କ୍ୟାମ୍ପସରେ ନୂଆ ତଡକା ସୋନୁସଙ୍ଗ ! ଏକାମ୍ରରେ ହେବ ନିର୍ବାଚନ

51

କନକ ବ୍ୟୁରୋ : ରମାଦେବୀ କ୍ୟାମ୍ପସ ରାଜନୀତିରେ ନୂଆ ତଡ୍କା ଭରିଛନ୍ତି ଏବିଭିପି ସଭାପତି ପ୍ରାର୍ଥୀ ତନ୍ମୟୀ ହୋତା (ତନୁ)। ‘ସୋନୁ’ ସଙ୍ଗ୍ ମାଧ୍ୟମରେ କ୍ୟାମ୍ପସର ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରିଛନ୍ତି। ଏଥିରେ କ୍ୟାମ୍ପସ୍ର ଭିତ୍ତିଭୂମି ସମସ୍ୟା ସାଙ୍ଗକୁ ଶିକ୍ଷାଦାନ ପ୍ରଣାଳୀ କିଭଳି ବ୍ୟାହତ ହେଉଛି ତାହା ବଖାଣିଛନ୍ତି। ଯେଉଁଥିପାଇଁ କ୍ୟାମ୍ପସ୍ ସମସ୍ୟା ଏବେ ସବୁ ବନ୍ଧ ବାଡ଼ ଡେଇଁ ଦେଶର କୋଣ ଅନୁକୋଣରେ ପହଞ୍ଚିଛି।

ଭିଡିଓରେ ତନୁ ଆଗରେ ବସିଥିବା ବେଳେ ସାଧାରଣ ସମ୍ପାଦିକା ପ୍ରାର୍ଥୀ ସ୍ୱପ୍ନା ସାମର୍ଥାଙ୍କ ସମେତ ଆଉ ୯ ଜଣ ଛାତ୍ରୀ ମଧ୍ୟ ରହିଛନ୍ତି। ଯେଉଁମାନେ କି ସୋନୁ ସଙ୍ଗରେ ତନୁଙ୍କ ସହ ତାଳ ଧରୁଛନ୍ତି। ତନୁ ଏହି ସଙ୍ଗ୍ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ କୁଆଡ଼େଗଲା ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ୫ ବର୍ଷ ତଳେ କ୍ୟାମ୍ପସ ସମ୍ମୁଖରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ଲାଗି ପଡ଼ିଥିବା ଭିତ୍ତିପ୍ରସ୍ତର ଏବେ ଧୂଆଁବାଣ ହୋଇଛି ବୋଲି ସେ କହିଛନ୍ତି।

ରାଜ୍ୟର ଏହି ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟରେ ପାନୀୟ ଜଳ ସହ ହଷ୍ଟେଲ, ଖେଳ ପଡ଼ିଆ ସମସ୍ୟା ରହିଛି। ଅଧ୍ୟାପକ ପଦବି ପୂରଣ ହେଉ ନ ଥିବା ବେଳେ ଅଧିକ ପିଜି ବିଭାଗ ଖୋଲିବା, ପିଏଚ୍ଡି ନ ଖୋଲିବା ଆଦି ପ୍ରସଙ୍ଗକୁ ଉଠାଇଛନ୍ତି। ତନୁଙ୍କ ‘ସୋନୁସଙ୍ଗ୍’ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ବେଳେ ଛାତ୍ର ବିଜେଡି ସଭାପତି ପାର୍ଥୀ ସୌଭାଗ୍ୟ ସୌମ୍ୟାଶ୍ରୀ ସାମଲ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି।

ଅଢ଼େଇ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟର ଅନେକ ଉନ୍ନତି ହୋଇଛି। ହଷ୍ଟେଲ ନିର୍ମାଣ କରାଯାଇଛି। ନୂଆ ଆଡମିନିଷ୍ଟ୍ରେସନ୍ ବ୍ଲକ କରାଯାଉଛି। ଯେଉଁ ଛାତ୍ରୀମାନେ ‘ସୋନୁ’ ସଂଗ୍ରେ ଥିଲେ ସେମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର ପ୍ରଥମ ଛାତ୍ର ସଂସଦର ସାଧାରଣ ସମ୍ପାଦକ ପ୍ରାର୍ଥୀ ବି ରହିଛନ୍ତି। ସେ ଚାହିଁଥିଲେ ତାଙ୍କ ସମୟରେ ବି ସମସ୍ୟାର ସମାଧାନ କରିପାରିଥାନ୍ତେ। ଏଭଳି କରି ବିଶ୍ୱବିଦ୍ୟାଳୟକୁ ବଦନାମ କରା ନ ଯାଉ।

ତେବେ ଏହି ଭିଡିଓରେ ବିଶ୍ୱବିଦ୍ୟାଳୟ ଭାବମୂର୍ତ୍ତୀ କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ କରି କିଛି ଛାତ୍ରୀ ପିଜି କାଉନସିଲ ଚେୟାରମ୍ୟାନଙ୍କ ନିକଟରେ ଫେରାଦ ହୋଇଥିଲେ । ପରେ ଏକ ବୈଠକ ବସି ଏହି ଭିଡିଓ ଡିଲିଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦେଖାଶିଖା ବାଣୀବିହାର

