ସୋର ପାଣିସିଆ ଗାଁରେ ମହିଳାଙ୍କୁ ଆକ୍ରମଣ ! ପ୍ରଥମେ ବ୍ଲେଡରେ କାଟିଲେ ପରେ ଏସିଡ୍ ଫିଙ୍ଗିଲେ ଦୁର୍ବୃତ୍ତ

142

କନକ ବ୍ୟୁରୋ : ସୋର ପାଣିସିଆ ଗାଁରେ ଅଭାବନୀୟ କାଣ୍ଡ । ମହିଳାଙ୍କୁ ବ୍ଲେଡରେ ଆକ୍ରମଣ କରିବା ସହ ଏସିଡ୍ ଫିଙ୍ଗିଲେ ଦୁର୍ବୃତ୍ତ । ଶୌଚ ହେବା ପାଇଁ ଯିବାବେଳେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଦୁଇ ଜଣ ଯୁବକ ବାଇକରେ ଆସି ମହିଳାଙ୍କୁ ଏକୁଟିଆ ଦେଖି ବ୍ଲେଡରେ କାଟି ପକାଇଥିଲେ । ଏବଂ ପରେ ଏସିଡ୍ ଫୋପାଡି ଫେରାର ହୋଇଯାଇଛନ୍ତି ।

ମହିଳାଙ୍କ ହାତ ଗୋଡର ବିଭିନ୍ନ ସ୍ଥାନ କଟି ଯାଇଥିବାବେଳେ ପେଟରେ ଏସିଡ୍ ପଡି ପୋଡି ଯାଇଥିବା ଜଣାପଡିଛି । ଆଉ ତାପରେ ମହିଳାଙ୍କୁ କିରୋସିନି ଢ଼ାଳି ମାରିବା ପାଇଁ ଉଦ୍ୟମ କରାଯାଇଥିଲା । ଗତକାଲି ରାତିରେ ସ୍ୱାମୀ ଓ ପରିବାର ଲୋକଙ୍କ ଅନୁପସ୍ଥିତର ସୁଯୋଗ ନେଇ ୨ ଜଣ ଦୁର୍ବୃତ ଏହି ନୃଶଂସ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ତେବେ ଆକ୍ରମଣ କରିଥିବା ଦୁର୍ବୃତଙ୍କ ଗୋଡ ଖସି ପଡିଯିବାରୁ ନିଜ ଯୋଜନାକୁ ରୂପ ଦେଇପାରିନାହାନ୍ତି । ଶଦ୍ଦ ଶୁଣି ମହିଳାଙ୍କ ସ୍ୱାମୀ ଓ ପରିବାର ସଦସ୍ୟ ଆସିଯିବାରୁ ଦୁର୍ବୃତ ମାନେ ଘଟଣା ସ୍ଥଳରୁ ଫେରାର ମାରିଥିଲେ । ଅଭିଯୋଗ ପରେ ପୁଲିସ ମାମଲାର ଛାନଭିନ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ମୁହଁରେ କପଡ଼ା ବାନ୍ଧି ଦୁଇ ଜଣ ଦୁର୍ବୃତ୍ତ ମହିଳାଙ୍କୁ ଆକ୍ରମଣ କରିଛନ୍ତି । ତେବେ ମୁହଁରେ କପଡ଼ା ବାନ୍ଧିଥିବା ଯୋଗୁଁ ଦୁର୍ବୃତ୍ତମାନଙ୍କୁ ଚିହ୍ନିପାରିନଥିଲେ ମହିଳା ଜଣକ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟଣା ଘଟିଛି ବୋଲି ଅନୁମାନ କରୁଛନ୍ତି ପୀଡ଼ିତାଙ୍କ ମା’ । ପୂର୍ବରୁ ପଡ଼ୋଶୀଙ୍କ ସହ କୌଣସି କାରଣବଶତଃ ଶତ୍ରୁତା ଥିଲା । ଆଉ ଗତକାଲି ମଧ୍ୟ ଏନେଇ ଝଗଡ଼ା ହୋଇଥିଲା । ଏହି କାରଣରୁ ଆକ୍ରମଣ ହୋଇଥିବା ସନ୍ଦେହ କରୁଛନ୍ତି ପୀଡ଼ିତାଙ୍କ ପରିବାର ଲୋକ ।