ସବୁ ଜଳବିବାଦର ସମାଧାନ ଲାଗି ଗୋଟିଏ ଟ୍ରିବ୍ୟୁନାଲ ଗଠନ ହେବ

28

କନକ ବ୍ୟୁରୋ:  ନିରପେକ୍ଷତା ପାଇଁ ଯାଞ୍ଚ ତଥ୍ୟ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମ ଜରିଆରେ ଲୋକଙ୍କ ନଜରକୁ ଅଣାଯାଉ । ଆବଶ୍ୟକସ୍ଥଳେ ବିଲରେ ନୂଆ ଅନୁଚ୍ଛେଦକୁ ଯୋଡ଼ାଯାଇପାରିବ ବୋଲି ଷ୍ଟାଣ୍ଡିଂ କମିଟି କହିଛି । ପ୍ରସ୍ତାବିତ ବିଲରେ କମିଟି ବିବାଦ ସମାଧାନର ପ୍ରଥମ ସୋପାନ ହୋଇଥିବାରୁ କମିଟି ଗଠନ ମଜବୁତ ହେବା ଆବଶ୍ୟକ ।

ବିବାଦ ସମାଧାନ କମିଟିରେ ଜଣେ ଅଧ୍ୟକ୍ଷଙ୍କ ସହ ତିନିଜଣ ସଦସ୍ୟ ବିଶେଷଜ୍ଞ ଭାବେ ଏବଂ ବିବାଦରେ ପକ୍ଷଭୁକ୍ତ ଥିବା ରାଜ୍ୟର ଜଣେ ଲେଖାଏଁ ସଦସ୍ୟ ରହିବେ ବୋଲି ଷ୍ଟାଣ୍ଡିଂ କମିଟି ସୁପାରିସ କରିଛି । ଏହାର ଅଧ୍ୟକ୍ଷ ଜଣେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ସଚିବ ପାହ୍ୟାର ପ୍ରଶାସନିକ ଅଧିକାରୀ ହୋଇଥିବେ । ଜଳ ସଂପର୍କିତ ମାମଲାରେ ତାଙ୍କର ବିଶେଷ ଅଭିଜ୍ଞତା ରହିଥିବା ଆବଶ୍ୟକ ।

ସୁପାରିସରେ ତିନିଜଣ ସଦସ୍ୟ ସାମାଜିକ ବିଜ୍ଞାନ କ୍ଷେତ୍ରରୁ, ବୈଷୟିକ ପୃଷ୍ଠଭୂମିରୁ ଓ ସିଭିଲ ସୋସାଇଟିର ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବା ଉଲ୍ଲେଖ କରାଯାଇଛି । ଟ୍ରିବ୍ୟୁନାଲକୁ ଆନ୍ତଃରାଜ୍ୟ ନଦୀ ଜଳବିବାଦ ଆସିବା ପୂର୍ବରୁ ବିବାଦ ସମାଧାନ କମିଟି ଦ୍ୱାରା ଗୋଟିଏ ମାସରେ ସମାଧାନ ପ୍ରକ୍ରିୟା ସାରିବା ପାଇଁ ଷ୍ଟାଣ୍ଡିଂ କମିଟି ମତ ଦେଇଛି ।

ନିକଟରେ ବିବାଦ ସମାଧାନ କମିଟି ଦ୍ୱାରା ବନସାଗର, କେନ, ବେତୁଆ ନଦୀ ଜଳ ବିବାଦ ବୁଝାମଣା ଓ ସମାଧାନର ସନ୍ତୋଷଜନକ ପରିମାଣ ଆସିଥିବାରୁ ବିବାଦ ସମାଧାନ କମିଟିକୁ ଷ୍ଟାଣ୍ଡିଂ କମିଟି ପ୍ରଶଂସା କରିଛି । ସର୍ବାଧିକ ସାଢେ ଚାରିବର୍ଷ ମଧ୍ୟରେ ନଦୀଜଳ ବିବାଦର ସମାଧାନ ପାଇଁ ବିଲରେ ବ୍ୟବସ୍ଥା ରହିଥିବା ବେଳେ ତାକୁ ଦୁଇବର୍ଷ କରିବା ପାଇଁ କମିଟି ସୁପାରିସ କରିଛି ।

ଏତଦବ୍ୟତୀତ ଟ୍ରିବ୍ୟୁନାଲ ଅଧୀନରେ ଥିବା ଖଣ୍ଡପୀଠ ଯେଉଁ ନିଷ୍ପତ୍ତି ନେବ ସେଗୁଡ଼ିକୁ ସମୟାନୁଯାୟୀ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରାଳୟକୁ ସୁପାରିସ କରାଯାଇଛି । ଆନ୍ତଃରାଜ୍ୟ ଜଳବିବାଦ ମାମଲାର ସମାଧାନ ପାଇଁ ତଥ୍ୟ ପରିଚାଳନା ଓ ସୂଚନା ତନ୍ତ୍ରର ଯଥେଷ୍ଟ ଗୁରୁତ୍ୱ ରହୁଥିବାରୁ ମନ୍ତ୍ରାଳୟକୁ ସଠିକ ଓ ବିଶ୍ୱସନୀୟ ତଥ୍ୟ ଟ୍ରିବ୍ୟୁନାଲକୁ ଯୋଗାଇବାକୁ ପଡ଼ିବ ।