ନବୀନ ନିବାସରେ ନୂଆ ନେତା: ଟିକେଟ ପାଇବା ପରେ ସୁପ୍ରିମୋଙ୍କୁ ଭେଟିଲେ ଦେବୀ ରଂଜନ ତ୍ରିପାଠୀ ଓ ବିଷ୍ଣୁବ୍ରତ ରାଉତରାୟ

260

କନକ ବ୍ୟୁରୋ: ରାଜନୀତିରେ ପୁଅଙ୍କ ଏଂଟ୍ରି । ଏଭଳି ଦେଖିବାକୁ ମିଳିଛି ରାଜ୍ୟ ରାଜନୀତିରେ । ବିଜେଡିରେ ଗତକାଲି ଘୋଷିତ ହୋଇଥିବା ବିଜେଡି ତାଲିକାରେ ୩ ଜଣ ବରିଷ୍ଠ ନେତାଙ୍କ ପୁଅଙ୍କୁ ଟିକେଟ ମିଳିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ବାଙ୍କୀରୁ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ ଓ ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ ଓ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ।

 

ଦେବୀରଞ୍ଜନ, ବିଷ୍ଣୁବ୍ରତ ଓ ସୌଭିକ ଆଜି ନବୀନ ନିବାସ ଆସିଥିଲେ । କହିଛନ୍ତି, ବାପା ତାଙ୍କ ପାଇଁ ପ୍ରଚାର କରିବେ । ୨୦୧୪ ଭଳି ଏଥର ମଧ୍ୟ ମା ଚର୍ଚ୍ଚିକା ଓ ବାଙ୍କୀ ଜନସାଧାରଣ ତାଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ଦେବୀରଞ୍ଜନ । ବିଷ୍ଣୁବ୍ରତ କହିଛନ୍ତି, ବାସୁଦେବପୁର ଅଚଂଳର ଭୋଟରଙ୍କ ସମର୍ଥନ ତାଙ୍କ ପ୍ରତି ରହିଛି । ଯାହା କିଛି ସମସ୍ୟା ଅଛି ମିଳିତଭାବେ ତାର ସମାଧାନ କରାଯିବା । ସୌଭିକ ବି କହିଛନ୍ତି, ବାପାଙ୍କ ଦିଗଦର୍ଶନରେ କାମ କରିବି । ଯାହା ସମସ୍ୟା ରହିଛି ତାର ସମାଧାନ ହେବ । ସଙ୍ଗଠନ ବି ସୁଦୃଢ ରହିଛି ବୋଲି କହିଛନ୍ତି ସୌଭିକ ।

ଗତକାଲି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ୩୬ଟି ବିଧାନସଭା ଆସନ ପାଇଁ ନବୀନ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଉପକୂଳ ଓଡିଶାର ୩ଟି ହାଇପ୍ରୋଫାଇଲ ଆସନରେ ବାପାଙ୍କ ଟିକେଟ କାଟି ପୁଅଙ୍କୁ ରାଜନୀତିରେ ଏଣ୍ଟ୍ରି କରାଇଛନ୍ତି ବିଜେଡି ସୁପ୍ରିମୋ । ଚୌଦ୍ୱାର-କଟକ, ବାଙ୍କୀ ଓ ବାସୁଦେବପୁର ଭଳି ୩ଟି ବିଧାନସଭା ଆସନରେ ଚଳିତ ଥର ହେଭିୱେଟ ବାପାଙ୍କ ବଦଳରେ ମୈଦାନକୁ ଓହ୍ଲାଇବେ ପୁଅ । ଏଥିମଧ୍ୟରୁ ଜଣେ ମନ୍ତ୍ରୀଙ୍କ ପୁଅ ରହିଥିବା ବେଳେ ବାକି ୨ ହେଭିୱେଟ ବିଧାୟକଙ୍କ ପୁଅ ରହିଛନ୍ତି । ଚୌଦ୍ୱାର-କଟକ ଆସନରୁ ବିଧାୟକ ଥିବା ପ୍ରଭାତ ବିଶ୍ୱାଳଙ୍କ ବଦଳରେ ତାଙ୍କ ପୁଅ ସୌଭିକ ବିଶ୍ୱାଳଙ୍କୁ ଦଳ ଟିକେଟ ଦେଇ ମାଷ୍ଟରଷ୍ଟ୍ରୋ ମାରିଛନ୍ତି । ସମାନ ଫର୍ମୁଲା ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପାଇଁ ମଧ୍ୟ ଲାଗୁ କରିଛନ୍ତି ବିଜେଡି ସୁପ୍ରିମୋ । ଚିଟଫଣ୍ଡ ମାମଲାରେ ପ୍ରଭାତଙ୍କ ନାଁ ରହିଥିବାରୁ ଦଳ ତାଙ୍କୁ ପ୍ରାର୍ଥୀ କରି କୌଣସି ରିସ୍କ ନେବାକୁ ଚାହୁଁନଥିଲା । ଆଉ ଏଭଳି ସ୍ଥିତିରେ ଦଳ ନୂଆ ପ୍ରାର୍ଥୀ ଭାବେ ପ୍ରଭାତଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ମୈଦାନକୁ ଓହ୍ଲାଇଛି ।

 

ସେହିଭଳି ବାସୁଦେବପୁରରୁ ବିଧାୟକ ତଥା ନବୀନ ସରକାରରେ ମନ୍ତ୍ରୀ ଥିବା ବିଜୟଶ୍ରୀ ରାଉତରାୟ ପୁଅ ବିଷ୍ଣୁବତ୍ର ରାଉତରାୟଙ୍କ ରାଜନୈତିକ କ୍ୟାରିୟର ଗଢିବାକୁ ନିଜେ ନିର୍ବାଚନ ଲଢିବେନି ବୋଲି ପୂର୍ବରୁ ଘୋଷଣା କରିଥିଲେ । ଏପରିକି ପୁଅ ପାଇଁ ଦୀର୍ଘ ଦିନ ହେବ ରାଜନୈତିକ ମଞ୍ଚ ପ୍ରସ୍ତୁତ କରି ଆସୁଥିଲେ । ନିଜ ବଦଳରେ ପୁଅକୁ ଟିକେଟ ଦେବା ପାଇଁ ନବୀନ ନିବାସରେ ଲବି ମଧ୍ୟ କରିଥିଲେ, ଯାହାକୁ ଗ୍ରୀନ ସିଗନାଲ ଦେଇଛନ୍ତି ନବୀନ । ତେବେ ବାପାଙ୍କ ଆସନରୁ ଟିକେଟ ନେଇ ପୁଅ ମାନେ ନିର୍ବାଚନ ରଣଭୂମିରେ କେତେ ସଫଳ ହୋଇପାରୁଛନ୍ତି ତାହା ଦେଖିବା ବାକି ରହିଲା ।