ରାଜ୍ୟ କଂଗ୍ରେସର ସମସ୍ତ ନେତାଙ୍କୁ ଦିଲ୍ଲୀରୁ ଆସିଲା ଡାକରା : ଆସନ୍ତା ୨୨ରେ ଦିଲ୍ଳୀରେ ବସିବ ବଡ ବୈଠକ

491

କନକ ବ୍ୟୁରୋ : କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଦିଲ୍ଲୀ ଡାକରା । ରାଜ୍ୟ କଂଗ୍ରେସର ସମସ୍ତ ନେତାଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଆସନ୍ତା ୨୨ରେ ଦିଲ୍ଲୀରେ କଂଗ୍ରେସର ଏକ ବଡ଼ ବୈଠକ ବସିବ । ବୈଠକରେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସମେତ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ମାନେ ଯୋଗ ଦେବେ । ବୈଠକରେ ଏଆଇସିସି ଅଧ୍ୟକ୍ଷ ଚୟନ ଓ ସାଂଗଠାନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ ନେଇ ଆଲୋଚନା ହେବାର ଚର୍ଚ୍ଚା ହେଉଛି । ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ପୁଣି ସୋନିଆ ଗାନ୍ଧୀଙ୍କୁ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି ।

ତେବେ ଦିଲ୍ଲୀ ଡାକରା ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି, ବୈଠକରେ ୨୦୨୪ ପାଇଁ ଆଗୁଆ ଭାବେ ବୈଠକରେ ପ୍ରସ୍ତୁତ ହେବ ରଣନୀତି । କେବଳର ରାଜ୍ୟ ନୁହେଁ ସାରା ଭାରତର କଂଗ୍ରେସ ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ମୁଖ୍ୟମନ୍ତ୍ରୀ , ବରିଷ୍ଠ ନେତା ତଥା କର୍ମକର୍ତ୍ତାମାନେ ଦିଲ୍ଲୀରେ ଏକତ୍ରୀତ ହେବେ । ୨୦୨୪ ନିର୍ବାଚନ ବ୍ୟତୀତ ସଂଗଠନକୁ ମଜଭୁତ କରିବା ନେଇ ଅନେକ ଆଲୋଚନା ହେବ । ସଂଗଠନକୁ ସୁଦୃଢ଼ କରିବା ପାଇଁ ରାଜ୍ୟରୁ ପ୍ରାୟ ଦେଢ଼ ଶହରୁ ଅଧିକ କାର୍ଯ୍ୟକର୍ତ୍ତା ଦିଲ୍ଲୀ ଯିବେ ବୋଲି ସୂଚନା ଦେଇଛନ୍ତି ସୁର ରାଉତରାୟ ।

ଅନ୍ୟପଟେ ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ମଧ୍ୟ ଦିଲ୍ଲୀ ବୈଠକ ବିଷୟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଦଳର ଗୋଡ଼ଟଣା ନୀତି ପାଇଁ କଂଗ୍ରେସ ହାରିଛି । ତେଣୁ ଆଗାମୀ ଦିନରେ ତୃଣମୂଳ ସ୍ତରରେ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିବ କଂଗ୍ରେସ । ଭବିଷ୍ୟତରେ କଂଗ୍ରେସର ପ୍ରଦର୍ଶନ ସୁଧାରିବା ପାଇଁ ବୈଠକ ହେବାକୁ ଯାଉଛି ବୋଲି ସେ କହିଛନ୍ତି ।