ଲୋକସଭାରେ ଜମ୍ମୁ-କାଶ୍ମୀର ପୁର୍ନଗଠନ ବିଲ୍ ନେଇ ବିତର୍କ । ବିବୃତି ରଖିବା ସମୟରେ କଂଗ୍ରେସର ପ୍ରଶ୍ନରେ କ୍ଷୁବ୍ଧ ହେଲେ ଅମିତ ଶାହା

ଗୃହମନ୍ତ୍ରୀଙ୍କ ବୟାନ, ପିଓକେ ଓ ଅକ୍ସାଇ ଚୀନ ବି ଜାମ୍ମୁ-କାଶ୍ମୀରର ଅଂଶ; କାଶ୍ମୀର ପାଇଁ ଦେଇପାରିବେ ଜୀବନ

403

କନକ ବ୍ୟୁରୋ: ଲୋକସଭାରେ ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ ଉପରେ ଜୋରଦାର ଚର୍ଚ୍ଚା ଚାଲିଛି । ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଓ ଅମିତ ଶାହଙ୍କ ଭିତରେ କଥା କଟାକଟି ହୋଇଥିଲା । ବିଲକୁ ଗୃହରେ ଉପସ୍ଥାପନ କରିବା ମାତ୍ରେ ଅଧିର ନିଜର ବକ୍ତବ୍ୟ ରଖିଥିଲେ ।

ସେ କହିଥିଲେ, କିଛି ନ ବୁଝି କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦କୁ ହଟାଇଦେଇଛନ୍ତି । ଏଥିରେ ଅମିତ ଶାହା କହିଥିଲେ, କାଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ । ଦରକାର ପଡିଲେ ସେ କାଶ୍ମୀର ପାଇଁ ଜୀବନ ଦେଇଦେବେ । ଜାମ୍ମୁ-କାଶ୍ମୀର କହିଲେ ପାକ୍ ଅଧିକୃତ କାଶ୍ମୀରକୁ ବୁଝାଉଛି । ସରକାର କେଉଁ ନିୟମ ଭାଙ୍ଗିଛନ୍ତି ତାହା ଅଧିର ରଞ୍ଜନ କହୁନ୍ତୁ ବୋଲି ଅମିତ ଶାହ କହିଥିଲେ । ଜାମୁ କାଶ୍ମୀର ପାଇଁ ସମ୍ବିଧାନ ଗଠନ ହେବ । ଏହାକୁ କେହି ରୋକିପାରିବେନି । ଆଜିର ପ୍ରସ୍ତାବ ଓ ବିଲ ଭାରତ ଇତିହାସରେ ସ୍ୱର୍ଣ୍ଣଅକ୍ଷରରେ ଲେଖାଯିବାକୁ ଯାଉଛି । ଧାରା ୩୭୦ର ଉଚ୍ଛେଦକୁ ନେଇ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ଶାହା । ସେପଟେ, ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଲ ଉପରେ ଲୋକସଭାରେ ଚାଲିଥିବା ବିତର୍କରେ ଭାଗ ନେଇ କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି, ଯେ ଜବାହାରଲାଲ ନେହୁରଙ୍କ ପାଇଁ ଜାମ୍ମୁ-କାଶ୍ମୀର ଆଜି ଭାରତର ଅବିଚ୍ଚେଦ ଅଂଗ ହୋଇ ରହିଛି ।

ଅନ୍ୟପଟେ, ଜାମ୍ମୁକାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଟ୍ୱିଟ୍ କରି ରାହୁଲ ଲେଖିଛନ୍ତି, ଏକପାଖିଆ ଭାବେ ଜାତୀୟ ଏକତା ସମ୍ଭବ ନୁହେଁ । ଜାମ୍ମୁକାଶ୍ମୀରକୁ କାନ୍ଦିବା ପାଇଁ ଛାଡି ଦେଇ ନିର୍ବାଚିତ ଜନପ୍ରତିନିଧିଙ୍କୁ ଜେଲରେ ଭର୍ତ୍ତି କରି ଏବଂ ସମ୍ବିଧାନକୁ ଉଲ୍ଲଂଘନ କରି ଏହା ସମ୍ଭବ ନୁହେଁ । ଏହି ଦେଶ ଜାଗାକୁ ନେଇ ତିଆରି ହୋଇନି, ଲୋକଙ୍କୁ ନେଇ ତିଆରି ହୋଇଛି ।