ନାମାଙ୍କନ ପୂର୍ବରୁ ସୋନିଆ ଓ ସ୍ମୃତି ଇରାନୀଙ୍କ ଶକ୍ତି ପ୍ରଦର୍ଶନ ! ରାୟବରେଲି ଓ ଆମେଠିରେ କଡା ଟକ୍କର, କଂଗ୍ରେସ ଗଡରେ ଦମ ଦେଖାଇପାରିବ କି ବିଜେପି ?

155

କନକ ବ୍ୟୁରୋ : ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର ରାୟବରେଲିରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଶାଳ ରୋଡ ସୋ ଓ ପୂୂଜାର୍ଚ୍ଚନା କରିବା ପରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସୋନିଆ ଗାନ୍ଧୀ । ସେପଟେ ଆମେଠିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟକ୍କର ଦେଉଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ରୋଡ ସୋ କରିବା ପରେ ନାମାଙ୍କନ ଦାଖଲ କରିଛନ୍ତି ।

ପାରମ୍ପରିକ ରାୟବରେଲି ଆସନରୁ ନାମାଙ୍କନ ଦାଖଲ କରିଛନ୍ତି ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ନିଜ ସଂସଦୀୟ କ୍ଷେତ୍ର ରାୟବରେଲିରୁ ପଂଚମ ଥର ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସୋନିଆ । ଏହା ପୂର୍ବରୁ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ବିଶାଳ ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ସୋନିଆ ଗାନ୍ଧୀ । ଏହାପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ୟୁପିଏ ଅଧ୍ୟକ୍ଷ । ନାମାଙ୍କନ ଦାଖଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ୨୦୦୪ରେ ଫଳାଫଳ ଭୁଲିବା ଉଚିତ ନୁହେଁ, ମୋଦି ଅପରାଜେୟ ନୁହଁନ୍ତି ଏହି କଥା ହୃଦୟଙ୍ଗମ କରିବା ଉଚିତ ବୋଲି ସୋନିଆ କହିଛନ୍ତି ।

ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆମେଠିରେ କଡା ଟକ୍କର ଦେବା ପାଇଁ ମଇଦାନକୁ ଓହ୍ଲାଇଥିବା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ନାମାଙ୍କନ ଭରିଛନ୍ତି । ଆମେଠିରେ ବିଶାଳ ରୋଡ ସୋ କରିବା ପରେ ନାମାଙ୍କନ ଦାଖଲ କରିଛନ୍ତି ସ୍ମୃତି । ରୋଡ ସୋ’ରେ ସ୍ମୃତିଙ୍କ ସହ ସାମିଲ ହୋଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  । ୪କିଲୋମିଟର ଲମ୍ବା ରୋଡ ସୋ’ କରି କଂଗ୍ରେସ ଗଡ଼ରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି । ସୋନିଆଙ୍କ ପରି ସେ ମଧ୍ୟ ପ୍ରାର୍ଥୀ ପତ୍ର ଦାଖଲ ପୂର୍ବରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି । ୨୦୧୪ରେ ଆମେଠି ଆସନରୁ ରାହୁଲ ଗାନ୍ଧୀ, ସ୍ମୃତି ଇରାନୀଙ୍କୁ ପରାସ୍ତ କରିଥିଲେ । ଉତରପ୍ରଦେଶର ରାୟବରେଲୀ ଓ ଆମେଠି ଲୋକସଭା ନିର୍ବାଚନ ମଣ୍ଡଳୀକୁ କଂଗ୍ରେସର ଗଡ ବୋଲି ବିବେଚନା କରାଯାଏ । ରାୟବରେଲୀରୁ ସୋନିଆ ଗାନ୍ଧୀ ଲଗାତର ୪ଥର ବିଜୟୀ ହୋଇଥିବା ବେଳେ ଆମେଠିରୁ ମଧ୍ୟ ଲଗାତର କଂଗ୍ରେସ ବିଜୟୀ ହୋଇ ଆସୁଛି ।