ଲଣ୍ଡା ହେଲେ ସୋନୁ ନିଗମ୍ : ମୁସଲିମ ସଂଗଠନର ଫତୱା ପରେ ସାମ୍ବାଦିକ ସମ୍ମିଳନୀ କରି କହିଲେ, ମୁଁ ଧର୍ମନିରପେକ୍ଷ

20

କନକ ବ୍ୟୁରୋ : ବିବାଦୀୟ ଟ୍ୱିଟ ଯୋଗୁଁ ଶେଷରେ ଲଣ୍ଡା ହୋଇଛନ୍ତି ସିଙ୍ଗିଙ୍ଗ ସେନସେସନ ସୋନୁ ନିଗମ । ମୁସଲମାନଙ୍କ ବିରୋଧରେ ଆପତିଜନକ ପୋଷ୍ଟ କରିଥିଲେ ସୋନୁ । ସକାଳୁ ମସଜିଦରେ ହେଉଥିବା ଅଜାନ ତାଙ୍କୁ ବିବ୍ରତ କରୁଥିବା କହିବା ପରେ ମୁସଲମାନ ସଂଗଠନର ଟାର୍ଗେଟକୁ ଆସିଯାଇଥିଲେ ସୋନୁ । ଆଉ ତାଙ୍କୁ ଲଣ୍ଡା କଲେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ବି ହୋଇଥିଲା । ତେବେ ଆଜି ନିଜ ପକ୍ଷରୁ ସବୁକିଛି ସ୍ପଷ୍ଟ କରିଦେବାକୁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏହି ସିଙ୍ଗର । ଆଉ ନିଜେ ଲଣ୍ଡା ହେବା ସହ, ସେ ଆଦୌ ମୁସଲମାନ ବିରୋଧୀ ନୁହନ୍ତି ବୋଲି ସ୍ପଷ୍ଟ କରିଦେଇଥିଲେ । କେବଳ ଜୋରରେ ମାଇକ ବଜାଇବା ଉପରେ ଆପତି କରିଥିବା କହିଥିଲେ ।

ପ୍ରେସମିଟରେ ନିଜ ବିବାଦୀୟ ମନ୍ତବ୍ୟର ସଫେଇ ରଖିଲେ ସିଙ୍ଗର ସୋନୁ ନିଗମ । କହିଲେ ତାଙ୍କର ଏକ ସାଧାରଣ ଟ୍ୱିଟ ଏତେବଡ ବିବାଦ ସୃଷ୍ଟି କରିବ ବୋଲି ସେ ଅନୁଭବ କରିନଥିଲେ । ତେବେ ସେ ଆଦୌ ମୁସଲମାନ ବିରୋଧି ନୁହନ୍ତି ବୋଲି କହିଛନ୍ତି । ଲେଜେଣ୍ଡାରୀ ସିଙ୍ଗର ମହମ୍ମଦ ରଫି ତାଙ୍କର ଗୁରୁ ଏବଂ ତାଙ୍କ ଡ୍ରାଇଭର ଜଣେ ମୁସଲମାନ ବୋଲି କହିଛନ୍ତି ସୋନୁ ।

ମୁସଲମାନଙ୍କ ଅଜାନ ପରମ୍ପରାକୁ ନୁହେଁ ବରଂ ଖୁବ ଜୋରରେ ମାଇକ ବଜାଇ ଅନ୍ୟମାନଙ୍କୁ ହଇରାଣ କରିବା ଉପରେ ସେ ଆପତି ଉଠାଇଥିବା ସଫେଇ ଦେଇଛନ୍ତି ସୋନୁ ନିଗମ ।