମୀ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ପ୍ରଭାସିନୀ କିନ୍ତୁ ଅଟକି ନାହାନ୍ତି ତାଙ୍କ କର୍ମପଥରେ । ବରଂ ଆଉ କେତେ ପାଦ ସେ ଆଗେଇ ଯାଇଛନ୍ତି ନିଜର ଏହି ରାସ୍ତାରେ ।

ଘରେ ଜଣେ ସୁଗୃହୀଣୀ ଆଉ ବାହାରେ ଜଣେ କର୍ମଜିବୀ ମହିଳା ଭାବେ ରୂପ ବଦଳାଇବାକୁ ପଡ଼ିଥାଏ । ଘରେ ଥିବା ବେଳ ଶାଢୀ, ଶଙ୍ଖା, ସିନ୍ଦୁରରେ ସଂସାରରେ ସେମିତି କିଛି କଷ୍ଟ କରିବାକୁ ପଡ଼େନି କିନ୍ତୁ ବ୍ୟବସାୟରେ ଯିବାବେଳେ ଡ଼୍ରେସ ଆଉ ସାଇକେଲ ଚଲାଇବା ଦେହସୁହା ହୋଇ ଗଲାଣି ବୋଲି କୁହନ୍ତି ପ୍ରଭାସିନୀ । ଜୀବନ ପଥରେ ବଂଚିବା ପାଇଁ ସଂଘର୍ଷ କରୁଥିବା ପ୍ରଭାସିନୀଙ୍କ ଠାରୁ ସରକାରୀ ସୁବିଧା ସୁଯୋଗ କିନ୍ତୁ ଅନେକ ଦୂରରେ ।

ନାରୀ ଶସକ୍ତିକରଣର ସଫଳତାକୁ ନେଇ ଗର୍ବ କରୁଥିବା ସରକାରଙ୍କ ପାଖରେ କିନ୍ତୁ ପ୍ରଭାସିନୀଙ୍କ ସ୍ୱର ପହଂଚିପାରୁନି । ସରକାରଙ୍କ ସବୁ ଯୋଜନା ଆଉ ଘୋଷଣା ସତେ ଯେମିତି ମୂଲ୍ୟହୀନ ହୋଇପଡ଼ିଛି । ଅବଶ୍ୟ ଅନେକ ଥର ବ୍ଲକ ବାରଣ୍ଡାକୁ ଦୌଡିବା ପରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ତାଙ୍କ ପରିବାରକୁ ଅନ୍ତର୍ଭୁକ୍ତ କରାଯାଇ ରାସନ କାର୍ଡ ଦିଆଯାଇଛି । ବୁଢ଼ୀ ବୟସରେ ମାକୁ ବିଧବା ଭତା ଯୋଗାଇ ଦିଆଯାଇଛି ।

ତେବେ ଦିନକୁ ଦିନ ଛୁଆ ବଡ ହେଉଥିବା ବେଳେ ପ୍ରଭାସିନୀଙ୍କ ବୟସ ବି ଆଉ ସାଇକେଲ ଚଳାଇ ପରିଶ୍ରମ କରିବାକୁ ଅନୁମତି ଦେଉନି । ସତେ ଯେମିତି ବୟସ ତାଙ୍କୁ କ୍ଳାନ୍ତ ବୋଲି ପ୍ରମାଣପତ୍ର ଧରାଇଦେଇଛି । ହେଲେ ଜୀବନଯୁଦ୍ଧରେ ହାରି ନଥିବା ପ୍ରଭାସିନୀ ବୟସ ଆଗରେ ହାର ମାନନ୍ତେ ବା କେମିତି ? ସେଥିପାଇଁ ସାଇକେଲ ବଦଳରେ ଧାରକରଜ କରି ସେ ଦୁଇଚକିଆ ଗାଡିଟିଏ କିଣିଛନ୍ତି । ସାଇକେଲରେ ଗୋଟିଏ ଦିନରେ ମାତ୍ର ୭/୮ ଟି ଗାଁ ବୁଲି ବେପାର କରୁଥିବା ବେଳେ ଏବେ ନିଜ ଗାଡି ସାହାର୍ଯ୍ୟରେ ଅଧିକ ଗାଁ ବୁଲି ପରିବାର ପୋଷିବାର ସ୍ୱପ୍ନ ଦେଖିଛନ୍ତି ସେ । ସେଥିପାଇଁ ସେ ସକାଳ ହେଲେ ଗାଡି ଧରି ଗାଁ ଫେରି ପାଇଁ ବାହାରିପଡୁଛନ୍ତି ।

ତେବେ ଏସବୁ ଭିତରେ ମନକୁ ଆସେ, କୁହାଯାଏ ବିନାଶ୍ରୟେ ନବର୍ତନ୍ତି କବିତା ବନିତା ଲତା । ଝିଅଟିଏ ବଢିବା ଆଉ ବଂଚିବା ପାଇଁ ସଦା ସର୍ବଦା ଅନ୍ୟ ଉପରେ ନିର୍ଭରଶୀଳ, କିନ୍ତୁ ଏଭଳି ଏକ ଉକ୍ତିର ଯେମିତି କିଛି ମୂଲ୍ୟ ହିଁ ନାହିଁ ପ୍ରଭାସିନୀଙ୍କ ପାଖରେ । ହେଲେ ୨ଗୋଟି ପିଲାର ମା’ହୋଇ ବି କର୍ମମୟ ଯାତ୍ରାରୁ ବିରତି ହୋଇ ନଥିବା ପ୍ରଭାସିନୀ ଆଗେଇ ଚାଲିଛନ୍ତି ନିଜ କର୍ମପଥରେ । ଯଦି ଏହି ଅନନ୍ୟ ବକ୍ତିତ୍ୱଙ୍କୁ କିଛି ସରକାରୀ ସହଯୋଗ ମିଳନ୍ତା ତେବେ ପ୍ରଭାସିନୀ ଓ ତାଙ୍କ ପରିବାରକୁ ବଂଚିବାର ଏକ ନୂଆ ରାହା ମିଳି ପାରନ୍ତା ବୋଲି ମତ ପ୍ରକାଶ ପାଇଛି ।