ସୋରରେ ୨ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ! ନିଶା ଦେଇ ଜଙ୍ଗଲରେ ଇଜ୍ଜତ ଲୁଟିଲା ଟ୍ରାକ୍ଟର ଡ୍ରାଇଭର

38

କନକ ବ୍ୟୁରୋ: ବୁଲାଇ ନେବାକୁ କହି ଦୁଇ ଆଦିବାସୀ ମହିଳାଙ୍କୁ ଜଙ୍ଗଲରେ ଦୁଷ୍କର୍ମ । ଏପରି ଜଘନ୍ୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଜଣକ ଦୁଇ ମହିଳାଙ୍କୁ ରାସ୍ତାରେ ଫିଙ୍ଗିଦେଇ ଫେରାର ହୋଇଯାଇଛି । ତେବେ ଜଣେ ପୀଡିତା ଲୋକ ଲଜ୍ଜାକୁ ଭୟରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ବାଲେଶ୍ୱର ଜିଲ୍ଲା ସୋର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଧରିବାକୁ ତନାଘନା ଆରମ୍ଭ କରିଛି ।

ମାଣିତ୍ରୀ ଗାଁର ଟ୍ରାକ୍ଟର ଡ୍ରାଇଭର ଶଶଧର ଜେନା ନିକଟସ୍ଥ ଗାଁର ୨ଜଣ ଆଦିବାସୀ ମହିଳାଙ୍କୁ ବୁଲିଯିବାକୁ ଡାକିଥିଲେ । କିଛି ବାଟ ଯିବା ପରେ ସେମାନଙ୍କୁ ନିଶା ଦେଇ ପାଖ ଜଙ୍ଗଲକୁ ଉଠାଇ ନେଇ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା । ତେବେ ଦୁ୍ଷ୍କର୍ମ ବେଳେ ଜଣେ ମହିଳା ବିରୋଧ କରିବାରୁ ତାକୁ ଅଭିଯୁକ୍ତ ମାରପିଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଦିନ ୨ଟାରୁ ରାତି ୨ଟା ଯାଏଁ ୨ମହିଳାଙ୍କୁ ଜଙ୍ଗଲରେ ରଖିବା ପରେ ଅଭିଯୁକ୍ତ ଶଶଧର ରାସ୍ତାରେ ୨ ମହିଳାଙ୍କୁ ଛାଡି ଦେଇ ଫେରାର ହୋଇଯାଇଛି । ଅଭିଯୋଗ ପାଇ ସୋର ପୋଲିସ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରୁଛି ।