ମହାରାଷ୍ଟ୍ରରେ ମେଣ୍ଟ ସରକାର! ‘ଧନୁ’କୁ ଧରି ‘ହାତ-ଘଣ୍ଟା’ ଗଢ଼ିପାରେ ମହାରାଷ୍ଟ୍ରରେ ସରକାର, ସୋନିଆଙ୍କ ସବୁଜ ସଙ୍କେତ ଦେଇଥିବା ସୂଚନା ।

857

କନକ ବ୍ୟୁରୋ: ମହାରାଷ୍ଟ୍ରର ମଙ୍ଗ ଧରିବ ମେଣ୍ଟ ସରକାର! ଦୀର୍ଘଦିନର ଛକାପଞ୍ଝାରେ ଅନ୍ତଘଟାଇ ଶିବସେନା ସହ ମେଣ୍ଟ କରି ମହାରାଷ୍ଟ୍ରରେ ନୂତନ ସରକାର ଗଢ଼ିବା ପାଇଁ ସହମତି ଜଣାଇଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସୂଚନା ମୁତାବକ ନୂତନ ସରକାରର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ପାଇଁ ଶରଦ ପାୱାରଙ୍କ କନ୍ୟା ତଥା ଏନସିପି ନେତ୍ରୀ ସୁପ୍ରିୟା ସୁଲେଙ୍କ ନୂଆଦିଲ୍ଲୀର ୬ ଜନପଥରେ ଉଭୟ କଂଗ୍ରେସ ଓ ଏନସିପିର ବରିଷ୍ଠ ନେତାମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି ।
ଅପରାହ୍ନରେ ଶିବସେନା ସହ ମେଣ୍ଟକରି ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପାଇଁ ନିଜର ସହମତି ଜଣାଇବା ସହ ନିଜର ବିଧିବଦ୍ଧ

ଅନୁମତି ସୋନିଆ ଗାନ୍ଧୀ ପ୍ରଦାନ କଲାପରେ ଏହି ବୈଠକ ବସିଛି । ଆଉ ମହାରାଷ୍ଟ୍ରରେ ଶିବସେନା- କଂଗ୍ରେସ- ଏନସିପି ମେଣ୍ଟ ସରକାରର ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ଓ ନୂତନ ମନ୍ତ୍ରିମଣ୍ଡଳରେ କ୍ଷମତା ବଣ୍ଟନକୁ ନେଇ ସବିଶେଷ ଆଲୋଚନା କରାଯାଇ ନୂତନ ମନ୍ତ୍ରିମଣ୍ଡଳର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି ।

ତେବେ ‘ହାତ’-ଘଣ୍ଟା , ‘ଧନୁ’କୁ ଧରି ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ରଣନୀତିକୁ ନେଇ ଏବେ ବିଜେପିର ମୁଣ୍ଡବ୍ୟଥା ବଢ଼ିବାରେ ଲାଗିଛି । କାରଣ ମହାରଷ୍ଟ୍ର ବିଧାନସଭା ନିର୍ବାଚନରେ ମ୍ୟାଜିକ୍ ନମ୍ବର ଛୁଇଁ ନଥିଲେ ବି ବିଜେପି ନିଜର ସାଥୀ ଦଳ ଶିବସେନା ସହ ମିଶି ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ଦାବି କରୁଥିଲା । ହେଲେ ଶିବସେନା ସହ ସମ୍ପର୍କ ଛିନ୍ନ ହେବା ପରେ ଏବେ ବିଜେପି ମହାରାଷ୍ଟ୍ରରେ ରାଜନୈତିକ ରଣାଙ୍ଗନରେ ଏକାକୀ ପଡ଼ିଯାଇଛି ।