ଖୁବ୍ ଶୀଘ୍ର ବଜାରକୁ ଆସିବ ୨ଶହ ଟଙ୍କିଆ ନୋଟ୍ : ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଣିବ ଭାରତୀୟ ରିଜର୍ଭ ବ୍ୟାଙ୍କ

21

କନକ ବ୍ୟୁରୋ : ଖୁବ୍ ଶୀଘ୍ର ବଜାରକୁ ଆସିବ ନୂଆ ୨୦୦ ଟଙ୍କିଆ ନୋଟ୍ । ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି । ଏଥିରେ ଏହି ନୂଆ ନୋଟ୍ ପାଇଁ ପ୍ରସ୍ତୁତି ପାଇଁ ପଦକ୍ଷେପ ନେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ ଏଯାଏଁ ପ୍ରାୟ ୫୦ କୋଟି ନୂଆ ନୋଟ୍ ଛପା ସରିଛି । ଫଳରେ ଏହି ନୋଟ୍ ନେଇ କୌଣସି ଅଭାବ ବଜାରରେ ଦେଖାଯିବ ନାହିଁ । ଏପରିକି ଅଗଷ୍ଟ ଶେଷ ବା ସେପ୍ଟେମ୍ବର ଆରମ୍ଭରେ ଏହି ନୂଆ ୨୦୦ ଟଙ୍କିଆ ନୋଟ୍ ବଜାରକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି । ଏହା ସାଧାରଣ ଲୋକଙ୍କ ଆର୍ଥିକ କାରବାର ପାଇଁ ବେଶ୍ ସହାୟକ ହେବ ବୋଲି କୁହାଯାଉଛି ।

ବିମୁଦ୍ରାକରଣ ପରେ ବଜାରକୁ ଆସିଥିବା ୨ ହଜାର ଟଙ୍କିଆ ନୋଟ୍ ଅପସାରଣ ନେଇ ମଧ୍ୟ ବିଭିନ୍ନ ସମୟରେ ଚର୍ଚା ହେଉଛି । ଏନେଇ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନାହିଁ କି ସେଭଳି କିଛି ହେବାର ନାହିଁ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସ୍ପଷ୍ଟ କରିଛନ୍ତି । କିଛି ଦିନ ତଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ମହାତ୍ମା ଗାନ୍ଧି ସିରିଜର ନୂଆ ୫୦ ଟଙ୍କିଆ ନୋଟ ଜାରି କରିବା ନେଇ ସୂଚନା ଦେଇଛି । ଏଥିରେ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଦସ୍ତଖତ ରହିବା ସହ ଦକ୍ଷିଣ ଭାରତର ମନ୍ଦିରର ଚିତ୍ର ରହିଛି ।