ରମାଦେବୀ କ୍ୟାମ୍ପସରୁ ବାଣୀବିହାରକୁ ଡେଇଁଛି ‘ସୋନୁ’ ସଙ୍ଗ୍। ଛାତ୍ର ବିଜେଡି ସଭାପତି ପ୍ରାର୍ଥୀ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ଲାଗି ତାଙ୍କ ସମର୍ଥକମାନେ ଆଜି କ୍ୟାମ୍ପସରେ ‘ସୋନୁ’ସଂଗ୍ ପରିବେଷଣ କରିଛନ୍ତି। ଏଥିରେ କ୍ୟାମ୍ପସର ବିକାଶ କଥା କହିଛନ୍ତି। ସୌମ୍ୟଙ୍କୁ ଭୋଟ ଦେବାକୁ ଛାତ୍ରଛାତ୍ରୀଙ୍କୁ ନିବେଦନ କରିଛନ୍ତି। ହେଲେ ଭିଡିଓ ପ୍ରସ୍ତୁତ କରି ନାହାନ୍ତି କି ସୋସିଆଲ୍ ମିଡିଆରେ ଭାଇରାଲ୍ କରି ନାହାନ୍ତି। ବରଂ ରମାଦେବୀର ଏବିଭିପି ପ୍ରାର୍ଥୀଙ୍କୁ ଦେଖି ବାଣୀବିହାରର ଛାତ୍ର ବିଜେଡି ପ୍ରାର୍ଥୀଙ୍କ ସମର୍ଥକମାନେ ଏଭଳି ପ୍ରୟାସ କରିଥିଲେ।

ଏଥର ଏକାମ୍ରରେ ନିର୍ବାଚନ

ଚଳିତବର୍ଷ ଏକାମ୍ର କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ। ଗତ ୩ ବର୍ଷ ହେଲା ବିଭିନ୍ନ କାରଣରୁ ନିର୍ବାଚନ ବନ୍ଦ ଥିବା ବେଳେ ଏଥର କ୍ୟାମ୍ପସ ସମ୍ପୂର୍ଣ୍ଣ ଶାନ୍ତ ରହିଛି। ତେଣୁ କଲେଜ ଷ୍ଟାଫ୍ କାଉନସିଲ୍ ବୈଠକରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗତକାଲି ବସିଥିବା ବୈଠକରେ ଲିଙ୍ଗଡୋ କମିଶନଙ୍କ ନିୟକମକୁ କଡାକଡି ଭାବେ ପାଳନ କରିବାକୁ ନିଷ୍ପତି ହୋଇଛି ।

ନିର୍ବାଚନ ବେଳେ କ୍ୟାମ୍ପସରେ ଯଦି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ହେବ ତେବେ ନିର୍ବାଚନକୁ ବାତିଲ୍ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା କଲେଜ ଅଧ୍ୟକ୍ଷ ଅଶୋକ ପ୍ରଧାନ କହିଛନ୍ତି। ଅନ୍ୟପକ୍ଷରେ କିଛି ଦିନ ପୂର୍ବରୁ ଅଶାନ୍ତ ଥିବା ଦେବରାୟ କଲେଜରେ ଏଥର ନିର୍ବାଚନ ହେବ। ଏନେଇ ବସିଥିବା କଲେଜ ଷ୍ଟାଫ୍ କାଉନସିଲ୍ ବୈଠକରେ ନିଷ୍ପତ୍ତି ହୋଇଛି। କ୍ୟାମ୍ପସ ଶାନ୍ତ ରହିଛି। ପାଠପଢ଼ା ସ୍ୱାଭାବିକ ଭାବେ ଚାଲିଛି। ତେଣୁ ନିର୍ବାଚନ କରିବାରେ କୌଣସି ଅସୁବିଧା ନାହିଁ।

ପ୍ରାର୍ଥୀମାନଙ୍କ ସହ ରାଜଧାନୀ କଲେଜ କର୍ତୃପକ୍ଷଙ୍କ ବୈଠକ

ରାଜଧାନୀ କଲେଜରେ ଶାନ୍ତି ଫେରିଛି। ପାଠପଢ଼ା ସ୍ୱାଭାବିକ ଭାବେ ଚାଲିଥିବା ବେଳେ କଲେଜ କର୍ତୃପକ୍ଷ ପ୍ରାର୍ଥୀମାନଙ୍କୁ ନେଇ ବୈଠକ କରିଥିଲେ। ଅପରାହ୍ଣରେ ବସିଥିବା ଏହି ବୈଠକରେ ଲିଙ୍ଗ୍ଡୋ କମିସନ୍ଙ୍କ ନିୟମ ଉପରେ ଆଲୋଚନା ହୋଇଥିଲା। ଗତଥର ଯେଉଁଭଳି ଭାବେ ନିର୍ବାଚନ ହୋଇଥିଲା ଏଥର ମଧ୍ୟ ସେଭଳି ଶାନ୍ତ ପରିବେଶରେ ନିର୍ବାଚନ କରିବାକୁ ପ୍ରାର୍ଥୀମାନଙ୍କୁ କୁହାଯାଇଛି।

କେତେଜଣ ଅଣଛାତ୍ର କ୍ୟାମ୍ପସ ବାହାରେ ରହି ଯୁକ୍ତ୨ ଛାତ୍ରଛାତ୍ରୀଙ୍କୁ ହାତ କରି ଗଣ୍ଡଗୋଳ ସୃଷ୍ଟି କରୁଥିବାରୁ ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। କଲେଜ ଅଧ୍ୟକ୍ଷ ଡ. ଜାହାନାରା ବେଗମ୍ କହିଛନ୍ତି ଯେ, ବୈଠକରେ ଛାତ୍ର ସଂସଦର ଉପଦେଷ୍ଟା ଉପସ୍ଥିତ ଥିଲେ। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବାକୁ ସମସ୍ତ ପ୍ରାର୍ଥୀ ପ୍ରତିଶ୍ରୁତି ଦେଇଛନ୍ତି। କ୍ୟାମ୍ପସରେ ଯଦି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ହୁଏ ନିର୍ବାଚନକୁ ବନ୍ଦ କରିଦିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି।