ବୁଥ୍ ବାହୁଡ଼ା ମତ ଆସିବା ପରେ ବିରୋଧୀ ଶିବିରରେ କମ୍ପନ : ୟୁପିଏ ନେତାଙ୍କ ବୈଠକ ଡାକିଲେ ସୋନିଆ ଗାନ୍ଧୀ, ସରକାର ଗଠନ ନେଇ ହୋଇପାରେ ମାନସମନ୍ଥନ

279

କନକ ବ୍ୟୁରୋ : ଏକଜିଟ୍ ପୋଲ୍ ଆସିବା ପରେ ବିରୋଧୀ ଶିବିରରେ କମ୍ପନ । ବୁଥ୍ ବାହୁଡ଼ା ମତରେ ମୋଦି ସୁନାମୀର ପ୍ରଚଣ୍ଡ ରୂପ ସ୍ପଷ୍ଟ ବାରି ହୋଇପଡ଼ୁଛି । ପ୍ରାୟ ସମସ୍ତ ଏକଜିଟ ପୋଲ ସର୍ଭେରେ ଜଣାପଡ଼ୁଛି ପୁଣି ଥରେ କେନ୍ଦ୍ରରେ ସରକାର ଗଢ଼ିବ ବିଜେପି । ବିରୋଧୀ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ମୋଦି ମ୍ୟାଜିକ ମଳିନ ପଡ଼ିଯାଇଛି ବୋଲି କହୁଥିଲେ । ହେଲେ ବୁଥ ବାହୁଡ଼ା ମତ କିନ୍ତୁ ଅନ୍ୟ କିଛି ସଙ୍କେତ ଦେଉଛି । ପୁଣି ଥରେ ବହୁମତରେ ବିଜେପି ସରକାର ଗଢ଼ିବ ବୋଲି ଆକଳନ ହେଉଛି । ଏକଜିଟ୍ ପୋଲ ଆକଳନ ପରେ ବିରୋଧୀଙ୍କ ମୁଣ୍ଡ ଆଉ କାମ କରୁନି । ଆଉ ଏହି କ୍ରମରେ ଆସନ୍ତା ୨୩ରେ ୟୁପିଏ ନେତାଙ୍କ ବୈଠକ ଡାକିଛନ୍ତି ସୋନିଆ ଗାନ୍ଧୀ ।

ବୁଥ୍ ବାହୁଡ଼ା ମତରେ ମୋଦିଙ୍କ ଲୋକପ୍ରିୟତା ଦେଖି ଚକିତ ହୋଇପଡ଼ିଛନ୍ତି ୟୁପିଏ ଅଧ୍ୟକ୍ଷ । ୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ତୁଳନାରେ ଭଲ ପ୍ରଦର୍ଶନ କରିଥିଲା କଂଗ୍ରେସ । ୩ ବିଜେପି ସତ୍ତାରୂଢ଼ ରାଜ୍ୟକୁ ଦଖଲ କରିନେଇଥିଲା କଂଗ୍ରେସ । ଆଉ ତା’ପରେ ମୋଦି ଲେହେରରେ ବ୍ରେକ ଲାଗିଲା ବୋଲି ଶୁଣିବା ପାଇଁ ମିଳୁଥିଲା । ୨୦୧୯ ନିର୍ବାଚନରେ କଂଗ୍ରେସ ବାଜିମାତ୍ କରିବ ବୋଲି ଦଳର ବରିଷ୍ଠ ନେତାମାନେ ଦୃଢ଼ୋକ୍ତି କରୁଥିଲେ । ହେଲେ ଫଳାଫଳ ଆସିବା ପୂର୍ବରୁ ଆସିଥିବା ଏକଜିଟ୍ ପୋଲରେ କଂଗ୍ରେସର ମନୋବଳକୁ ଦୋହଲାଇ ଦେଇଛି । ଫଳାଫଳ ଆସିବା ଦିନ ହିଁ ବୈଠକ ଡାକିଛନ୍ତି ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ମେ ୨୩ରେ ବୈଠକ ଡାକିଛନ୍ତି ସୋନିଆ । ୟୁପିଏ ନେତାଙ୍କ ସହ ସରକାର ଗଠନ ନେଇ ଆଲୋଚନା ହୋଇପାରେ ବୋଲି ଆକଳନ କରାଯାଉଛି ।