ଖୋଲିଲା ସୋର ଷ୍ଟେସନର ସତ :୧୦୮ ଆମ୍ବୁଲାନସ ଆସି ବି ରକ୍ତ ଜୁଡୁବୁଡୁ ବୃଦ୍ଧାଙ୍କୁ ନେଲାନି ମେଡିକାଲ୍

45

କନକ ବ୍ୟୁରୋ : ବୁଧବାର ସକାଳ ପ୍ରାୟ ୭ଟା ୩୦। ଏକ ମାଲବାହୀ ଟ୍ରେନ୍ ଧକ୍କାରେ ଜଣେ ବୃଦ୍ଧା ଗୁରୁତର ଭାବେ ଆହତ ହେଲେ। ଘଟଣା ଘଟିଥିଲା ସୋର ଓ ବାହାନଗା ଷ୍ଟେସନ୍ ମଝିରେ। ଟ୍ରେନ୍ ଡ୍ରାଇଭର ତୁରନ୍ତ ଟ୍ରେନରୁ ଓହ୍ଲାଇ ଆସି ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସ ଆସି ପହଂଚିଥିଲା ଅଧ ଘଂଟା ପରେ। ସେତେବେଳରୁ ମହିଳାଜଣକ ଶେଷ ସଂଘର୍ଷ କରୁଥିଲେ। ହେଲେ ରକ୍ତ ଜୁଡ଼ୁବୁଡ଼ୁ ମହିଳାଙ୍କୁ ମେଡ଼ିକାଲରେ ପହଂଚାଇବାକୁ ମନା କରି ଫେରି ଯାଇଥିଲା ୧୦୮। ଏକଥା କାଗଜରେ ଲେଖି , ନିଜେ ସେହି ଟ୍ରେନ୍ ଡ଼୍ରାଇଭର୍ ବାହାନଗା ଜିଆର୍ପିରେ ଦାଖଲ କରିଛନ୍ତି। ଯାହା ପଦାକୁ ଆସିବା ପରେ ଚର୍ଚ୍ଚା ସୃଷ୍ଟି କରିଛି।

ଆଉ ଏ ହେଉଛି ମରି ଯାଇଥିବା ମାନବିକତାର ଦ୍ୱିତୀୟ ଚିତ୍ର । ତୁରନ୍ତ ଚିକିତ୍ସା କରାଯାଇଥିଲେ ହୁଏତ ଆହତ ବୃଦ୍ଧା ବଂଚି ଯାଇଥାନ୍ତେ । ହେଲେ ଜିଆର୍ପି ଥାନାର କର୍ମଚାରୀ ତାଙ୍କୁ ଏକ ଲୋକାଲ୍ ଟ୍ରେନରେ ଆଣି ସୋର ମେଡ଼ିକାଲରେ ଭର୍ତି କରିଥିଲେ । ସେତେବେଳକୁ ବୃଦ୍ଧା ଜଣକ ପ୍ରାଣ ହରାଇ ସାରିଥିଲେ।

ମରି ଯାଇଥିବା ମାନବିକତାର ତୃତୀୟ ଚିତ୍ର । ଅପରିଚିତ ମହିଳାଙ୍କ ପରିଚୟ ଖୋଜିବା ପରିବର୍ତେ ବାଲେଶ୍ୱର ପୋଲିସ୍ ପହଂଚିଥିଲା ସୋର ମେଡ଼ିକାଲରେ । ସାଥୀରେ ନେଇ ଆସିଥିଲା ଦୁଇଜଣ କୁଲିଙ୍କୁ। ଯୋଜନା ଥିଲା, ମହିଳାଙ୍କ ଶବକୁ ଅଖାରେ ଭର୍ତି କରି ଫିଙ୍ଗି ଦେବାକୁ। ଆଉ ପୋଲିସର ନିର୍ଦ୍ଦେଶ ଅନୁସାରେ, କୁଲି ଶବର ହାତଗୋଡ଼ ଭାଙ୍ଗି ଅଖାରେ ଭର୍ତି କରିଥିଲେ। ଆଉ ଭାର କରି ସହରରେ କରିଥିଲେ ଶୋଭାଯାତ୍ରା।

ସେପଟେ ଏହି ଘଟଣା ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ସରକାରଙ୍କ ଅକଲ ଗୁଡ଼ୁମ ହୋଇଯାଇଛି। ତରବରିଆ ଭାବେ ଜଣେ ପୋଲିସ୍ ଅଫିସରଙ୍କୁ ନିଲମ୍ବିତ କରିଛନ୍ତି। ତେବେ ଏ ପୁରା ଘଟଣା ବୟାନ କରୁଛି ,ଆମ ଭିତରେ ମାନବିକତା ଯେମିତି ମରି ଗଲାଣି ।

ଏହାସହ ଦେଖନ୍ତୁ ଏହି ଭିଡିଓ –