ଦାଦନ ଶ୍ରମିକଙ୍କୁ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ଚିଠି: ତାଲାବନ୍ଦକୁ ସଫଳ କରିବା ପାଇଁ ଗରିବଙ୍କୁ ମୂଲ୍ୟ ବହନ କରିବା ଉଚିତ ନୁହଁ

ଶ୍ରମିକଙ୍କ ରହିବା ଓ ଖାଇବା ବନ୍ଦୋବସ୍ତ କରୁ ପ୍ରଶାସନ

4,249

କନକ ବ୍ୟୁରୋ: ଦାଦନ ଶ୍ରମିକଙ୍କ ସମସ୍ୟା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କଡା ଚିଠି ଲେଖି ସୋନିଆ କହିଛନ୍ତି ଗରିବଙ୍କୁ ମୂଲ୍ୟ ବହନ କରିବାକୁ କହି ଦେଶରେ ତାଲାବନ୍ଦ ସଫଳ ହୋଇପାରିବ ନାହିଁ । ବିଭିନ୍ନ ରାଜ୍ୟରେ ଫସିରହିଥିବା ହଜାର ହଜାର ଦାଦନ ଶ୍ରମିକଙ୍କ ରହଣୀ ଓ ଖାଇବା, ପିଇବା ପାଇଁ ସ୍ଥାନୀୟ ପ୍ରଶାସନ ବନ୍ଦୋବସ୍ତ କରିବା ଉଚିତ ବୋଲି ସେ ଚିଠିରେ ଲେଖିଛନ୍ତି । ସରକାର ତୁରନ୍ତ ଏହି ପ୍ରସଙ୍ଗରେ ଦୃଷ୍ଟି ଦେବା ସହ ତ୍ୱରିତ ପଦକ୍ଷେପ ନେବା ପାଇଁ ସେ ଚିଠିରେ ଲେଖିଛନ୍ତି ।

ସେପଟେ, କରୋନା କଟକଣା ପାଇଁ ବିପଦ ସାଜିପାରନ୍ତି ଦାଦନ ଶ୍ରମିକ । ସାରା ଦେଶରେ ତାଲାବନ୍ଦ ଫଳରେ ଅନେକ ସ୍ଥାନରେ ଫସିରହିଥିବା ଦାଦନ ଶ୍ରମିକ ଏବେ ଘର ବାହୁଡା ଆରମ୍ଭ କରିଛନ୍ତି । ଟ୍ରେନ, ବସ ଓ ଗାଡି ମୋଟର ଚଳାଚଳ କରୁନଥିବାରୁ ଏମାନେ ଚାଲିଚାଲି ମାଇଲ ମାଇଲ ବାଟ ଅତିକ୍ରମ କରୁଥିବା ଖବର ବିଭିନ୍ନ ରାଜ୍ୟରୁ ଆସିବାରେ ଲାଗିଛି । ଜାତୀୟ ରାଜପଥରେ ଦାଦନ ଶ୍ରମିକଙ୍କ ଏଭଳି ଭିଡ ପରେ ରାଜ୍ୟଗୁଡିକୁ ଜରୁରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର ।

 

ଅଣସଂଗଠିକ କ୍ଷେତ୍ରରେ କାମ କରୁଥିବା ଏହି ଶ୍ରମିକମାନଙ୍କୁ ତୁରନ୍ତ ଖାଦ୍ୟ ଓ ଆଶ୍ରୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୧ ଦିନିଆ ତାଲାବନ୍ଦ ଭିତରେ ଯିଏ ଯେଉଁଠି ଅଛନ୍ତି ସେହିଠାରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ଶ୍ରମିକମାନେ ଏକାଧିକ ସଂଖ୍ୟାରେ ଏଭଳି ରାଜରାସ୍ତାକୁ ଚାଲିଆସିବା ତାଲାବନ୍ଦର ଉଦ୍ଦେଶ୍ୟକୁ ବିଫଳ କରିଦେବ । ମାରାତ୍ମକ କରୋନା ଭୂତାଣୁର ସମୁହ ସଂକ୍ରମଣ ରୋକିବାକୁ ସରକାର ପଦକ୍ଷେପ ନେଉଥିବାବେଳେ ରାସ୍ତା ଉପରେ ଦାଦନ ଶ୍ରମିକଙ୍କ ଏଭଳି ଭିଡ ସବୁ ପ୍ରତିଶେଧକ ପ୍ରକ୍ରିୟାକୁ ଭଣ୍ଡୁର କରିଦେବ ।