ସୋରର ସରବଜିତ୍

0

ସୋର : ଦରିଆ ପାରିରୁ ଆସିଛି ଚିଠି । ଏ ଚିଠି ଏକ ପରିବାରକୁ ଜୀବନଦାନ ଦେବା ଭଳି ଚିଠି । ୪୦ ବର୍ଷ ପରେ ଚିଠି ଆସିଛି । ଚିଠି ଲେଖାଯାଇଛି ସ୍ନେହଲତା ପାଢୀଙ୍କୁ । ଏହାକୁ ଲେଖିଥିବା ବ୍ୟକ୍ତି ଆଉ କିଏ ନୁହଁନ୍ତି । ସେ ହେଉଛନ୍ତି ସ୍ନେହଲତାଙ୍କ ସ୍ୱାମୀ ଗୈାରାଙ୍ଗ ପାଢୀ । ଚିଠିରେ ସବୁ କଥା ସ୍ପଷ୍ଟ ହେଉନଥିଲେ ମଧ୍ୟ ଗୈାରାଙ୍ଗ ଲେଖିଛନ୍ତି ସେ ୪୦ ବର୍ଷ ଆଗରୁ ଘର ଛାଡି ପଂଜାବ ଯାଇଥିଲେ କାମ କରିବାକୁ । ବର୍ଡର ନିକଟରେ ଏକ କନଷ୍ଟ୍ରକ୍ସନ କଂପାନୀରେ କାମ କରୁଥିବା ବେଳେ ବାଟ ହୁଡି ଯାଇଥିଲେ ଏବଂ ପାକିସ୍ତାନ ସୀମା ଭିତରକୁ ଚାଲିଯାଇଥିଲେ । ଏହା ପରେ ପାକିସ୍ତାନ ପୁଲିସ୍ ହାତରେ ଧରାପଡି ଜେଲରେ ଅଛନ୍ତି । ଚିଠି ପ୍ରକୃତରେ କେଉଁଠାରୁ ଆସିଛି ତାହା ସ୍ପଷ୍ଟ ହେଉନାହିଁ । ଚିଠିରେ ହିମାଚଳ ପ୍ରଦେଶର ଏକ ଷ୍ଟାମ୍ପ ରହିଛି । ତେବେ ଗୈାରାଙ୍ଗ ପାକିସ୍ତାନ ଜେଲରେ ଅଛନ୍ତି ନା ମୁକ୍ତ ହୋଇଛନ୍ତି ତାହା ବି ସ୍ପଷ୍ଟ ହୋଇନାହିଁ । କିନ୍ତୁ ଗୈାରାଙ୍ଗ ଏଥିରେ ଲେଖିଛନ୍ତି ତାଙ୍କର ପରିଚୟ ପତ୍ର ପ୍ରସ୍ତୁତ କରିବାକୁ ।ଗୈାରାଙ୍ଗ କେଉଁଠି ଅଛନ୍ତି କେମିତି ଅଛନ୍ତି ତାହା ଜାଣିବାକୁ ପରିବାର ଲୋକଙ୍କ ପାଖରେ ସାମର୍ଥ୍ୟ ନାହିଁ । ଏକ ଗରିବ ପରିବାର ,ଯାହାର ସାହାରା ପାକିସ୍ତାନର ଜେଲ୍ ଭିତରେ ବନ୍ଦୀ । ସେ ବି କ’ଣ କରିପାରିବ । ଚିଠି ଧରି ସ୍ନେହଲତା ୟା ଘର ତା ଘର ଯାଉଛନ୍ତି । କିନ୍ତୁ ଜାଣି ନାହାଁନ୍ତି କେମିତି ଫେରାଇ ଆଣି ପାରିବେ ନିଜ ସ୍ୱାମୀଙ୍କୁ ।

Comments are closed.