ଯାଜପୁରରେ କାଳବୈଶାଖୀର ତାଣ୍ଡବ ! ଭାଙ୍ଗିଗଲା କୋଟିଏ ଟଙ୍କାର ସୁସଜ୍ଜିତ ମଞ୍ଚ, ବନ୍ଦ ହେଲା ବଲିଉଡ ସିଙ୍ଗର ସୋନୁ ନିଗମ ଶୋ । ନିରାଶ ହେଲେ ଦର୍ଶକ

41

କନକ ବ୍ୟୁରୋ : ଯାଜପୁରରେ ତାଣ୍ଡବ ରଚିଲା କାଳବୈଶାଖୀ । ଭାଙ୍ଗିଦେଲା ଗୋଟିଏ କୋଟି ଟଙ୍କାର ବିଶାଳ ଷ୍ଟେଜ । ପୌରପାଳିକାର ୧୫୦ ବର୍ଷ ପୂର୍ତ୍ତି ଓ ଜିଲ୍ଲା ପ୍ରତିଷ୍ଠାର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ହେଉଥିବା ଉତ୍ସବର ଶେଷ ଦିନକୁ ଫିକା କରିଦେଲା କଳାହାଣ୍ଡିଆ ମେଘ । ସବୁଠାରୁ ବଡ କଥା ହେଲା ଆଜି ଉତ୍ସବର ଶେଷ ଦିନ ହୋଇଥିବାରୁ ବଲିଉଡ ସିଙ୍ଗର ସୋନୁ ନିଗମଙ୍କ ଶୋ ରହିଥିଲା । ଯାହାଙ୍କ ଗୀତ ଶୁଣିବା ପାଇଁ ଆଖ ପାଖ ଅଞ୍ଚଳରୁ ପାଖାପାଖି ୧ ଲକ୍ଷ ଲୋକ ଏକାଠି ହୋଇଥିଲେ । କିନ୍ତୁ ସୋନୁ ନିଗମଙ୍କ ଶୋ ପୂର୍ବରୁ ଆରମ୍ଭ ହୋଇଥିଲା କାଳବୈଶାଖୀ । ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ଯୋଗୁଁ ବାଳାଶ୍ରମ ପଡିଆରେ ତିଆରି ହୋଇଥିବା ଷ୍ଟେଜଟି ସମ୍ପ୍ରୂ୍ଣ୍ଣ ଭାବେ ଭାଙ୍ଗି ଯାଇଥିଲା ।

କାଳବୈଶାଖୀର ତାଣ୍ଡବ ଦର୍ଶକଙ୍କୁ ଯେତିକି ବ୍ୟଥିତ କରିନଥିଲା ସୋନୁ ନିଗମ ଶୋ ବନ୍ଦ ହେବା ଦର୍ଶକଙ୍କୁ ଅଧିକ ନିରାଶ କରିଥିଲା । ନିଜ ପ୍ରିୟ ସିଙ୍ଗରଙ୍କ ଝଲକ ଟିକିଏ ପାଇବା ପାଇଁ ବିଭିନ୍ନ ଆଡୁ ଦର୍ଶକ ଆସିଥିଲେ ମଧ୍ୟ ଏହାକୁ ପାଣିଚିଆ କରି ଦେଇଥିଲା କାଳବୈଶାଖୀ । ପୂରା ପଡିଆରେ ମଞ୍ଚର ଭଙ୍ଗା ଖଣ୍ଡ ଦେଖିବାକୁ ମିଳିଥିଲା । ଶେଷରେ କାର୍ଯ୍ୟକ୍ରମକୁ ବାତିଲ କରାଯିବା ପରେ ଦର୍ଶକ ନିରାଶ ହୋଇ ଫେରିଥିଲେ । ତେବେ ଆସନ୍ତା କାଲି ଏହି ଉସ୍ୱବ ହେବ କି ନାହିଁ ସେ ନେଇ ଆୟୋଜକଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି ।